)
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଭଦୋହୀ ଜିଲ୍ଲାରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ସ୍ୱାମୀ ସହ ଝଗଡ଼ା ହେବାରୁ ନିଜ ୫ ସନ୍ତାନକୁ ହତ୍ୟା କରିବସିଛି ସ୍ତ୍ରୀ । ଗଙ୍ଗାନଦୀରେ ବୁଡ଼ାଇ ଏପରି ହତ୍ୟା କରିଥିବା ପୋଲିସ କହିଛି । ଆଉ ଏ ଘଟଣା ସମଗ୍ର ରାଜ୍ୟରେ ଚହଳ ପକାଇ ଦେଇଛି ।
ପୋଲିସର ସୂଚନା ମୁତାବକ, ଘଟଣାଟି ଭଦୋହୀ ଜିଲ୍ଲା ଗୋପୀଜଙ୍ଗ ଥାନା ଅନ୍ତର୍ଗତ ଜାହାଙ୍ଗୀରବାଦ ଅଞ୍ଚଳର । ଏସପି ରାମ ବଦନ ସିଂହଙ୍କ କହିବା ଅନୁସାରେ, ଏହି ଅଞ୍ଚଳରେ ରହୁଥିବା ଅଭିଯୁକ୍ତ ମହିଳା ମଞ୍ଜୁଙ୍କ ସ୍ୱାମୀ ମୃଦୁଳ ଯାଦବ ଝାଡ଼ଖଣ୍ଡରେ ରୁହନ୍ତି । ଶନିବାର ବିଳମ୍ବିତ ରାତିରେ ମଞ୍ଜୁ ନିଜର ୫ ସନ୍ତାନକୁ ନେଇ ଘରୁ ବାହାରିଥିଲେ । ରାତି ପାଖାପାଖି ୨ଟାରେ ଗାଁ ନିକଟରେ ଥିବା ଗଙ୍ଗାନଦୀରେ ପିଲାମାନଙ୍କୁ ବୁଡ଼ାଇ ଦେଇଥିଲେ ଅଭିଯୁକ୍ତ ମହିଳା ମଞ୍ଜୁ ।
ତେବେ ପିଲାଙ୍କ ଚିତ୍କାର ଶୁଣି ଗାଁ ଲୋକ ନଦୀକୂଳରେ ପହଞ୍ଚିଥିଲେ । ହେଲେ ରାତି ଅଧିଆ ଏପ୍ରକାର ଘଟଣା ଦେଖି ସମସ୍ତେ ଡରି ଯାଇଥିଲେ । ଏପରିକି ଘରକୁ ପଳାଇଥିଲେ । କିନ୍ତୁ ରାତିସାରା ନଦୀ ପଠାରେ ବସି ରହିଥିଲେ ମଞ୍ଜୁ । ରବିବାର ସକାଳୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ । ପରେ ମଞ୍ଜୁଙ୍କୁ ପଚରାଉଚରା କରିବାରୁ ସବୁକିଛି ଖୁଲାସା ହୋଇଛି ।
ଏସପି ରାମ ବଦନ ଯାହା ସୂଚନା ଦେଇଛନ୍ତି, ମଞ୍ଜୁ ନିଦ ଦୋଷ ସ୍ୱୀକାର କରିଥିଲେ । ନିଜ ସ୍ୱାମୀ ଦୀର୍ଘ ଦିନ ହେଲା ଝଗଡ଼ା କରୁଥିବାରୁ ମଞ୍ଜୁ କୁଆଡ଼େ ଏପରି କାଣ୍ଡ ଭିଆଇଛନ୍ତି । ମଞ୍ଜୁଙ୍କ ବୟସ ୩୬ ବର୍ଷ । ତାଙ୍କ ସନ୍ତାନମାନେ ହେଲେ ଆୟୁ ଆରତୀ(୧୨), ସରସ୍ୱତୀ (୧୦), ମାତେଶ୍ୱରୀ(୮), ଶିବଶଙ୍କର(୬) ଏବଂ କେଶବ (୪) । ତେବେ ଏପର୍ଯ୍ୟନ୍ତ ଶିଶୁମାନଙ୍କ ମୃତଦେହ ପାଣି ମଧ୍ୟରୁ ଉଦ୍ଧାର ହୋଇନଥିବା ପୋଲିସ କହିଛି । ପୁରା ଘଟଣାର ତଦନ୍ତ ଜାରି ରହିଛି ।