ମଧ୍ୟରାତ୍ରୀରୁ ସମଗ୍ର ଦେଶ ଲକଡାଉନ

୨୧ଦିନ ପାଇଁ ଲକଡାଉନ ସ୍ଥିତି...

ମଧ୍ୟରାତ୍ରୀରୁ ସମଗ୍ର ଦେଶ ଲକଡାଉନ

ନୂଆଦିଲ୍ଲୀ: କୋରୋନା ପାଇଁ ସମଗ୍ର ଦେଶରେ ଏବେ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ରୋକିବାକୁ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ। ଏଥିପାଇଁ ଆମ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି। ଏହି କୋରୋନାକୁ ଅଟକାଇବାକୁ ହେଲେ ଆମକୁ ଏହି ଚେନ ଭାଙ୍ଗିବାକୁ ପଡ଼ିବ। ଏଥିପାଇଁ ଆଜି ମଧ୍ୟ ରାତ୍ରରୁ ଆମକୁ ଲକଡାଉନ ସ୍ଥିତିରେ ରହିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। 

ମୋଦି ଆହୁରି ମଧ୍ୟ କହିଛନ୍ତି କି, ସମଗ୍ର ବିଶ୍ୱରେ ଏହି ମହାମାରୀ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବିଗତ ଦୁଇ ମାସ ଧରି ଏହା ଉପରେ ଯେଉଁ ଅଧ୍ୟୟନ କରାଯାଇଛି, ସେଥିରୁ ବାହାରି ଥିବା ନିଷ୍କର୍ସ ଏବଂ ଏକ୍ସପର୍ଟମାନଙ୍କ କହିବା ମୁତାବକ ସୋସିଆଲ ଡିଷ୍ଟାନସିଂରେ ରହିବାକୁ ହେବ। ଏହା ଆମ ପାଇଁ ଏକମାତ୍ର ବିକଳ୍ପ ଭାବେ ଉଭା ହୋଇଛି ବୋଲି ସେ କହିଛନ୍ତି। 

ସେ ଆହୁରି ମଧ୍ୟ କହିଥିଲେ କି, କୋରୋନା ବର୍ତ୍ତମାନ ସମଗ୍ର ବିଶ୍ୱରେ ଏକ ମହାମାରୀର ରୂପ ନେଇ ସାରିଛି। ଏହା ସମ୍ପର୍କରେ ଆପଣ ଖବର ଶୁଣୁଛନ୍ତି ଏବଂ ଦେଖୁଛନ୍ତି ମଧ୍ୟ। ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଗୁଡ଼ିକ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇ ସାରିଛନ୍ତି। ଗୋଟିଏ ଦିନର ଜନତା କର୍ଫ୍ୟୁ ଏହା ଦର୍ଶାଇଛି ଯେ, ଦେଶ ଉପରକୁ ସଂକଟ ଆସିଲେ, କିମ୍ବା ମାନବଜାତି ଉପରକୁ ସଂକଟ ଆସିଲେ ଯେମିତି ଆମେ ଏକ ହୋଇ ଲଢୁଛେ।  ଜାତି ଧର୍ମ, ବର୍ଣ୍ଣ ବୟସ ସବୁ ପରେ ଆମକୁ ବର୍ତ୍ତମାନ ଏକ ହବାର ସମୟ ଆସିଛି ବୋଲି ସେ କହିଥିଲେ। 

ଏହି ଭଳି ଆସନ୍ତା ୨୧ ଦିନ ପାଇଁ ମଧ୍ୟ ଠିକ ଏହିପରି ଆମକୁ ଏକ ହେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ମୋଦି ଆହୁରି ମଧ୍ୟ କହିଥିଲେ କି, କୋରୋନା ହିସାବରେ ଆମକୁ ଚାଲିବାକୁ ହେବ। କୋରୋନାର ଅର୍ଥ ମଧ୍ୟ ସେ ଅତି ସୁନ୍ଦର ଭାବେ ବ୍ୟାଖ୍ୟା କରିଥିଲେ। କୋର ଅର୍ଥରେ କୋଣସି, ରୋର ଅର୍ଥ ରାସ୍ତା ଉପରକୁ, ନାର ଅର୍ଥ ବାହାରିବା ନାହିଁ ବୋଲି ସେ କହିଥିଲେ। ବିଗତ ଏକ ସପ୍ତାହ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ଥିଲା ଦ୍ୱିତୀୟ ସମ୍ବୋଧନ। ଏହା ସହିତ ଗତ ୨୨ ମାର୍ଚ୍ଚରେ ହୋଇଥିବା ଜନତା କର୍ଫ୍ୟୁ ପାଇଁ ମୋଦି ଦେଶବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।