ଶ୍ରମିକ ସ୍ପେଶାଲ ଟ୍ରେନ ରାଜ୍ୟକୁ ନପଠାଇବାକୁ ପଶ୍ଚିମବଙ୍ଗର କେନ୍ଦ୍ରକୁ ଚିଠି

'ଅମ୍ପାନ' ମହାବାତ୍ୟାର ତାଣ଼୍ଡବ ପରେ ପଶ୍ଚିମବଙ୍ଗରେ ସାଧାରଣ ଜୀବନଯାତ୍ରା ହୋଇପଡିଛି ଛାରଖାର | 

ଶ୍ରମିକ ସ୍ପେଶାଲ ଟ୍ରେନ ରାଜ୍ୟକୁ ନପଠାଇବାକୁ ପଶ୍ଚିମବଙ୍ଗର କେନ୍ଦ୍ରକୁ ଚିଠି

କୋଲକାତା: 'ଅମ୍ପାନ' ମହାବାତ୍ୟାକୁ ଦୃଷ୍ଟିରେ ରଖି ମେ ୨୬ ତାରିଖ ପର୍ଯ୍ୟନ୍ତ କୌଣସି ଶ୍ରମିକ ସ୍ପେଶାଲ ଟ୍ରେନକୁ ରାଜ୍ୟକୁ ନପଠାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛି ପଶ୍ଚିମବଙ୍ଗର କ୍ଷମତାସୀନ ମମତା ବାନାର୍ଜୀଙ୍କ ସରକାର |  ଲେଖାଯାଇଥିବା ଚିଠିରେ ରାଜ୍ୟ ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନା, ରେଲୱେ ବୋର୍ଡ ଚେୟାରମ୍ୟାନ ଭିକେ ଯାଦବଙ୍କୁ ଅବଗତ କରିଛନ୍ତି ଯେ, ମେ ୨୦-୨୧ ତାରିଖରେ ହୋଇଥିବା ମହାବାତ୍ୟାରେ ଭିତ୍ତିଭୂମି ଅନେକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି |   

ମେ ୨୨ ତାରିଖରେ କେନ୍ଦ୍ରକୁ ଲେଖା ଯାଇଥିବା ଚିଠିରେ କୁହାଯାଇଛି ଅନେକ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ରିଲିଫ ଏବଂ ପୁନର୍ବାସ କାର୍ଯ୍ୟରେ ନିୟୋଜିତ ଅଛନ୍ତି | ବର୍ତ୍ତମାନର ସ୍ଥିତିରେ କୌଣସି ଶ୍ରମିକ ସ୍ପେଶାଲ ଟ୍ରେନକୁ ଗ୍ରହଣ କରିବା ସମ୍ଭବ ନୁହେଁ | ପଶ୍ଚିମବଙ୍ଗରେ ତାଣ୍ଡବ ମଚାଇଥିବା 'ଅମ୍ପାନ' ମହାବାତ୍ୟାର ମୁକାବିଲା ଲାଗି ୧୦୦୦ କୋଟିର ସହାୟତା ରାଶି ଘୋଷଣା କରିଥିଲେ କେନ୍ଦ୍ର ସରକାର | ଏପରିକି ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ପଶ୍ଚିମବଙ୍ଗ ଗସ୍ତ କରିଥିଲେ |  

ଶନିବାର ପଶ୍ଚିମବଙ୍ଗରେ ମହାବାତ୍ୟା ଜନିତ ମୃତ୍ୟୁ ସଂଖ୍ୟା ୮୫କୁ ବୃଦ୍ଧି ପାଇଛି | ରାଜଧାନୀ କୋଲକାତାରେ ଲୋକେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିଛନ୍ତି | ଯାହା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି | ଏଭଳି ସ୍ଥିତିକୁ ସୁଧାରିବା ପାଇଁ ପ୍ରଶାସନିକ ସ୍ତରରେ ଜାରି ରହିଛି ଉଦ୍ୟମ | ଶନିବାର ବାତ୍ୟା ପ୍ରଭାବିତ ରାଜ୍ୟର ୨୪ ପ୍ରଗଣା ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | 

 
'ଅମ୍ପାନ' ମହାବାତ୍ୟା ଯୋଗୁଁ ଲକ୍ଷାଧିକ ଲୋକ ବାସଚ୍ୟୁତ ହୋଇପଡିଛନ୍ତି | ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି | ଘରଦ୍ୱାର ଭାଙ୍ଗିଯିବା ସହ ହଜାର ହଜାର ଗଛ ଉପୁଡି ପଡିଛି | ପ୍ରାୟ ୧୦ ଲକ୍ଷ ଘର ଧ୍ୱସ୍ତବିଧ୍ୱସ୍ତ ହେବା ସହ ଦେଢ କୋଟି ଲୋକ ପ୍ରଭାବିତ ହୋଇଛନ୍ତି | କୋଲକାତା ସମେତ ଉତ୍ତର ଏବଂ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ମୋବାଇଲ ଏବଂ ବିଦ୍ୟୁତ ସେବାକୁ ସ୍ୱାଭାବିକ କରାଯାଇଛି | ତଥାପି ରାଜ୍ୟର ଅନେକ ଅଞ୍ଚଳ ଅନ୍ଧାର ମଧ୍ୟରେ ରହିଛି |   

ରାଜଧାନୀ କୋଲକାତା ସମେତ ହାୱଡା, ଉତ୍ତର ଏବଂ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଜଳବନ୍ଦୀ ସସମ୍ୟା ଯୋଗୁଁ ଆନ୍ଦୋଳନ କରିଛନ୍ତି | ଏହା ସହିତ ପାଣି ଏବଂ ବିଜୁଳି ଯୋଗାଇ ଦେବାକୁ ଦାବି କରିଛନ୍ତି | କୋଲକାତା ମେୟର ଫିରହାଦ ହକିମ କହିଛନ୍ତି ସ୍ଥିତିକୁ ସୁଧାରିବା ପାଇଁ ଉଦ୍ୟମ ଜାରି ରହିଛି | ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ(ଏସଡିଆରଏଫ) ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ(ଏନଡିଆରଏଫ) ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି | ଯୁଦ୍ଧକାଳୀନ ଭତ୍ତିରେ ପରିସ୍ଥିତିକୁ ସୁଧାରିବା ପାଇଁ ଜାରି ରହିଛି ଉଦ୍ୟମ |