ବସାକୁ ଫେରିବ କି ପକ୍ଷୀ ?

ସମୟ କହିବ କିଏ କାହାର?

ବସାକୁ ଫେରିବ କି ପକ୍ଷୀ ?
ସୌଜନ୍ୟ: ସୋସିଆଲ ମିଡିଆ

ଚାରୁ ଚନ୍ଦନ ଦାଶ,ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରୁ ସସପେନ୍ସ ହଟିଛି । ସରକାର ଗଠନକୁ ନେଇ ଲାଗିଥିବା ଛକାପଞ୍ଝାରେ ରାଜ୍ୟପାଳଙ୍କ ସୁପାରିସ, କେନ୍ଦ୍ର କ୍ୟାବିନେଟର ଅନୁମୋଦନ ଆଉ ସର୍ବୋପରି ରାଷ୍ଟ୍ରପତିଙ୍କ ମୋହର ବାଜିଛି । କଂଗ୍ରେସର ବିଳମ୍ୱିତ ନିଷ୍ପତ୍ତି ଏବଂ ଏନସିପିର ଅତି ଚତୁରତା ଯୋଗୁ ଆଜି ମହାରାଷ୍ଟ୍ରରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ବିଜେପିକୁ ସରକାର ଗଠନ ନେଇ ରାଜ୍ୟପାଳ ପ୍ରଥମେ ଆମନ୍ତ୍ରଣ କରିଥିଲେ ଏବଂ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବାକୁ ଦୁଇ ଦିନ ସମୟ ମଧ୍ୟ ଦେଇଥିଲେ । ମାତ୍ର, ଦଳ ପ୍ରଥମ ଦିନରେ ହିଁ ସରକାର ଗଠନ କରିବାକୁ ଅସମର୍ଥ ବୋଲି ରାଜ୍ୟପାଳଙ୍କୁ ଜଣାଇ ଦେଇଥିଲା । ଏହାପରେ ପାଳି ଆସିଥିଲା ଶିବସେନା ପାଖକୁ । ଏତେବେଳକୁ ଶିବସେନା ଓ ଏନସିପି ମିଳିତ ଭାବେ ସରକାର ଗଠନ କରିବେ ବୋଲି ରଣନୀତି ପ୍ରସ୍ତୁତ କରୁଥିଲେ । କିନ୍ତୁ ଉଭୟଙ୍କ ସଂଖ୍ୟା ମିଶାଇ ୧୧୦ ହେଉଥିବାରୁ ସରକାର ଗଠନ କରିବା ଅସମ୍ଭବ ହୋଇ ପଡ଼ିଥିଲା । ଏହି ସମୟରେ କଂଗ୍ରେସର ନିଷ୍ପତ୍ତି ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଯେହେତୁ କଂଗ୍ରେସ ଓ ଏନସିପି ମିଳିତ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ, ତେଣୁ ସମସ୍ତେ ଭାବୁଥିଲେ ଯେ କଂଗ୍ରେସ ବି ଧର୍ମନିରପେକ୍ଷ ନୀତିକୁ ଭୁଲି ଶିବସେନା ସହ ହାତ ମିଳାଇବ । କିନ୍ତୁ ତାହା ନୋହିଲା । ଦଳ ଧର୍ମନିରପେକ୍ଷତା ଭିତରେ ନିଜକୁ କାଏମ୍ ରଖିଲା ।

