ଅତି ଲେମ୍ୱୁ ଚିପୁଡ଼ିଲେ...

୫୬ ଇଞ୍ଚକୁ ୫୬ ଝଟକା!

ଅତି ଲେମ୍ୱୁ ଚିପୁଡ଼ିଲେ...
ସୌଜନ୍ୟ: ସୋସିଆଲ ମିଡିଆ

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: ମହାରାଷ୍ଟ୍ର ନିର୍ବାଚନରେ ୮୦ ଘଣ୍ଟାର ବିଜେପି ସରକାର ଭାଙ୍ଗିଯିବା ପରେ ସାରା ଦେଶରେ ଏବେ ଚର୍ଚ୍ଚା ଚାଲିଛି । ସୋସିଆଲ ମିଡିଆରେ ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହଙ୍କୁ ମଧ୍ୟ ଜବରଦସ୍ତ ଟ୍ରୋଲ୍ କରାଯାଇଛି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ମଧ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚାରିଆଡ଼େ ଏବେ ଚର୍ଚ୍ଚା ଆରମ୍ଭ ହେଲାଣି ଯେ, ଦିନକୁ ଦିନ ବିଜେପିର ଲୋକପ୍ରିୟତା ହ୍ରାସ ପାଇବା ଆରମ୍ଭ ହୋଇଯାଇଛି । ୨୦୧୪ ନିର୍ବାଚନ ସମୟରେ ଦେଶରେ ବିଜେପି ଯେଉଁଭଳି ଲୋକପ୍ରିୟତା ହାସଲ କରିଥିଲା, ଏହାର ହାର ଧୀରେ ଧୀରେ କମିବାରେ ଲାଗିଛି । ୨୦୧୭ ଡିସେମ୍ୱରରେ ଦେଶର ୭୧ ପ୍ରତିଶତ ରାଜ୍ୟରେ ବିଜେପି ଶାସନ କରିଥିବାବେଳେ ୨୦୧୯ ନଭେମ୍ୱର ସୁଦ୍ଧା ଏହା ୪୧ ପ୍ରତିଶତକୁ କମିଯାଇଛି । ମାତ୍ର ୨ ବର୍ଷ ଭିତରେ ବିଜେପିର ଏହି ନିମ୍ନଗାମୀ ପରିସଂଖ୍ୟନ ନିଶ୍ଚିତ ଭାବେ ଭକ୍ତଙ୍କୁ ବାଧୁଥିବ । କିନ୍ତୁ କଥାଟା ଶୁଣିବାକୁ କଷ୍ଟ ହେଲେ ବି ସତ ।

ମହାରାଷ୍ଟ୍ରରେ ଗେରୁଆ ଦଳ ନିଜର ୩୦ ବର୍ଷର ପୁରୁଣା ସାଥୀକୁ ଛାଡ଼ିବା ପରେ ବିରୋଧୀ ଏନସିପି ସହ ହାତ ମିଳାଇ ସରକାର ଗଠନ କରିଥିଲା । ରାତାରାତି ଡିଲ୍ କରି ଗତ ଶନିବାର ସକାଳୁ ସକାଳୁ ଫଡନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ମଧ୍ୟ ନେଇଥିଲେ । କିନ୍ତୁ ଏହି ସରକାର ମାତ୍ର ୮୦ ଘଣ୍ଟା ହିଁ ଚାଲି ପାରିଲା । ସଂସଦରେ ଶରଦ ପାୱାରଙ୍କୁ ମୋଦି ଭେଟିବା, ରାଜ୍ୟସଭାରେ ଏନସିପିକୁ ପ୍ରଶଂସା କରିବା ଭଳି ରଣନୀତି ପ୍ରସ୍ତୁତ କରିଥିଲା ବିଜେପି । ଏହାପରେ ଅତିଜ ପାୱାରଙ୍କୁ ପ୍ରଲୋଭନ ଦେଖାଇ ଦଳ ଭାବିଥିଲା ଯେ, ୫ ବର୍ଷ ସରକାର କରିବ । କିନ୍ତୁ ଶରଦ ପାୱାରଙ୍କ ବିଚକ୍ଷଣ ବୁଦ୍ଧି ବଳରେ ବିଜେପି ତାହା କରି ପାରିଲା ନାହିଁ । ଯାହା ଫଳରେ ଶିବସେନା-କଂଗ୍ରେସ ଓ ଏନସିପି ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିବେ । ଠାକରେ ପରିବାରରୁ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଶପଥ ଗ୍ରହଣ କରିବେ । ତେଣୁ, ବିଜନେସ୍ କ୍ୟାପିଟାଲ କୁହାଯାଉଥିବା ମୁମ୍ୱାଇରେ ଏବେ ଠାକରେ ରାଜ୍ ଚାଲିବ । ଶରଦ ପାୱାରଙ୍କ ରାଜନୀତି ଆଗରେ ଉଭୟ ମୋଦି ଓ ଶାହ ଫେଲ୍ ମାରିଛନ୍ତି ।

୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ଯେଉଁ ଆଶା କରୁଥିଲା, ତାହା ପୂରଣ ନହେଲେ ବି ଦଳ ପ୍ରଚଣ୍ଡ ବହୁମତ ପାଇ କେନ୍ଦ୍ରରେ ସରକାର ଗଠନ କରିଛି । କିନ୍ତୁ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଏବଂ ମହାରାଷ୍ଟ୍ରରେ ଦଳ ନିଜର ସତ୍ତା ହରାଇଛି । ହରିୟାଣାରେ ବି ଦଳ ଆଣ୍ଠେଇଥାନ୍ତା । କିନ୍ତୁ ଏଠାରେ ନିଜର ବିରୋଧୀ ଜେଜେପି ସହ ମେଣ୍ଟ କରି ଏବେ ସରକାର ଗଠନ କରିଛି ଗେରୁଆ ଦଳ । ଆଗକୁ ଝାଡ଼ଖଣ୍ଡରେ ନିର୍ବାଚନ ଅଛି । କିନ୍ତୁ ସେଠାରେ ବିଜେପି ହାତ ଛାଡ଼ି ଦେଇଛି ସୁଦେଶ ମହତୋଙ୍କ ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିୟନ ବା ଅଜୁସ୍ ।

୨୦୧୭ରେ ଜମ୍ମୁ କାଶ୍ମୀରରେ ବିଜେପି-ପିଡିପି ସହ ମିଶି ସରକାର ଗଠନ କରିଥିଲା । କିନ୍ତୁ ଏବେ ସେଠାରେ ରାଷ୍ଟ୍ରପତି ଶାସନ ଜାରି ରହିଛି । ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ୨୦୧୭ ମସିହାରେ ବିଜେପି ସରକାର ଥିବାବେଳେ ଏହି ତିନିଟି ରାଜ୍ୟରେ ଏବେ କଂଗ୍ରେସ ସରକାର ରହିଛି । ସେହିପରି ଆନ୍ଧ୍ର ପ୍ରଦେଶରେ ୨୦୧୭ ମସିହାରେ ବିଜେପି ଚନ୍ଦ୍ରବାବୁ ନାଇଡ଼ୁଙ୍କ ତେଲୁଗୁ ଦେଶମ୍ ପାର୍ଟି ସହ ମିଶି ସରକାର ଗଠନ କରିଥିଲା । କିନ୍ତୁ ଏବେ ସେଠାରେ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍ଆର୍ କଂଗ୍ରେସ ସରକାର ରହିଛି । ସେହିପରି ହରିୟାଣାରେ ୨୦୧୭ ମସିହାରେ ବିଜେପି ସରକାର ଥିଲା । କିନ୍ତୁ ଚଳିତବର୍ଷ ସେଠାରେ ଗେରୁଆ ଦଳକୁ ସରକାର ଗଠନ କରିବାରେ ଆଣ୍ଠେଇବାକୁ ପଡ଼ିଲା । ଶେଷରେ ବାଧ୍ୟ ହୋଇ ଜନନାୟକ ଜନତା ପାର୍ଟି ସହ ସୁଲାସତରା କରି ସରକାର ଗଠନ କରିଛି । ଦୁଷ୍ୟାନ୍ତ ଚୌତାଲାଙ୍କୁ ଉପମୁଖ୍ୟମନ୍ତ୍ରୀ କରି ଦଳ ଯେଭଳି କାର୍ଡ ଖେଳିଥିଲା, ତାହା କାହାକୁ ଅଛପା ନାହିଁ ।



୨୦୨୦ ମସିହାରେ ଦିଲ୍ଲୀ ଓ ବିହାରରେ ନିର୍ବାଚନ ହେବାକୁ ଥିବାବେଳେ ୨୦୨୧ରେ ଆସାମ, କେରଳ ଓ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବ । ଏସବୁ ରାଜ୍ୟ ମଧ୍ୟରୁ କେବଳ ଆସାମକୁ ଛାଡ଼ିଦେଲେ ବିଜେପି କେଉଁଠି ବି କ୍ଷମତାରେ ନାହିଁ । କେବଳ ବିହାରରେ ବିଜେପି, ଜେଡିୟୁ ସହ ମେଣ୍ଟ କରି ସରକାର ଗଠନ କରିଛି । ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି କ୍ଷମତାରେ ଥିବାବେଳେ କେରଳରେ ବାମ ଦଳ ଶାସନ କରୁଛି । ସେହିପରି ତାମିଲନାଡ଼ୁରେ ଏଆଇଡିଏମକେ ସରକାର ଅଛି । ତେଣୁ, ଏସବୁ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିବ ।

ଉତ୍ତମ ଶାସନ କରିବାକୁ ହେଲେ ବିଜୟୀ ଦଳକୁ ଆନ୍ତରିକ ସଂଯମତା ରକ୍ଷା କରିବା ଦରକାର, ଆଉ ଆନ୍ତରିକ ସଂଯମତାର ମୂଳ କେବଳ ବିନମ୍ରତାରେ ହିଁ ରହିଥାଏ । ଏହା ହେଉଛି ଚାଣକ୍ୟ ନୀତି । କିନ୍ତୁ ମହାରାଷ୍ଟ୍ରରେ ବିଜେପି ଯେଉଁଭଳି ଭାବେ କ୍ଷମତାର ଅପବ୍ୟବହାର କଲା, ତାହାର ମୂଲ ଆଗାମୀ ଦିନରେ ଦଳକୁ ହିଁ ଚୁକାଇବାକୁ ପଡ଼ିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।