କାହିଁକି ମୋଦି-ଶାହାଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ଝାରଖଣ୍ଡ ନିର୍ବାଚନ

ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ ପରେ ବିଜେପି ଛାତିରେ ପସିଛି ଛନକା

କାହିଁକି ମୋଦି-ଶାହାଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ଝାରଖଣ୍ଡ ନିର୍ବାଚନ
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ଆଉ କିଛି ଦିନ ପରେ ଆରମ୍ଭ ହେବ ଝାରଖଣ୍ଡ ନିର୍ବାଚନ । ଆଉ ଏ ନେଇ ବାଜିସାରିଛି ବିଗୁଲ । ନଭେମ୍ୱର ୩୦ରୁ ଆରମ୍ଭ ହୋଇ ଡିସେମ୍ୱର ମାସ ୨୦ ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ଆଉ ଝାରଖଣ୍ଡରେ ନିଜର ଝଣ୍ଡା ପୋତିବା ପାଇଁ ବିଜେପିକୁ ଗୋଟେଇବାକୁ ହେବ ବିପୁଳ ବଳ । ଆଉ ଏ ନେଇ ଏବେଠୁ ମୋଦି ଶାହାଙ୍କ ମୁଣ୍ଡବ୍ୟଥା ଆରମ୍ଭ ହୋଇଗଲାଣି ।

କାରଣ ନିକଟରେ ଶେଷ ହୋଇଥିବା ମହାରାଷ୍ଟ୍ର ଓ ହରିୟାଣାରେ ବିଜେପି ଏକାକୀ ମାଟି ତାଡ଼ି ପାରି ନ ଥିବା ବେଳେ ହରିୟାଣାରେ ସରକାର ଗଠନ ପାଇଁ ଦରକାର ହୋଇଥିଲା ମେଣ୍ଟ ସରକାର । ସେହିପରି ମହାରାଷ୍ଟ୍ରରେ ମଧ୍ୟ ମେଣ୍ଟ ସରକାର ଦରକାର ହୋଇଥିବା ବେଳେ ଛିଣ୍ଡି ନ ଥିଲା ମାଙ୍କଡ଼ ଭାଗ । ଏପରିକି ଆସନ ଲାଳସାରେ ଶିବସେନା ସହ ୩୦ ବର୍ଷର ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଛି । ଏହିପରି ସ୍ଥିତିରେ ପାଖେଇ ଆସିଲାଣି ଝାରଖଣ୍ଡ ନିର୍ବାଚନ । ଯେଉଁଠି ଲୋକଙ୍କୁ କେବଳ ଗେରୁଆ ରଙ୍ଗ ନୁହଁ ବରଂ ଭିନ୍ନ ଭିନ୍ନ ପ୍ରକାରର ରଙ୍ଗ ପସନ୍ଦ । ସମସ୍ତଙ୍କ ପସନ୍ଦକୁ ଗେରୁଆ କରିବା ପାଇଁ ଦଳକୁ ଜଟିଳ ଗଣିତକଷାର ସାମ୍ନା କରିବାକୁ ହେବ । 

ଏହା ହୁଏତ ସତ୍ୟ ଯେ ୨୦୧୪ ନିର୍ବାଚନରେ ବିଜେପି ୪୩ ଆସନ ଜିତି ସଂଖ୍ୟାଖେଳର ଖୁବ ନିକଟତର ହୋଇଥିଲା ଆଉ ସରକାର ଗଠନ କରିଥିଲା । ମାତ୍ର ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ ପରେ ବିଜେପି ଛାତିରେ ଛନକା ପଶିଯାଇଛି । ସେପଟେ ୨୦୧୮ ନଭେମ୍ୱର ବେଳକୁ ବିଜେପିର ମୁଖ୍ୟମନ୍ତ୍ରୀ ସଂଖ୍ୟା ୧୬ ଥିବାବେଳେ ବର୍ତ୍ତମାନ ତାହା ତଳକୁ ଖସି ୧୨ ପହଞ୍ଚିଛି । ୧୬ଟି ରାଜ୍ୟର ଶାସନଭାର ୧୨କୁ ଖସିବା ପରେ ବିଜେପି ଗମ୍ଭୀର ଚିନ୍ତାରେ ପଡ଼ିଛି । ଅନେକଙ୍କ ମତରେ ମୁଖ୍ୟ ତିନି ହିନ୍ଦିଭାଷୀ ରାଜ୍ୟରେ ପଦ୍ମ ଝାଉଁଳି ହାତ ଉପରକୁ ଉଠିବା ପରେ ୧୯ ନିର୍ବାଚନରେ ତାହା ପ୍ରତିଫଳନ କରିପାରେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ତାହ ନ ହୋଇ ମୋଦି ସରକାର ବିପୁଳ ଭୋଟରେ ପୁଣି ବିଜୟ ଲାଭ କରିଥିଲା । ଏତେ ବଡ଼ ବିଜୟ ଲାଭ ପରେ ବି ମହାରାଷ୍ଟ୍ର ଓ ହରିୟାଣା ହାତରୁ ଖସିଯିବା ବିଜେପି ସମ୍ମାନରେ ଦାଗ ଲଗାଇଛି । 