ଏହାତ ଗୋଟିଏ କାରଣ । ଅନ୍ୟ ଏକ ଦୋଷ ଦଳ ଉପରେ ଲଦା ଯାଉଛି ଯେ, ଦଳ ଠିକ୍ ସମୟରେ ନିଷ୍ପତ୍ତି ନେଇ ପାରିଲା ନାହିଁ । କାରଣ ରାଜନୀତିରେ ଚଟାପଟ୍ ଓ ଉପଯୁକ୍ତ ନିଷ୍ପତ୍ତି ହିଁ ସର୍ବଦା କାମରେ ଲାଗିଥାଏ । ବିଜେପି ଚାଣକ୍ୟ ଅମିତ ଶାହ ହେଉଛନ୍ତି ଏହାର ଏକ ବଡ଼ ଉଦାହରଣ । ଗୋଆ ଓ ମଣିପୁରରେ ବିଜେପି ଯେଉଁଭଳି ଭାବେ ସରକାର ଗଠନ କଲା, ତାହା କେବଳ ଶାହଙ୍କ ନିଷ୍ପତ୍ତି ଯୋଗୁ ହିଁ ସମ୍ଭବ ହୋଇ ପାରିଲା । ସେଥିପାଇଁ ରାଷ୍ଟ୍ରପତି ଶାସନ ଲାଗୁ ହେବା ପାଇଁ ସମସ୍ତେ କଂଗ୍ରେସର ବିଳମ୍ୱିତ ନିଷ୍ପତ୍ତିକୁ ହିଁ ଦାୟୀ କରୁଛନ୍ତି । ଏହାବାଦ୍ ଏନସିପି ମଧ୍ୟ ସେଲ୍ଫ ସାଇଡ୍ ଗୋଲରେ ପରାଜୟ ବରଣ କଲା ବୋଲି କୁହାଯାଉଛି । କାରଣ ଦଳ ହାତରେ ମଙ୍ଗଳବାର ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ସମୟ ଥିଲେ ମଧ୍ୟ ଏହା ଆଗୁଆ, ଅର୍ଥାତ୍ ସକାଳୁ ହିଁ ରାଜ୍ୟପାଳଙ୍କୁ ଆଉ ୨ ଦିନର ମହଲତ ମାଗି ଚିଠି ଲେଖି ବସିଲା । ଯାହା ଫଳରେ ରାଜ୍ୟପାଳ ନିଷ୍ପତ୍ତି ନେଇଗଲେ କି, ଏମାନଙ୍କୁ ଅଧିକ ସମୟ ଦିଆଯିବା ଉଚିତ ନୁହେଁ ।

ସେପଟେ ସୁଯୋଗ ବିଜେପିର ହାତଛଡ଼ା ହୋଇ ଯାଇଥିଲେ ବି, ପ୍ରଥମେ ଶିବସେନା, ପରେ କଂଗ୍ରେସ ଓ ଏବେ ଛାଡ଼ି ବିଜେପିରେ ଥିବା ଦଳର ନେତା ନାରାୟଣ ରାଣେ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି, ବିଜେପି ମହାରାଷ୍ଟ୍ରରେ ନିଶ୍ଚୟ ସରକାର ଗଢ଼ିବ । ମହାରାଷ୍ଟ୍ର ମହାଭାରତ ବି ୧୮ ଦିନ ଚାଲିଲା । କିନ୍ତୁ ଏହି ଯୁଦ୍ଧରେ କିଏ ବିଜୟ ଲାଭ କଲା ଏବଂ କିଏ ପରାସ୍ତ ହେଲା, ତାହା ଏଯାଏ ସ୍ପଷ୍ଟ ହୋଇନି । କାରଣ ପକ୍ଷୀ ସକାଳୁ ଘରୁ ବାହୁଡ଼ି ଗଲେ ସନ୍ଧ୍ୟାରେ ପୁଣି ଥରେ ବସାକୁ ଫେରି ଆସେ । ଠାକରେ ଯୁବରାଜଙ୍କୁ ମୁଖ୍ୟମନ୍ତ୍ରୀ କରିବାର ଜିଦରେ ଏନଡିଏ ହାତ ଛାଡ଼ିଥିବା ଶିବସେନା ପୁଣି ଥରେ ଏନଡିଏ ସହ ସାମିଲ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ଏବେ ତ ହାତରେ ଛଅ ମାସ ସମୟ ଅଛି । ଆଉ ରାଜନୀତିରେ ତ ଘଡ଼ିକେ ଘୋଡ଼ା ଛୁଟେ । ଏହି ପରିପ୍ରେକ୍ଷୀରେ ପ୍ରେସମିଟରେ ବିଜେପି ପ୍ରତି ସମ୍ପର୍କ ଛିନ୍ନ କରିବା କଥାକୁ ଦୋହରାଇଥିବା ଉଦ୍ଧବ ଠାକରେ ଏଇ ଛଅ ମାସ ଭିତରେ ନିଜର ନିଷ୍ପତ୍ତିକୁ ପୁଣିଥରେ ବଦଳାଇବାର ବି ସମ୍ଭାବନା ଅଛି । ତେଣୁ, 'ସମୟ' ନାମକ ବେଲାଳସେନ ହିଁ କହିବ, କିଏ ବିଜୟୀ ?