କୁଆଡ଼େ ଗଲା କଟାମୁଣ୍ଡ ?

ଶବ ଖୁଣୀ ଚିହ୍ନାଏ

କୁଆଡ଼େ ଗଲା କଟାମୁଣ୍ଡ ?
ଶବ ଖୁଣୀ ଚିହ୍ନାଏ

ପ୍ରେମାନନ୍ଦ ପୂଜାରୀ, ମୋହନା: ଲଜ୍ଜିତ ହେଲା ମାନବିକତା । ଗଜପତି ଜିଲ୍ଲା ମୋହନାରେ ବିଭତ୍ସ ହତ୍ୟାକାଣ୍ଡ । ଉଦ୍ଧାର ହେଲା ମୁଣ୍ଡବିହୀନ ଶବ । ଅନ୍ଧବିଶ୍ୱାସର କୁପରିଣତି ଯୋଗୁ ପୁଣି ଚାଲିଗଲା ଆଉ ଏକ ଜୀବନ । ଗୁଣିଗାରେଡ଼ି ସନ୍ଦେହରେ ପ୍ରତିଶୋଧ ପରାୟଣ ହୋଇ ଗଣ୍ଡିରୁ ମୁଣ୍ଡ କାଟି ନେଇ ଉଭାନ୍ ହୋଇ ଯାଇଥିଲେ ଅପରାଧୀ । ମୁଣ୍ଡକୁ ଖୋଜି ଖୋଜି ପୋଲିସ ହୋଇଥିଲା ନୟାନ୍ତ । ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନାରେ । ମୃତଦେହର ମୁଣ୍ଡକୁ ଖୋଜିବା ପାଇଁ ପୋଲିସ ପ୍ରଶାସନନ ସାଇଣ୍ଟିଫିକ ଟିମ୍ ଓ ଡଗ୍ ସ୍କ୍ୱାଡ୍ ସହାୟତାରେ ଘଟଣାସ୍ଥଳରେ ତନ୍ନ ତନ୍ନ ଯାଞ୍ଚ କରିଥିଲା । 

ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଅଞ୍ଚଳରେ ଖେଳିଯାଇଥିଲା ଚାଞ୍ଚଲ୍ୟ । ଘଟଣାଟି ହେଉଛି ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ମୋହନା ବ୍ଲକ୍ ଉପାନ୍ତ ଅଞ୍ଚଳର । ଗାଁ'ର ନାଁ ହେଉଛି ଭାଲିଆସାହି । ଜଣେ ବୃଦ୍ଧଙ୍କୁ ଗୁଣିଗାରେଡ଼ି ସନ୍ଦେହରେ କରାଯାଇଥିଲା ନିର୍ମମ ହତ୍ୟା । ଆଉ  ମୋହନା ଥାନା ମେରାପଲ୍ଲି ପଞ୍ଚାୟତ ମେରାମା ସଉରାସାହିରୁ ଉଦ୍ଧାର ହୋଇଥିଲା ଏହି ମୃତଦେହ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହତ୍ୟାକାଣ୍ଡ ଘଟାଇ ଅପରାଧୀ ମୃତ ଶରୀରରୁ ମୁଣ୍ଡଗଣ୍ଡି ଅଲଗା କରି ଦେଇଥିଲେ । ଖାଲି ସେତିକି ନୁହେଁ, ମୁଣ୍ଡଟିକୁ ନେଇ ଫେରାର ହୋଇ ଯାଇଥିଲେ ହତ୍ୟାକାରୀ । ପୋଲିସ ତଦନ୍ତରୁ ମୁଣ୍ଡବିହୀନ ମୃତଦେହର ପରିଚୟ ମିଳିଥିଲା । ମୃତକ ହେଲେ ଭାଲିଆସାହି ଗ୍ରାମର ଦାସ ମଳିକ । ୧୨ ନଭେମ୍ବର ୨୦୧୯ ବିଳମ୍ବିତ ରାତିରେ ମେରାମା ଗ୍ରାମ ନିକଟସ୍ଥ ସଉରାସାହି କୁଲଡିରାଇପଦର ମକାବାଡ଼ିରେ ଦାସ ମଳିକଙ୍କ କବନ୍ଧଟି ପଡ଼ିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ଗୁଣିଆ ସନ୍ଦେହରେ ତାଙ୍କ ବାପାଙ୍କୁ ବେଣିପଦର ଗ୍ରାମର ସାନୁଜ ମଳିକ ଓ ସୁରଜ ମଳିକ ହତ୍ୟା କରିଥିବା ମୋହନା ଥାନାରେ ଅଭିଯୋଗ କରିଥିଲେ ମୃତକଙ୍କ ପୁଅ ।

