ଭିଜା ଭିଜା କାକରକୁ ନେଇ କନ୍ଧମାଳକୁ ଫେରିଛି ଶୀତ

ଲଘୁଚାପ ଜନୀତ ବର୍ଷା ପରେ କନ୍ଧମାଳକୁ ପୁଣି ଶୀତ ଫେରିଛି । ଶୀତ ଆସୁ ଆସୁ ତାର ପ୍ରକୋପ ଦେଖାଇବା ଆରମ୍ଭ କରିଛି ।

ଭିଜା ଭିଜା କାକରକୁ ନେଇ କନ୍ଧମାଳକୁ ଫେରିଛି ଶୀତ

କନ୍ଧମାଳ: ପାହାଡ ଓ ଜଙ୍ଗଲ ମଧ୍ୟରେ ପରିବେଷ୍ଠିତ ହୋଇ ରହିଛି କନ୍ଧମାଳ ଜିଲ୍ଲା । କନ୍ଧମାଳ ଜିଲ୍ଲା କହିଲେ ସାଧାରଣରେ ଚର୍ଚ୍ଚା ହୁଏ ଏହା ଏକ ଶୀତ ପ୍ରବଣ ଜିଲ୍ଲା । ଶୀତ ରୁତୁ ନ ଆସୁଣୁ ଏହି ଜିଲ୍ଲାକୁ ପ୍ରଥମେ ଶୀତର ଆଗମନ ହୋଇଥାଏ । ରାତି ପ୍ରାୟ ୮ ଟାରୁ କୁହୁଡି ଆରମ୍ଭ ହୋଇ ସକାଳ ପ୍ରାୟ ୮ଟା ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ କୁହୁଡି ଘନୀଭୁତ ହୋଇ ରହିଥାଏ । ଲଘୁଚାପ ଜନୀତ ବର୍ଷା ପରେ କନ୍ଧମାଳକୁ ପୁଣି ଶୀତ ଫେରିଛି । ଶୀତ ଆସୁ ଆସୁ ତାର ପ୍ରକୋପ ଦେଖାଇବା ଆରମ୍ଭ କରିଛି । ଲଘୁଚାପ ଓ ବର୍ଷା ର ଲୁଚକାଳି ଖେଳରେ କନ୍ଧମାଳକୁ ଟିକେ ବିଳମ୍ବ ହେଲେ ମଧ୍ୟ ଶୀତର ଆଗମନ ହୋଇଛି । କାର୍ତ୍ତିକ ମାସର ଶେଷ ସମୟରେ ଶୀତ ପହଞ୍ଚିଥିବା ଅନୁଭବ କରିଛନ୍ତି ସହରବାସୀ । 

ସକାଳ ୮ଟା ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ଘନ କୁହୁଡିର ଆସ୍ତରଣ । ସକାଳୁ ସକାଳୁ ଘନ କୁହୁଡିରେ ଘାସ ଗାଲିଚାରେ ଦେଖିବାକୁ ମିଳୁଛି କାକର ବିନ୍ଦୁ । ସେପଟେ ସକାଳର ପହିଲା ଶୀତକୁ ହାତଛଡ଼ା କରୁନାହାନ୍ତି ସହରବାସୀ । ହାଲକା ଶୀତର ମଜା ନେବା ସହ ଘାସ ଗାଲିଚା ଓ ଷ୍ଟାଡିୟମରେ ପ୍ରାତଭମଣ ସହ ହାଲକା ଶୀତ ଭିତରେ ମତୁଆଲା ଏବେ ସହରବାସୀ ।

ଧିରେ ଧିରେ କନ୍ଧମାଳକୁ ଆସିବାକୁ ଆରମ୍ଭ କଲେଣି ପର୍ଯ୍ୟଟକ । ଦୈନନ୍ଦିନ ଜୀବନ ଯାପନରେ ଲୋକଙ୍କ ଅଦଳବଦଳ ଆସିଯାଇଛି ।  ହାଲକା ହାଲକା ଶୀତ, ଘନ କୁହୁଡି ସାଙ୍ଗକୁ ଚା ଢୋକର ମଜା ନେଉଛନ୍ତି ପ୍ରାତଃ ଭ୍ରମଣରେ ଅସୁଥିବା ଭ୍ରମଣକାରୀ ।