କନ୍ଧମାଳ: ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଗ୍ରାମାଞ୍ଚଳର ବିକାଶ କେତେଦୂର ହୋଇଛି ତାହାର ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା ତାଜୁଙ୍ଗିଆ ପଞ୍ଚାୟତର ଡୁବୁରି ଓ ନିଲାକ୍ଲିଉ ଗାଁ’ରେ। ଏହି ଗାଁ’କୁ ନା ଅଛି ରାସ୍ତା, ନା ଅଛି ପିଇବା ପାଣି, ନା ଅଛି ବିଜୁଳି ଆଲୁଅ। ଏମିତିକି ଏହି ଦୁଇ ଗ୍ରାମବାସୀଙ୍କୁ ଆଜି ଯାଏ ଗୋଟିଏ ମଧ୍ୟ ଆବାସ ଯୋଜନାରେ ଗୃହଟିଏ ମଧ୍ୟ ମିଳିପାରିନାହିଁ। ଦୟନୀୟ ଅବସ୍ଥାରେ ଦିନ କାଟୁଥିବା ଗ୍ରାମବାସୀଙ୍କ ଦାବିକୁ ମଧ୍ୟ କେହି ଶୁଣୁନାହାନ୍ତି।
ବଣପାହାଡ ଘେରରେ ରହିଛି ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ଅଧିନରେ ଥିବା ତାଜୁଙ୍ଗିଆ ପଞ୍ଚାୟତର ଡୁବୁରି ଓ ନିଲାକ୍ଲିଉ ଗାଁ। ଗାଁକୁ ରାସ୍ତା ନାହିଁ। ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ପ୍ରାୟ ୪ କିଲୋମିଟର ପଥୁରିଆ ବଣ ଜଙ୍ଗଲ ଚଲାବାଟ ଗଲେ ଯାଉଛନ୍ତି ଗାଁ ଲୋକେ। ଗାଁ କୁ ରାସ୍ତା ନଥିବାରୁ ଜରୁରୀକାଳୀନ ସେବାରୁ ବଞ୍ଚିତ ଲୋକେ। ଫଳରେ ରୋଗୀ ତଥା ଗର୍ଭବତୀ ମହିଳା ଖଟିଆରେ ବୁହା ହୋଇ ଡାକ୍ତରଖାନା ଯାଉଛନ୍ତି।
ଏହି ଦୁଇ ଗାଁରେ ପାନୀୟଜଳର ସୁବିଧା ନଥିବାରୁ ଖରା ହେଉ କି ବର୍ଷା ସବୁବେଳେ ଲୋକେ ଚୁଆ ଓ ଝରଣାର ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ। ଆଜି ପର୍ଯ୍ୟନ୍ତ ଗାଁକୁ ବିଜୁଳି ଆଲୁଅ ପହଞ୍ଚି ନଥିବାରୁ ସଞ୍ଜ ନଇଁଲେ ତାଟିକବାଟ ପଡୁଛି। ଗାଁରେ ଥିବା ବଦ୍ୟାଳୟକୁ ଶିକ୍ଷକ ମାନେ ଆସୁନଥିବାରୁ ପିଲାମାନେ ପାଠପଢିବାକୁ ନଯାଇ ଖେଳକୁଦରେ ସମୟ ବିତାଉଛନ୍ତି। ସେହିପରି ଗାଁରେ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ନାହିଁ। ଗାଁ କୁ ରାସ୍ତା ସହ ଅନ୍ୟାନ୍ୟ ସୁବିଧା ଯୋଗାଇବାକୁ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ।
ଏନେଇ ମଣ୍ଡଳ ଉନ୍ନୟନ ଅଧିକାରୀ ଭକ୍ତବନ୍ଧୁ ଜନାର୍ଦ୍ଦନା ଦଳେଇ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।