ଶପଥ ପାଇଁ ରାମଲୀଳା ମୈଦାନ କାହିଁକି ?

କେଜ୍ରିୱାଲ ପ୍ରଥମ ମୁଖ୍ୟମନ୍ତ୍ରୀ, ଯିଏ ଏଠି ଶପଥ ନିଅନ୍ତି

ଶପଥ ପାଇଁ ରାମଲୀଳା ମୈଦାନ କାହିଁକି ?
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ତାଙ୍କ ସହ ଅନ୍ୟ ୬ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ତେବେ କେଜ୍ରିୱାଲ ଦିଲ୍ଲୀର ପ୍ରଥମ ମୁଖ୍ୟମନ୍ତ୍ରୀ, ଯିଏ ରାମଲୀଳା ମୈଦାନରେ ହିଁ ଶପଥ ନେଇଥାନ୍ତି । ଦିଲ୍ଲୀର ସପ୍ତମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଅରବିନ୍ଦ କେଜ୍ରିୱାଲ । ଅର୍ଥାତ କେଜ୍ରିୱାଲଙ୍କ ପୂର୍ବରୁ ଅନ୍ୟ ୬ ମୁଖ୍ୟମନ୍ତ୍ରୀ କେବେବି ଶପଥ ଗ୍ରହଣ ପାଇଁ ରାମଲୀଳା ମୈଦାନକୁ ବାଛି ନ ଥିଲେ । ଅନ୍ୟ ସମସ୍ତ ମୁଖ୍ୟମନ୍ତ୍ରୀ ରାଜ ନିବାସରେ ହିଁ ଶପଥ ନେଇଥିଲେ । 

କେଜ୍ରିୱାଲ ଓ ରାମଲୀଳା ମୈଦାନ

୨୦୧୧ ମସିହାରେ କେଜ୍ରିୱାଲ ଆନ୍ନା ହଜାରେଙ୍କ ଇଣ୍ଡିଆ ଏଗେଷ୍ଟ କରପଶନ ଆନ୍ଦୋଳନରେ ସାମିଲ ହୋଇଥିଲେ । ଆାଉ ଏହି ଆନ୍ଦୋଳନ ପରେ ୨୦୧୨ରେ ରାଜନୀତିକୁ ଏଣ୍ଟ୍ରି ମାରିଥିଲେ । ଗଢ଼ିଥିଲେ ଆମ ଆଦମୀ ପାର୍ଟି(ଆପ୍) । ୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁ ମତ ପାଇ ନ ଥିଲେ ମଧ୍ୟ କଂଗ୍ରେସ ସହ ମିଶି ସରକାର ଗଢ଼ିଥିଲେ ଅରବିନ୍ଦ କେଜ୍ରିୱାଲ । ରାମଲୀଳା ମୈଦାନରେ ପ୍ରଥମ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଅବଶ୍ୟ ୪୯ ଦିନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କେଜ୍ରିୱାଲ । 

 ସେହିପରି ୨୦୧୫ ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ପାଇଥିଲା ଆପ୍ । ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ । ତେବେ ସେହି ସମୟରେ ମଧ୍ୟ ଶପଥ ଗ୍ରହଣ ପାଇଁ ରାମଲୀଳା ମୈଦାନକୁ ବାଛିଛନ୍ତି । ଆଉ ଆଜି ତୃତୀୟ ଥର ପାଇଁ ରାମଲୀଳା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କେଜ୍ରିୱାଲ । 

h

ରାମଲୀଳା ମୈଦାନ କାହିଁକି ? 

ଦିନେ ଏହି ମୈଦାନ କେଜ୍ରିୱାଲଙ୍କ ଗତିପଥକୁ ବଦଳାଇ ଦେଇଥିଲା । ୨୦୧୧ରେ ହୋଇଥିବା ଆନ୍ଦୋଳନ ପରେ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତି ଜନ ସମର୍ଥନ ହୁ ହୁ ହୋଇ ବଢ଼ିଚାଲିଥିଲା । ଐତିହାସିକ ଦୃଷ୍ଟିକୋଣରୁ ମଧ୍ୟ ଏହି ପଡ଼ିଆ ବେଶ ଗୁରୁତ୍ୱବହନ କରୁଛି । 

ଐତିହାସିକ ରାମଲୀଳା ମୈଦାନ

୧୯୬୧ ମସିହାରେ ଏହି ମୈଦାନରେ ଇଂଲଣ୍ଡର ରାଣୀ ଏଲିଜାବେଥଙ୍କୁ ଦେଖିବାକୁ ମିଳିଥିଲା । ତତକାଳିନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ ନେହେରୁଙ୍କ ସହ ରାମଲୀଳା ମୈଦାନରୁ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ଏଲିଜାବେଥ । ସେହିପରି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ ବାହାଦୂର ଶାସ୍ତ୍ରୀ ମଧ୍ୟ ଏହି ମୈଦାନରୁ 'ଜୟ ଯବାନ ଜୟ କିସାନ' ନାରା ଦେଇଥିଲେ । ଇନ୍ଦିରା ଗାନ୍ଧୀଙ୍କ ସମୟରେ ଜାରି ହୋଇଥିବା ଜରୁରୀକାଳିନ ପରିସ୍ଥିତି ବେଳେ ଏହି ମୈଦାନରେ କେତେ ଯେ ବିରୋଧ ପ୍ରଦର୍ଶନ ହୋଇଥିଲା ।

ଆହୁରି ପଢ଼ନ୍ତୁ; ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ଭିଡ଼ିଓ ଜାରି କରି ଧମକ ଦେଲେ ଆତଙ୍କୀ