ଆମେ ନ୍ୟାୟ ଚାହୁଁ

ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦାବି ଖୁବ୍ ଶୀଘ୍ର ମାମଲାର ଫଇସଲା କରାଯାଉ

ଆମେ ନ୍ୟାୟ ଚାହୁଁ
ସୌଜନ୍ୟ: ସୋସିଆଲ ମିଡିଆ

ବିକ୍ରମ ସାହୁ, ଭୁବନେଶ୍ୱର: ଗତ ସପ୍ତାହରେ ହାଇଦ୍ରାବାଦରେ ଘଟିଥିବା ବହୁ ଚର୍ଚ୍ଚିତ ପ୍ରାଣୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍‌ କୋର୍ଟରେ କରାଯିବ ବୋଲି ତେଲେଙ୍ଗାନା ହାଇକୋର୍ଟ ରାୟ ଦେଇଛନ୍ତି । ଏଭଳି ଏକ ଭୟଙ୍କର ଓ ବର୍ବରଚିତ ଘଟଣା କେବଳ ତେଲେଙ୍ଗାନା ନୁହେଁ ସାରାଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ପରିବାରର ମହିଳାଙ୍କ ପାଇଁ ଚିନ୍ତା କରିବାକୁ ବାଧ୍ୟ କରିଛି । ଦିଲ୍ଲୀ ନିର୍ଭୟା ଗଣଦୁର୍ଷ୍କମ ପରେ ଏବେ ହାଇଦ୍ରାବାଦ ଘଟଣା ଭୟଙ୍କର ଆନ୍ଦୋଳନର ରୂପ ନେବାକୁ ଯାଉଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦାବି ଖୁବ୍ ଶୀଘ୍ର ମାମଲାର ଫଇସଲା କରାଯାଉ ।

ଏମିତିକି ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ଦୁଷ୍କର୍ମକାରୀଙ୍କୁ ସାଧାରଣ ଲୋକଙ୍କୁ ଟେକି ଦିଆଯାଉ ବୋଲି ସଂସଦରେ ମତ ରଖିଛନ୍ତି । କିଛି ଛାତ୍ର ସଂଗଠନ ଉତ୍ତ୍ୟକ୍ତ ହୋଇ ଶୀଘ୍ର ଫଇସଲା କରି ଦୋଷୀଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି ରଖିଛନ୍ତି । ଏହି ଘଟଣାରେ ମହମ୍ମଦ ଆରିଫ୍‌, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବଲୁ ଗିରଫ ହୋଇଥିବା ବେଳେ ଏମାନଙ୍କ ବୟସ ୨୦ରୁ୨୬ ବର୍ଷ ବୋଲି ଜଣା ପଡିଛି । ଏମାନେ ସମସ୍ତେ ନିଶାଶକ୍ତ ଅବସ୍ଥାରେ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି ।

ଫାଷ୍ଟଟ୍ରାକ କୋର୍ଟ ଓ ଆଇନକୁ କଡାକଡି ପାଳନ କରାଯାଉଥିବା ସରକାର କହୁଥିବା ବେଳେ ଏପଟେ କିନ୍ତୁ ଏଭଳି ଘଟଣା ବାରମ୍ବାର ଘଟି ଚାଲିଛି । ଯାହା ପ୍ରତ୍ୟେକ ଦିନ ଗଣମାଧ୍ୟମର ଶିରୋନାନା ମଣ୍ଡନ କରୁଛି । ହାଇଦ୍ରାବାଦ ଘଟଣାକୁ ନେଇ ସାରାଦେଶ ଫାଶୀ ପାଇଁ ଦାବି କରୁଥିବା ବେଳେ ଏପଟେ ଓଡ଼ିଶାରେ ପୁରୀ, ଭଦ୍ରକ, ଉଦଳା ଓ ରାଇରଙ୍ଗପୁର ଘଣାରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ନାରୀଙ୍କୁ ସୁରକ୍ଷା ଦାବିରେ କଂଗ୍ରେସ ଓ ବିଜେପି ହଲ୍ଲାବୋଲ କରିଛନ୍ତି । ଜନତାଙ୍କ ଆକ୍ରୋଶ ଚରମ ସୀମାରେ ପହଁଞ୍ଚିଥିବା ବେଳେ ଦେଖିବାକୁ ବାକିରହିଲା ରାଜ୍ୟ ଓ କେନ୍ଦ୍ର ସରକାର ଏଭଳି ପ୍ରସଙ୍ଗକୁ କେତେ ଗୁରୁତ୍ୱର ନେଉଛନ୍ତି ଏବଂ ଏସବୁ ମାମଲାରେ କେତେ ଶୀଘ୍ର ପୋଲିସ ଚାର୍ଜସିଟ ଦାଖଲ କରୁଛି ଏବଂ ମାମଲାର ଫଇସଲା ହୋଇ ଦୋଷୀଙ୍କୁ କି ଦଣ୍ଡ ମିଳୁଛି ।