ନଭେମ୍ବର ୧୩ରୁ ବିଧାନସଭାର ଶୀତ ଅଧିବେଶନ, ବଜେଟର ଆକାରକୁ ନେଇ ଚର୍ଚ୍ଚା ଆରମ୍ଭ
ପ୍ରାୟ ୮୩୦୦ କୋଟି ଟଙ୍କା ହୋଇପାରେ ଅତିରିକ୍ତ ବଜେଟର ଅଟକଳ!
Trending Photos
)
ଯଯାତି ମହାନ୍ତି, ଭୁବନେଶ୍ୱର: ନଭେମ୍ବର ୧୩ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ପ୍ରଥମ ଦିନରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପନ କରିବେ । ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦ ପକ୍ଷରୁ ଅନୁମୋଦନ ମିଳିଛି । ହେଲେ ଅତିରିକ୍ତ ବଜେଟର ଆକାରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପ୍ରାୟ ୮୩୦୦ କୋଟି ଟଙ୍କା ହୋଇପାରେ ଅତିରିକ୍ତ ବଜେଟର ଅଟକଳ । ଗତବର୍ଷ ଅପେକ୍ଷା ଏଥର ଅଟକଳ କମ୍ ଥିବାରୁ ସମୀକ୍ଷକମାନେ ଏହାକୁ ତର୍ଜମା ଆରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଅନୁଦାନ ମିଳିବାକୁ ଥିବା ବେଳେ କାଳିଆ ଯୋଜନା ପାଇଁ ବି ବ୍ୟୟ ବରାଦ ହେବ ଅତିରିକ୍ତ ବଜେଟରେ । ହେଲେ ସପ୍ତମ ବେତନ କମିଶନ ଅନୁସାରେ ବକେୟା ଦରମା ପାଇବାକୁ ସରକାରୀ କର୍ମଚାରୀ ଚାହିଁ ବସିଥିବା ବେଳେ ଏଥର ଅତିରିକ୍ତ ବଜେଟରେ ଏହାର ସମ୍ଭାବନା କମ୍ ରହିଛି ବୋଲି ସୀମକ୍ଷକ ମତ ଦେଇଛନ୍ତି ।
୨୦୧୯-୨୦ରେ ରାଜ୍ୟ ସରକାରଙ୍କ ମୂଳ ବଜେଟର ପରିମାଣ ଥିଲା ୧ଲକ୍ଷ ୩୯ହଜାର କୋଟି ଟଙ୍କା । ଏବେ ଆସିବ ଅତିରିକ୍ତ ବଜେଟ । ୨୦୧୮-୧୯ରେ ମୂଳ ବଜେଟ ୧ଲକ୍ଷ ୨୦ହଜାର କୋଟି ଟଙ୍କା ଥିବା ବେଳେ ଅତିରିକ୍ତ ବଜେଟର ପରିମାଣ ଥିଲା ୧୨ ହଜାର ୭୯୦ କୋଟି । ହେଲେ ଏଥର ଅତିରିକ୍ତ ବଜେଟର ପରିମାଣ ପ୍ରାୟ ୮ହଜାର ୩୦୦କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ଗତବର୍ଷ ଅପେକ୍ଷା ଏଥର ଅତିରିକ୍ତ ବଜେଟ ପରିମାଣ କମ୍ ଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟ ରାଜକୋଷରେ ଅର୍ଥ ନଥିବାରୁ ବଜେଟ ପରିମାଣ କମିଛି ବୋଲି ଆଲୋଚନା ହେଉଛି । ତାସାଙ୍ଗକୁ ସାରା ଦେଶରେ ମାନ୍ଦା ଅର୍ଥନୀତି ମଧ୍ୟ ଆଉ ଏକ ସମସ୍ୟା ହୋଇଛି । କେନ୍ଦ୍ରୀୟ ପ୍ରବର୍ତିତ ଯୋଜନାରୁ ରାଜ୍ୟ ସରକାର ଆହୁରି ୭୫୪୪କୋଟି ଟଙ୍କା ପାଇବାକୁ ବାକି ଅଛି । ଏହାର ପ୍ରଭାବ ଦେଖିବାକୁ ମିଳିଛି ରାଜ୍ୟର ଅତିରିକ୍ତ ବଜେଟରେ ।
ପଞ୍ଚମ ପାଳି ସରକାରକୁ ଆସିବା ପରେ ରାଜ୍ୟରେ ଲାଗୁ ହୋଇଛି ୫-ଟି ଏବଂ ମୋ ସରକାର ଯୋଜନା । ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଜିଲ୍ଲା ଗସ୍ତ କରୁଛନ୍ତି । ଲୋକଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଂଚାଉଛନ୍ତି । ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଅନେକ ଜିଲ୍ଲାରେ ବିଭିନ୍ନ ପ୍ୟାକେଜ୍ ଘୋଷଣା କରିଛନ୍ତି । ଅତିରିକ୍ତ ବଜେଟରେ ଏହାର ଝଲକ ଦେଖିବାକୁ ମିଳିବ । ସେହପିରି କାଳିଆ ଯୋଜନାରେ ଦ୍ୱିତୀୟ କିସ୍ତି ଦେବାକୁ ସରକାର ଘୋଷଣା କରିଥିବାରୁ ଅତିରିକ୍ତ ବଜେଟରେ ମଧ୍ୟ ଏଥିପାଇଁ ବ୍ୟବସ୍ଥା ରହିବ । ହେଲେ ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ବକେୟା ଦରମା ପାଇବାକୁ ଅପେକ୍ଷା କରିଥିବା ସରକାରୀ କର୍ମଚାରୀଙ୍କ ପାଇଁ ଏଥର ଅତିରିକ୍ତ ବଜେଟରେ ବ୍ୟବସ୍ଥା ନାହିଁ ବୋଲି ସମୀକ୍ଷକ ମତ ଦେଇଛନ୍ତି । ଏଥିପାଇଁ ଆର୍ଥୀକ ମାନ୍ଦାବସ୍ଥା ଦାୟୀ । ଅତିରିକ୍ତ ବଜେଟରେ ପକାଘର ପାଇଁ ମଧ୍ୟ ବ୍ୟୟ ବରାଦର ସମ୍ଭାବନା ରହିଛି ।
ମୂଳ ବଜେଟରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ୬ହଜାର ୭୦୭କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ପଞ୍ଚାୟତିରାଜ ବିଭାଗ ପାଇଁ ୧୫ହଜାର ୮୯୯କୋଟି ଟଙ୍କାର ବ୍ୟବସ୍ଥା ହୋଇଥିଲା । ମୂଳ ବଜେଟରେ ହୋଇଥିବା ବ୍ୟୟ ଅଟଳଳକୁ ଯେଉଁ ବିଭାଗ ଅଧିକ ଖର୍ଚ୍ଚ କରିଥିବେ, ସେହି ବିଭାଗକୁ ଅତିରିକ୍ତ ବଜେଟରେ ଅଧିକ ଅର୍ଥ ମିଳିବ ବୋଲି ଜଣାପଡ଼ିଛି ।