ଏତିକିରେ ହୋଇ ନ ଥିଲା ଦାସ ମଳିକ ହତ୍ୟାକାଣ୍ଡ କାହାଣୀର ଅନ୍ତ । ଅନ୍ଧବିଶ୍ୱାସର ଅନ୍ଧଗଳିରେ ହଜି ଯାଇଥିବା ଆଦିବାସୀବହୁଳ ମୋହନା ଖୋଜୁଥିଲା ଦାସ ମଳିକଙ୍କ କଟାମୁଣ୍ଡ । କଟାମୁଣ୍ଡର ସନ୍ଧାନ ଯେତେଶୀଘ୍ର ସମ୍ଭବ ପାଇବା, ପୋଲିସ ପାଇଁ ପାଲଟିଥିଲା ଚାଲେଞ୍ଜ । ୧୩ ନଭେମ୍ବର ୨୦୧୯ ତାରିଖରେ ଦାସ ମଳିକଙ୍କ ପୁଅମାନଙ୍କ ଏତଲା ଭିତ୍ତିରେ ବେଣିପଦରରୁ ସାନୁଜ ମଳିକ ଓ ସୁରଜ ମଳିକଙ୍କୁ ଉଠାଇ ନେଲା ପୋଲିସ । ଆଉ ଆରମ୍ଭ କରିଥିଲା ପଚରାଉଚରା । ପୋଲିସର ପ୍ରଶ୍ନବାଣ ଆଗରେ ବେଶି ସମୟ ତିଷ୍ଠି ରହି ପାରି ନ ଥିଲେ ସେମାନେ । ଗୋଟି ଗୋଟି କରି ଓଗାଳିଥିଲେ ହତ୍ୟାକାଣ୍ଡ ସମ୍ପର୍କରେ । 

ସେମାନଙ୍କଠାରୁ ସତକଥା ଶୁଣି ପୋଲିସ ବି ଭୟରେ ଶିହରି ଉଠିଥିଲା । ସେମାନେ ମକାବାଡ଼ିରେ ଦାସ ମଳିକଙ୍କୁ  କଟୁରୀରେ ହାଣି ମୁଣ୍ଡଗଣ୍ଡି ଅଲଗା କରି ଦେଇଥିଲେ । ଏହାପରେ କଟାମୁଣ୍ଡକୁ ନେଇ ନିକଟସ୍ଥ ଏକ ନାଳରେ ପୋତି ଦେଇଥିଲେ । କେହି ଯେପରି ନ ଜାଣି ପାରିବେ, ସେଥିପାଇଁ ନିଜର ରକ୍ତଭିଜା ପୋଷାକକୁ ଏକ ବୁଦାମୂଳରେ ଲୁଚାଇ ଦେଇଥିଲେ । ୧୪ ନଭେମ୍ବର ୨୦୧୯ ତାରିଖରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହେବାପରେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ମୋହନା ତହସିଲଦାର ଓ ଅଭିଯୁକ୍ତଙ୍କୁ ସାଥିରେ ନେଇ ପୋଲିସ ଟିମ୍ ବାହାରିଥିଲା ସଉରାସାହି ଅଭିମୁଖେ । ସେମାନେ ହତ୍ୟା କରିଥିବା ସ୍ୱୀକାର କଲାପରେ କଟାମୁଣ୍ଡ ନେଇ ପୋଲିସ କରିଥିଲା ଜେରା । ଏହାରେ ସେମାନେ ପୋଲିସକୁ ନେଇ ଦେଖାଇଥିଲେସେହି ଘଟଣାସ୍ଥଳ, ଯେଉଁଠାରେ କଟାମୁଣ୍ଡକୁ ପୋତା ଯାଇଥିଲା । ପୋଲିସ କଟାମୁଣ୍ଡକୁ ଉଦ୍ଧାର କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲା ।

