ସାମାଜିକ ଦୂରତା ରକ୍ଷା କରି ୫୦ ପ୍ରତିଶତ ଶ୍ରମଶକ୍ତିର ବ୍ୟବହାର କରି ଚା ବଗିଚା କାର୍ଯ୍ୟକୁ ଜାରି ରଖିବାକୁ ମିଳିଛି ସରକାରୀ ଅନୁମତି।
Trending Photos
କୋଲକାତା: ଭାରତୀୟ ଏବଂ ଚା ମଧ୍ୟରେ ସମ୍ପର୍କ ବେଶ ପୁରୁଣା। ଏଥିପାଇଁ ଚା ଖଟିରେ ଜମି ଥାଏ ବେଶ ଭିଡ। ସକାଳୁ ସଞ୍ଜ ସବୁବେଳେ ଚଳଚଞ୍ଚଳ ଥାଏ ଏହି ସ୍ଥାନ। ବର୍ତ୍ତମାନ ଦେଶ ବ୍ୟାପୀ ଜାରି ରହିଥିବା ଲକ ଡାଉନ ଯୋଗୁଁ ଏଥିରୁ ଦେଖିବାକୁ ମିଳିଛି ବ୍ୟତିକ୍ରମ। ଏପରିକି ଚା ଚାଷ କରାଯାଉଥିବା ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଛି।
ହେଲେ ସଦ୍ୟ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି। ଚା ଚାଷକୁ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ମିଳିଛି ସରକାରୀ ନିର୍ଦ୍ଦେଶ। ଆଉ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି ପଶ୍ଚିମବଙ୍ଗ ସରକାର। ପ୍ରାୟ ୫୦ ପ୍ରତିଶତ ଶ୍ରମଶକ୍ତି ସହଯୋଗରେ ଚା ବଗିଚାରେ ହେଉଥିବା କାମକୁ ପୁଣି ଥରେ ଚାଲୁ କରିବା ପାଇଁ ମିଳିଛି ଅନୁମତି।
ଦେଶରେ ତୃତୀୟ ପର୍ଯ୍ୟାୟ ଲକ ଡାଉନ ସମ୍ପ୍ରସାରିତ ହେବା ବେଳେ ଗ୍ରାମାଞ୍ଚଳରେ କୃଷି ଏବଂ ନିର୍ମାଣ କ୍ଷେତ୍ରରେ ହେଉଥିବା କାର୍ଯ୍ୟକୁ ଆରମ୍ଭ କରିବା ନେଇ ଜଣାଇଥିଲେ କେନ୍ଦ୍ର ସରକାର । ଏଥିପାଇଁ ଜାରି ହୋଇଥିଲା ଗାଇଡଲାଇନ। କାର୍ଯ୍ୟ କରିବା ବେଳେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଦିଆଯାଇଥିଲା ଗୁରୁତ୍ୱ। କାର୍ଯ୍ୟକ୍ଷେତ୍ରରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶ୍ରମଶକ୍ତି ବ୍ୟବହାର କରିବାକୁ ଦିଆଯାଇଥିଲା ନିର୍ଦ୍ଦେଶ।
ଏହି କ୍ରମରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଚା ବଗିଚା କାମ କରିବା ବେଳେ ଉପରୋକ୍ତ ଗାଇଡ ଲାଇନ ପାଳନ କରିବାକୁ ଜଣାଇ ଦିଆଯାଇଛି। ଏହା ସହିତ ଏକ ସମୟରେ କର୍ମକ୍ଷେତ୍ରରେ ସର୍ବାଧିକ ପଚାଶ ପ୍ରତିଶତ ଲୋକଶକ୍ତିର ବ୍ୟବହାର କରିବାକୁ ରାଜ୍ୟ ସରକାରଙ୍କ ଅନୁମତି ମିଳିଛି। ଏହାକୁ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କ ଉଦ୍ଦେଶ୍ୟରେ ଜଣାଇ ଦିଆଯାଇଛି।