close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବେସାହାରା ଭାଇଭଉଣୀଙ୍କୁ ସାହାରା ଦେବ କିଏ?

ପ୍ରଥମେ ବାପା ଆଉ ତା ପରେ ସବୁଦିନ ପାଇଁ ତିନି ନିଷ୍ପାପ ନିରୀହ ପିଲାଙ୍କୁ ପର କରି ଚାଲିଗଲେ ମା'

ବେସାହାରା ଭାଇଭଉଣୀଙ୍କୁ ସାହାରା ଦେବ କିଏ?

କୋରାପୁଟ: ପ୍ରଥମେ ବାପା ଆଉ ତା ପରେ ସବୁଦିନ ପାଇଁ ତିନି ନିଷ୍ପାପ ନିରୀହ ପିଲାଙ୍କୁ ପର କରି ଚାଲିଗଲେ ମା' । ଯେଉଁ ବୟସରେ ବାପା ମା'ଙ୍କ ସ୍ନେହ ପାଇବା କଥା ସେ ବୟସରେ ଅନାଥ ହୋଇଗଲେ ତିନି ଭାଇଭଉଣୀ ।  ଏବେ କିଏ ଏମାନଙ୍କ ଭବିଷ୍ୟତ ଗଢ଼ିବ ତାହା ଏକ ପ୍ରଶ୍ନବାଚୀ । ସାହା ଭରଷା ହେବା ପାଇଁ କେହି ନାହାନ୍ତି ଏମାନଙ୍କ ପାଖରେ । ଏବେ ଏବେ ଜୀବନର ଆଲୋକ ଦେଖିଥିବା ୨ ବର୍ଷର ଶିଶୁ ପୁତ୍ର ଖୋଜୁଛି ମା'କୋଳ । ସେପଟେ ଜୀବନକୁ ଭଲ କରି ଜାଣି ନଥିବା ନିରୀହ ଝିଅଟି ମୁଣ୍ଡରେ କୁନିକୁନି ୨ ଭାଇଙ୍କ ବୋଝ । 

ଏ ଅବସ୍ଥା ହେଉଛି କୋରାପୁଟ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ବଦଳିକୁଡୁମା ଗାଁର ଭାଷ୍କର ନାୟକଙ୍କ ୩ ପୁଅ ଝିଅ । ହସଖୁସିରେ ଚାଲିଥିବା ସଂସାରରେ ଯେମିତି କାହାର ନଜର ଲାଗି ଯାଇଛି । ବାପା ମା'ଙ୍କୁ ହରାଇ ସବୁଦିନ ପାଇଁ ଏମାନଙ୍କ ମୁହଁରୁ ହସ ଲିଭି ଯାଇଛି ।  ୩ ବର୍ଷ  ପୂର୍ବେ  ଭାଷ୍କର ନାୟକଙ୍କ ମୃତ୍ୟୁ ହୋଇଗଲା । ସେତେବଳକୁ ୩ ମାସର ଗର୍ଭବତୀ ଥିବା ସ୍ତ୍ରୀ ଦେବକୀ ପିଲାଙ୍କ ମୁହଁକୁ ଚାହିଁ ଦୁଃଖେ କଷ୍ଟେ କାଠ ବିକ୍ରି କରି ଚଳୁଥିଲେ । ହେଲେ ହଠାତ୍ ଗତ ୩୦ ତାରିଖରେ ଅସୁସ୍ଥ ହୋଇ ମେଡିକାଲ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଭାଗ୍ୟର ବିଡ଼ମ୍ବନା ଯୋଗୁ ଅସମୟରେ ଅନାଥ ହୋଇଗଲେ ୩ ପିଲା ।  କିଛି ଦିନ ପାଇଁ ଏମାନଙ୍କ ପାଖରେ ପିଉସୀ ମା ଆସି ରହୁଥିବା ବେଳେ  ନିଜର ପରିବାର ଥିବାରୁ ସେ ମଧ୍ୟ ରହିପାରିବେନି ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି । ତେବେ ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ପରେ ସହାୟତାର ହାତ ବଢ଼ାଇଛି ପ୍ରଶାସନ । ରେଡକ୍ରସ ତରଫରୁ ୧୦ ହଜାର , ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ସମେତ ୨୦ କିଲୋ ଚାଉଳ ପ୍ରଦାନ କରାଯାଇଛି । ତେବେ ୭ ଦିନ ମଧ୍ୟରେ ଏହି ପିଲାଙ୍କୁ ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁସନକୁ ପଠାଯିବାର ବ୍ୟବସ୍ଥା  କରାଯିବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ । ତେବେ ପ୍ରଶାସନର ଏହି ଆଶୁ ପଦକ୍ଷେପକୁ ଭୁରିଭୁରି ପ୍ରଶଂସା କରିଛନ୍ତି ଲୋକେ ।  ଏହା ସହ  ଏହି ୩ ଅନାଥ ପିଲାଙ୍କୁ ଥଇଥାନ କେବେ କରାଯାଉଛି ତାହାକୁ ଅପେକ୍ଷା ।