ତେବେ କ'ଣ ଥିଲା ହତ୍ୟାକାଣ୍ଡର କାରଣ ? କେମିତି ଦାସ ମଳିକ ହେଲେ ହତ୍ୟାର ଶିକାର ? ହତ୍ୟା ଘଟଣାର ଅନ୍ତରାଳେ ଽ ଗତ କିଛି ବର୍ଷ ହେଲା ବେଣିପଦର ଗ୍ରାମର ଦାସ ମଳିକ ଚାଷ ସାଙ୍ଗକୁ ଚେରିମୂଳି ବ୍ୟବସାୟ କରିଆସୁଥିଲେ । ତେବେ ଗତବର୍ଷ ବେଣିପଦର ଗ୍ରାମର କିଛି ଲୋକଙ୍କର ଅଜଣା ରୋଗରେ ମୃତ୍ୟୁ ଘଟିଥିଲା । ଲୋକଙ୍କ ମୃତ୍ୟୁ ପଛରେ ଦାସ ମଳିକଙ୍କ ହାତ ଥିବା ଅଭିଯୋଗ କରିଥିଲେ ଗାଁ' ଲୋକେ । ସେ ଲୋକଙ୍କୁ ଗୁଣି କରିଥିବା ସନ୍ଦେହରେ ତାଙ୍କୁ ଜୀବନରୁ ମାରିଦେବାକୁ ଦେଇଥିଲେ ଧମକ । ଏହାକୁ ନେଇ ଦାସ ମଳିକ ଓ ପରିବାର ଲୋକେ ମୋହନା ଥାନାରେ କରିଥିଲେ ଅଭିଯୋଗ । ୨୮ ମାର୍ଚ୍ଚ ୨୦୧୮ରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କରିଥିଲେ ଲିଖିତ ଅଭିଯୋଗ । ହେଲେ ପୋଲିସ ଘଟଣାର ଗଭୀରତାକୁ ମାପି ନ ପାରି ଏହାକୁ ଆଦୌ ଗୁରୁତ୍ୱ ଦେଇ ନ ଥିଲା । ତତ୍କାଳୀନ ମୋହନା ଥାନାଧିକାରୀ ଉଭୟ ପକ୍ଷକୁ ଡାକି ମିଳାମିଶା କରି ଛାଡ଼ି ଦେଇଥିଲେ । କିନ୍ତୁ ପ୍ରତିହିଂସାର ନିଆଁରେ ଜଳୁଥିବା ଅଭିଯୁକ୍ତମାନେ ଦେଢ଼ ବର୍ଷ ପରେ ନେଲେ ପ୍ରତିଶୋଧ । ଘଟଣା ଦିନ ବେଣିପଦରଗାଁ'ର ସାନୁଜ ମଳିକ ଓ ସୁରଜ ମଳିକ ଦାସ ମଳିକଙ୍କ ପୁଅକୁ ବାପା କେଉଁଠି ବୋଲି ପଚାରିଥିଲେ । ଦାସ ମଳିକ ଏକାକି ମକାବାଡ଼ିରେ ଥିବା ଜାଣି ସନ୍ଧ୍ୟା ସମୟରେ ସେଠାକୁ ଯାଇଥିଲେ । ସେଠାରେ ତାଙ୍କୁ ଏକୁଟିଆ ପାଇ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।

ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ଏଥିରେ କ'ଣ ବିରାମ ନାହିଁ ? ଅନ୍ଧବିଶ୍ୱାସର ଅନ୍ଧଗଳିରେ ଆଉ କେତେଦିନ ଘାଣ୍ଟି ହେଉଥିବ ଏକବିଂଶ ଶତାବ୍ଦୀର ମଣିଷ ? ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଗୁଣିଗାରେଡ଼ି ଜନିତ ହତ୍ୟାକାଣ୍ଡକୁ ରୋକିବାରେ କେବେ ସଫଳ ହେବ ପୋଲିସ ? ଆଉ ସଚେତନତା ପାଇଁ ପ୍ରଶାସନ ଓ ସରକାରଙ୍କର କ'ଣ କିଛି କର୍ତ୍ତବ୍ୟ ନାହିଁ ?