ସାବରିମାଳା ମନ୍ଦିର ବିବାଦ କଣ ଓ କେଉଁ କାରଣରୁ ମହିଳାଙ୍କୁ ମିଳୁନି ପ୍ରବେଶ ଅନୁମତି?

କେଉଁ କାରଣରୁ ମହିଳାଙ୍କୁ ମିଳୁନି ପ୍ରବେଶ ଅନୁମତି

ସାବରିମାଳା ମନ୍ଦିର ବିବାଦ କଣ ଓ କେଉଁ କାରଣରୁ ମହିଳାଙ୍କୁ ମିଳୁନି ପ୍ରବେଶ ଅନୁମତି?
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: କେରଳର ପଥାନାମାଥିଟ୍ଟା ଜିଲ୍ଲାରେ ଥିବା ସାବରିମାଳା ଅଞ୍ଚଳରେ ଅବସ୍ଥିତ ସାବରିମାଳା ମନ୍ଦିର । ଏହି ମନ୍ଦିରକୁ ସାରା ବିଶ୍ୱରୁ ପ୍ରତିବର୍ଷ ୧୭ ରୁ ୫୦ ମିଲିୟନ ଭକ୍ତ ଆସିଥାଆନ୍ତି । ମନ୍ଦିରରେ ପୂଜା ପାଆନ୍ତି ହିନ୍ଦୁ ବ୍ରହ୍ମଚାରୀ ଦେବତା ଅୟାପ୍ପାନ । ଅୟାପ୍ପାନ ଶିବ ଓ ମୋହିନୀଙ୍କ ପୁତ୍ର ତଥା ବିଷ୍ଣୁଙ୍କ ମହିଳା ଅବତାର । ଅୟାପ୍ପାନଙ୍କୁ ହରିହର ପୁତ୍ର, ଶସ୍ତାଭୁ, ମଣିକାନ୍ତ ନାମରେ ମଧ୍ୟ ଆରାଧ୍ୟନା କରାଯାଇଥାଏ । 

ମନ୍ଦିରରେ ପୂଜା ପାଉଥିବା ଭଗବାନ ବ୍ରହ୍ମଚାରୀ ହୋଇଥିବାରୁ କେରଳ ହାଇକୋର୍ଟ ୧୯୯୧ ମସିହାରେ ୧୦ ରୁ ୫୦ ବର୍ଷର ମହିଳା ବା ଯୁବତୀଙ୍କ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଇଥିଲା । କୋର୍ଟ ଦେବସ୍ୱମ ବୋର୍ଡକୁ ମନ୍ଦିରର ପରମ୍ପରା ରାୟ କ୍ରମେ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ୨୦୧୮ ମସିହା ସେପ୍ଟେମ୍ୱର ୧୮ ତାରିଖରେ ସୁପ୍ରିମକୋର୍ଟ ତଳ କୋର୍ଟର ରାୟକୁ ଖାରଜ କରି ମହିଳାଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦେଇଥିଲେ । ଆଉ କହିଥିଲେ ଯେ ପୂର୍ବରୁ ଚଳିତ ଥିବା ରାୟ ଅସାମ୍ୱିଧାନିକ ଏବଂ ଭେଦଭାଦପୂର୍ଣ୍ଣ ।

ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଦୃଢ ବିରୋଧ କରାଯାଇଥିଲା । ମନ୍ଦିର ଖୋଲିବା ପରେ ମହିଳା ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ତୀବ୍ର ବିରୋଧ କରିଥିଲା ମନ୍ଦିର ପ୍ରଶାସନ । ଏପରିକି ମନ୍ଦିର ସମ୍ମୁଖ ପାଲଟିଯାଇଥିଲା ଋଣକ୍ଷେତ୍ର ।

ସାବରିମାଳା ମନ୍ଦିର କେବଳ ମଣ୍ଡଳପୂଜା ଅର୍ଥାତ ୧୫ ନଭେମ୍ୱରରୁ ୨୬ ଡିସେମ୍ୱର ମଧ୍ୟରେ ଖୋଲାଯାଇଥାଏ । ଆଉ ଏହି ସମୟରେ ଭକ୍ତ ଭଗବାନଙ୍କ ଦର୍ଶନ ପାଇବାର ସୁଯୋଗ ପାଇଥାଆନ୍ତି । ଏତଦ ବ୍ୟତୀତ ମକର ସଂକ୍ରାନ୍ତି ଓ ମହାବିଷୁବ ସଂକ୍ରାନ୍ତିରେ ମଧ୍ୟ ଭକ୍ତଙ୍କ ପାଇଁ ଭଗବାନଙ୍କ ଦ୍ୱାରାକୁ ଖୋଲା ଯାଇଥାଏ ।  

କାହିଁକି ମହିଳାଙ୍କୁ ମିଳୁନି ମନ୍ଦିର ପ୍ରବେଶ ଅନୁମତି...

ମନ୍ଦିର ପ୍ରଶାସନ ଓ ପୂଜକଙ୍କ ମତରେ ମନ୍ଦିରରେ ପୂଜା ପାଉଛନ୍ତି ଅବିବାହିତ ଅବା ନୈଷ୍ଟିକ ବହ୍ମଚାରୀ ଦେବତା ଅୟାପ୍ପାନ । ଆଉ ସେଥିପାଇଁ ୧୦-୫୦ ବର୍ଷର ମହିଳା ବା ନାରୀଙ୍କୁ ମନ୍ଦିର ମନା । କାରଣ ଏହି ସମୟରେ ମହିଳାଙ୍କ ଋତୁସ୍ରାବ ପ୍ରକ୍ରିୟା ଚାଲୁଥିବାରୁ ମହିଳାଙ୍କ ପ୍ରବେଶ ମନ୍ଦିରକୁ ଅଶୁଦ୍ଧି କରିଦେଇଥାଏ ବୋଲି ପୂଜକ ତଥା ମନ୍ଦିର ପ୍ରଶାସନ ଯୁକ୍ତି ବାଢ଼ି ପ୍ରବେଶରେ ରୋକ ଲଗାଇଥିଲେ । ସେପଟେ ମନ୍ଦିରରେ ପୂଜା ପାଉଥିବା ଭଗବାନ ସ୍ୱୟଂ ବିଷ୍ଣୁଙ୍କ ନାରୀ ଅବତାର ଆଉ ଭଗବାନ ନିଜେ ମଧ୍ୟ ଋତୁସ୍ରାବ ପ୍ରକିୟାର ଅର୍ନ୍ତଭୁକ୍ତ ହୋଇଥିବା ବେଳେ ମହିଳାଙ୍କ ପ୍ରବେଶରେ ବାଧା ଦେବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ଗର୍ଜିଥିଲେ ମହିଲା ସଙ୍ଗଠନ ।