ଝାରଖଣ୍ଡ ନିର୍ବାଚନ ପାଇଁ ବିଜେପି ବର୍ତ୍ତମାନ ଯାଏ ନିଜର ସର୍ମଥକ ଦଳ ସହିତ ସିଟ ଭାଗବଣ୍ଟା ନେଇ କୈଣସି ସ୍ପଷ୍ଟୋକ୍ତି କରିନାହିଁ । ୨୦୧୪ରେ ଅଲ ଇଣ୍ଡିଆ ଷ୍ଟୁଣ୍ଡେଣ୍ଟ ୟୁନିୟନ (AJSU) ସହ ମେଣ୍ଟ କରି ବିଜେପି ସରକାର ଗଠନ କରିଥିଲା । ବିଜେପି AJSU ସହ ମିଶି ୮୧ ରୁ ୪୩ ସିଟ ଜିତି ମହାମେଣ୍ଟ କରିଥିବା କଂଗ୍ରେସ, ଆରଜେଡି, ଜେଡିୟୁ ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା(JMM)କୁ ପରାଜିତ କରିଥିଲା । ମାତ୍ର ବର୍ତ୍ତମାନ ବିଜେପି  AJSU ସହ ମେଣ୍ଟ କରିବ କି ନାହିଁ ସ୍ପଷ୍ଟ ନ କରି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଝାରଖଣ୍ଡ ରାଜ୍ୟ ୨୦୦୦ ମସିହାରୁ ସୃ୍ଷ୍ଟି ହେବା ଦିନରୁ ବିଜେପି ଓ AJSU କେବେ ଅଲଗା ଅଲଗା ନିର୍ବାଚନ ଲଢ଼ିନାହାନ୍ତି । ସେପଟେ AJSU ଓ ରାମ ବିଳାଶ ପାଶୱନଙ୍କ LJP ବିଜେପି ସହ ମିଶି ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଥିବାବେଳେ ଗତ ସପ୍ତାହରେ ଏକାକି ଲଢିବ ବୋଲି ଘୋଷଣା କରିଛି । ଯଦ୍ୱାରା AJSU ମଧ୍ୟ LJPର ଚଲାପଥ ଅବଲମ୍ୱନ କକିବାକୁ ବାଧ୍ୟ ହେଉଛି । ଆଉ ଏହା ବିଜେପି ପାଇଁ ବିପଦ ସଙ୍କେତ ଦେଉଛି । ଅପରପକ୍ଷରେ ବିରୋଧୀ ମଧ୍ୟ ସିଟ ଭାଗବଣ୍ଟା ସୁତ୍ର ଆପଣାଇ ପୁଣି ଥରେ ମହାମେଣ୍ଟ କରିବାର ଚିତ୍ର ସ୍ପଷ୍ଟ ହେଉଛି । 

ଏହି ସବୁ ଭିତରେ ବିଜେପିକୁ ବିଜୟ ଆଶା ଦୂର ଦେଖାଯାଉଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ରଘୁବର ଦାସ ନିଜର ଆସନ ୨୦୧୯ରେ ବଞ୍ଚାଇ ପାରୁଛନ୍ତି କି ନାହିଁ ତାହା ନିର୍ବାଚନ ଫଳାଫଳ ହିଁ କହିବ ।