କେବେ ସରିବ ଶିଶୁଙ୍କ ସଂଘର୍ଷ ?

ଆଜି ମଧ୍ୟ ଅନେକ ସ୍ଥାନ ଅଛି ଯେଉଁଠି ଶିଶୁଟିଏ ନିଜର ହକ ପାଇଁ ଲଢେଇ କରୁଛି

କେବେ ସରିବ ଶିଶୁଙ୍କ ସଂଘର୍ଷ ?
ସୌଜନ୍ୟ: ସୋସିଆଲ ମିଡିଆ

ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର: ନଭେମ୍ୱର ୧୪ ଦେଶ ପାଳନ କରୁଛି ଶିଶୁ ଦିବସ । ସବୁଠି ଶିଶୁଙ୍କୁ ନେଇ ସ୍ୱପ୍ନ ଦେଖୁଛନ୍ତି ବାପା ମାଆ । ବିଭିନ୍ନ ସ୍ଥାନରେ ଶିଶୁ ଦିବସକୁ ନେଇ ଅନେକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଛି । ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲଙ୍କ ଜନ୍ମଦିବସରେ ଦେଶ ପ୍ରତିବର୍ଷ ଶିଶୁ ଦିବସ ପାଳନକରୁଛି । କିନ୍ତୁ ଆଜି ମଧ୍ୟ ଅନେକ ସ୍ଥାନ ଅଛି ଯେଉଁଠି ଶିଶୁଟିଏ ନିଜର ହକ ପାଇଁ ଲଢେଇ କରୁଛି । ଦିନକୁ ଗୋଟିଏ ଓଳିଏ ଖାଇବା ପାଇଁ ମଧ୍ୟ ସେ ସଂଘର୍ଷ କରୁଛି । ଯଦି ଆମ ରାଜ୍ୟ ଓଡ଼ିଶା କଥା ଦେଖିବା ରାଜ୍ୟରେ ପ୍ରତିଦିନ ଶିଶୁ ଚାଲାଣ ସହ ବିଭିନ୍ନ ସ୍ଥାନରେ ନିର୍ଯ୍ୟାତନାର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । କେଉଁଠି ଦୋକାନରେ ଶିଶୁ ବାସନ ମାଜିବାର ଚିତ୍ର ଆସୁଛି ତ କେଉଁଠି ହୋଟେଲରେ କାମ କରିବାର ଚିତ୍ର ଦେଖିବାକୁ ମିଳୁଛି । ସେପଟେ ଶିଶୁ ଚାଳାଣରେ ମଧ୍ୟ ରାଜ୍ୟରେ ସ୍ଥିତି ପୂରା ସଙ୍ଗୀନ । 

ଗୋଟିଏ NGO ରିପୋର୍ଟ ଅନୁଯାଇ ରାଜ୍ୟର ୩ ଟି ଜିଲ୍ଲାରୁ ପାଖାପାଖି ୩୦୦ ଶିଶୁ ପ୍ରତିବର୍ଷ ଚାଳାଣ ଦେଉଛନ୍ତି । ସବୁଠାରୁ ଆଗରେ ଥିବା ଏହି ଜିଲ୍ଲା ଗୁଡ଼ିକ ଗଞ୍ଜାମ, ଗଜପତି ଏବଂ କନ୍ଧମାଳ । ଏହି ଜିଲ୍ଲାରେ କେବଳ ପୁଅ ନୁହେଁ ଝିଅଙ୍କୁ ମଧ୍ୟ ଚାଲାଣ କରାଯାଇଛି । ପୁଅ ମାନଙ୍କୁ ସାଧାରଣତଃ ବିଭିନ୍ନ ସ୍ଥାନରେ କାମରେ ନିୟୋଜିତ କରାଯାଉଥିବା ବେଳେ ଝିଅ ମାନଙ୍କୁ ଅନ୍ୟ ରାଜ୍ୟରେ ବିବାହ ପାଇଁ ଚାଳାଣ କରାଯାଉଛି । ସେପଟେ ଜାତୀୟ ମାନବଧିକାର କମିଶନଙ୍କ ବାରମ୍ୱାର ତାଗିତ ପରେ ମଧ୍ୟ ରାଜ୍ୟରେ ଶିଶୁ ଚାଳାଣ କମିବାର ନାଆ ନେଉନାହିଁ । ଗୋଟିଏ ପଟେ ରାଜ୍ୟ ସରକାର ପରୀ ଯୋଜନାରେ ଏହି ଶିଶୁ ଚାଳାଣ ରୋକିବା ପାଇଁ ପ୍ରକ୍ରିୟା ଆରମ୍ଭ କରି ବିଭିନ୍ନ ସ୍ଥାନରୁ ଅନକେ ଶିଶୁଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି । 

ରିପୋର୍ଟରୁ ଜଣାପଡ଼ିଛି ରାଜ୍ୟ ପୋଲିସ ୩୬ ପୋଲିସ ଜିଲ୍ଲାରୁ ୧୭୭୩ ଜଣ ଶିଶୁଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଉଦ୍ଧାର କରିଛି । ଏହାରି ମଧ୍ୟରୁ ୪୮୫ ନାବାଳକ ୨୫ଜଣ ଯୁବତୀ ଗଞ୍ଜାମ ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲାରୁ ଉଦ୍ଧାର କରାଯାଇଛି । ଠିକ ସେହିଭଳି କୋରାପୁଟ ଜିଲ୍ଲାରୁ ୧୪୧ଜଣ ଯେଉଁଥିରେ ୬୪ ନାବାଳକ ଏବଂ ୭୮ଜଣ ଯୁବତୀ ରହିଛନ୍ତି । ସେପଟେ ପୋଲିସ ସମସ୍ତ ଘଟଣାରେ ୧୦୫ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କେବଳ ଯେ ରାଜ୍ୟର ଅନୁନ୍ନତ ଅଞ୍ଚଳରେ ଶିଶୁ ଚାଲାଣ ଏବଂ ନିର୍ଯ୍ୟାତନା ଘଟଣା ସାମ୍ନାକୁ ଆସୁନାହିଁ, ରାଜ୍ୟ ରାଜଧାନୀ ଭୁବନେଶ୍ୱର ଏବଂ କଟକ କମିଶନରେଟ ପୋଲିସ ଅଧିନରେ ଥିବା ଅନେକ ଅଞ୍ଚଳରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଶିଶୁ ଚାଲାଣକୁ ନେଇ ଅନେକ ଆଇନ ରହିଛି ଯାହା ତାଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସହାୟକ ହେବ କିନ୍ତୁ ଏହାର କୌଣସି ସୁଫଳ ସେମାନେ ନେଇ ପାରୁନାହାଁନ୍ତି । ଯଦି ସେହି ଧାରା ଉପରେ ଟିକେ ନଜର ପକାଇବା ତାହେଲେ ଅନେକ ତଥ୍ୟ ସାମ୍ନାକୁ ଆସିବ । ବର୍ତ୍ତମାନ ନଜର ରହିଲା କେବେ ରାଜ୍ୟରେ ଶିଶୁ ଚାଲାଣ ସମସ୍ୟାର ସମାଧାନ ହେବ ଏବଂ ନିଷ୍ପେଶିତ ଶିଶୁ ଏହି ଯନ୍ତ୍ରଣାରୁ ମୁକ୍ତିପାଇବେ