ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭର୍ଚ୍ୟୁଆଲ ରାଲି ମାଧ୍ୟମରେ ଲୋକଙ୍କ ସହ ଯୋଡି ହେବାକୁ ଉଦ୍ୟମ ଆରମ୍ଭ କରିଛି ବିଜେପି |
Trending Photos
)
ପାଟନା: ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ | ଦେଶରେ ଅନଲକ1 ଜାରି ହୋଇଥିବା ବେଳେ ବିହାର ଅନୁଭୂତ ହେଲାଣି ନିର୍ବାଚନୀ ତାତି | ବର୍ତ୍ତମାନ କୋରୋନା ମହାମାରୀର ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଏବେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ମିଳିନାହିଁ |
ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରରେ କ୍ଷମତାସୀନ ଏବଂ ବିହାର ସରକାରରେ ମେଣ୍ଟ ସହଯୋଗୀ ଥିବା ଭାରତୀୟ ଜନତା ପାର୍ଟି(ବିଜେପି) ପକ୍ଷରୁ ଆଗାମୀ ନିର୍ବାଚନ ପାଇଁ ଭର୍ଚ୍ୟୁଆଲ ରାଲି କରିବା ଉପରେ ଗୁରୁତ୍ୱ ଦିଆଯାଇଛି | ଏହି କ୍ରମରେ ଜୁନ ୭ ତାରିଖ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, 'ବିଜେପି ଫର ଲାଇଭ' ମାଧ୍ୟମରେ ରାଜ୍ୟର ସମସ୍ତ ୨୪୩ଟି ବିଧାନସଭା ଆସନର ମୋଟ ୭୨ ହଜାର ବୁଥ କର୍ମକର୍ତ୍ତାଙ୍କ ସହ ସିଧାସଳଖ ଯୋଡି ହେବେ |
ବିଜେପି ପକ୍ଷରୁ ଆୟୋଜିତ ହେଉଥିବା ଏହି ଭର୍ଚ୍ୟୁଆଲ ରାଲି ରାଜ୍ୟର ୨୪୩ଟି ବିଧାନସଭା ଆସନର ୭୨ ହଜାର ବୁଥରେ ପ୍ରସାରିତ ହେବ | ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି | ବିହାର ବିଜେପି ପ୍ରଭାରୀ ଭୂପେନ୍ଦ୍ର ଯାଦବ ଏବଂ ସଙ୍ଗଠନ ମହାମନ୍ତ୍ରୀ ବି.ଆଇ ସନ୍ତୋଷ ପାଟନା ଠାରେ ପହଞ୍ଚି ସାରିଛନ୍ତି | ଭର୍ଚ୍ୟୁଆଲ ରାଲି ସହ ଲୋକଙ୍କୁ ଯୋଡ଼ିବା ପାଇଁ ବିଜେପି ପକ୍ଷରୁ ୨୦୦ଟି ଏଲସିଡି ସ୍କ୍ରିନର ବ୍ୟବସ୍ଥା କରାଯାଇଛି | ଅପରାହ୍ନ ୪ଟାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜନ ସମ୍ବାଦ ରାଲିକୁ ସମ୍ବୋଧିତ କରିବେ | ଏହାକୁ ସଫଳ କରିବା ପାଇଁ ଦଳର ସାଂସଦ, ବିଧାୟକ, ବିଧାନ ପରିଷଦ ସଦସ୍ୟ, ଦଳୀୟ ପଦାଧିକାରୀ, ଜିଲ୍ଲା ପ୍ରଭାରୀ, ବିଧାନସଭା ପ୍ରଭାରୀଙ୍କୁ ଦାୟିତ୍ୱ ଦିଆଯାଇଛି |
ଭର୍ଚ୍ୟୁଆଲ ରାଲି ବାବଦରେଲ ଲୋକଙ୍କୁ ଅବଗତ କରିବା ପାଇଁ ବିଜେପି ବ୍ୟାନର ପୋଷ୍ଟର ଲଗାଯାଇଛି | ଏହି କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର କରିବା ସହ ଏହାକୁ ସଫଳ କରିବା ପାଇଁ ଲାଗି ପଡିଛନ୍ତି ବିହାର ବିଜେପି ଅଧ୍ୟକ୍ଷ ଡ.ସଞ୍ଜୟ ଜୈସ୍ୱାଲ, ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏବଂ ଦଳର ବରିଷ୍ଠ ନେତା ପ୍ରମୁଖ ପାଟନାସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚିଛନ୍ତି |
ବିଜେପି ପକ୍ଷରୁ ଆୟୋଜିତ ଭର୍ଚ୍ୟୁଆଲ ରାଲି ଏବେ ଚର୍ଚ୍ଚାରେ ରହିଛି | ଜୁନ ୯ ତାରିଖରେ ଏହି ରାଲି କରିବାକୁ ନିଷ୍ପତ୍ତି ହୋଇଥିଲା | ସେଦିନ ଆରଜେଡି ଗରିବ ଅଧିକାର ଦିବସ ପାଳିବା ପାଇଁ ଘୋଷଣା କରିଥିଲା | ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ ଆଣି ବିଜେପି ଜୁନ ୭ ତାରିଖରେ ଭର୍ଚ୍ୟୁଆଲ ରାଲି କରିବାକୁ ନିଷ୍ପତ୍ତି ନେଇଥିଲା | ଏହାର ଜବାବ ଦେବାକୁ ଯାଇ ଆରଜେଡି ପକ୍ଷରୁ ରବିବାର ରାତି ୧୧ଟାରେ ୧୧ମିନିଟ ଥାଳି ବଜାଅ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି | ଏହାକୁ ସମର୍ଥନ କରିବା ପାଇଁ ଦଳ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଛି |