ରାଉରକେଲା ସ୍ମାର୍ଟ ସିଟିରେ ଚାଲିଛି ନିମ୍ନ ଧରଣର ସ୍ୱରେଜ କାମ
Advertisement

ରାଉରକେଲା ସ୍ମାର୍ଟ ସିଟିରେ ଚାଲିଛି ନିମ୍ନ ଧରଣର ସ୍ୱରେଜ କାମ

 ଇସ୍ପାତ ନଗରୀରେ ବିଭାଗ-ବିଭାଗ ମଧ୍ୟରେ ରହୁନି ତାଳମେଳ। ହଇରାଣ ହେଉଛନ୍ତି ସାଧାରଣ ଲୋକ।  ଦେଢ଼ ବର୍ଷ ଧରି ଲୋକଙ୍କୁ ହଇରାଣ କରିବା ପରେ ଏବେ ଚାଲିଛି ପାଇପ ବିଛା କାର୍ଯ୍ୟ।  ସମାନ ରାସ୍ତାକୁ ପୁଣି ଖୋଳୁଛି ପ୍ରଶାସନ।  

 ରାଉରକେଲା ସ୍ମାର୍ଟ ସିଟିରେ ଚାଲିଛି ନିମ୍ନ ଧରଣର ସ୍ୱରେଜ କାମ

ରାଉରକେଲା: ଇସ୍ପାତ ନଗରୀ ରାଉରକେଲା ସହର। ଇସ୍ପାତ କାରଖାନାକୁ ନେଇ ଏକଦା ରାଜ୍ୟ ତଥା ଦେଶର ଏକ ପ୍ରମୁଖ ସହର ଭାବରେ  ବେଶ୍ ଖ୍ୟାତି ରହିଥିଲା। ଦେଶର ବିଭିନ୍ନ ଅଞ୍ଚଳର ଲୋକମାନେ ଏଠାରେ ବସବାସ କରିବା ସହିତ ରାସ୍ତା ଘାଟ, ପାନୀୟ ଜଳ, ପରିମଳ ସମସ୍ତ କ୍ଷେତ୍ରରେ ସ୍ୱତନ୍ତ୍ରତା ଥିବା ଏହି ସହରକୁ ମିଳିଥିଲା ମିନି ଇଣ୍ଡିଆର ଆଖ୍ୟା। ହେଲେ ଉଚିତ୍ ସମନ୍ୱୟର ଅଭାବ ଯୋଗୁଁ ସମୟ ସହିତ ତାଳ ଦେଇ ଆବଶ୍ୟକୀୟ ପ୍ରଗତି ହୋଇପାରି ନ ଥିବା ବର୍ତ୍ତମାନ ସହରକୁ ଅନେକ ପଛକୁ ଠେଲି ଦେଇଛି। 

ଓଡ଼ିଶାର ପ୍ରଥମ ପ୍ଲାନିଂ ସହର ଇସ୍ପାତ ନଗରୀ ରାଉରକେଲା ଏବେ ସ୍ମାର୍ଟସିଟି। ଯାହାକୁ ନେଇ ସହରକୁ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ସାମିଲ କରାଯାଇଛି। କାର୍ଯ୍ୟ ମଧ୍ୟ ଚାଲିଛି। ହେଲେ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଅନେକ କାମର ସଠିକ୍ ତ୍ୱରାନ୍ୱିତ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି। କେଉଁଠି ବିଭିନ୍ନ ପ୍ରତିବାଦ ଯୋଗୁଁ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଅଟକି ରହିଛି, ତ ଆଉ କେଉଁଠି କାମ ଅଧପନ୍ତରିଆ ରଖି ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି ଠିକାଦାର। 

ରାଉରକେଲାରେ ଥିବା ଏସିଆର ସର୍ବବୃହତ ହାଉସିଂବୋର୍ଡ କଲୋନୀ, ଛେଣ୍ଡ କଲୋନୀର  ଚାଲୁଥିବା ସ୍ୱରେଜ କାମ ଦେଢ ବର୍ଷ ହେବ ଲୋକଙ୍କୁ ନୟାନ୍ତ କରି ରଖିଥିବା ବେଳେ ବାରମ୍ବାର ଅଭିଯୋଗ ପରେ କିଛିଟା ମରାମତି ବିଭାଗ ପକ୍ଷରୁ କରାଯାଇଥିଲା। କିନ୍ତୁ କାମଚଳା ମରାମତିର ମାସେ ନ ପୁରୁଣୁ  ପିଏଚଡି ତରଫରୁ ଅମୃତ ଯୋଜନାରେ ଆରମ୍ଭ ହୋଇଛି ପାନୀୟ ଜଳ ଯୋଗାଣ ପାଇଁ ପାଣି ପାଇପ ବିଛା କାର୍ଯ୍ୟ। ଯାହାକୁ ନେଇ ପୁଣି ଥରେ ସମାନ ରାସ୍ତାକୁ ବିଭାଗ ଖୋଳିବା ଆରମ୍ଭ କରିଛି। ଯାହାକୁ ନେଇ ଲୋକେ ପୁନର୍ବାର ଅସୁବିଧାର ସମ୍ମୁଖୀନ ହେବା ସହ କୋଟି କୋଟି ଟଙ୍କା ବିନିଯୋଗରେ କରାଯାଇଥିବା ସ୍ୱରେଜ କାର୍ଯ୍ୟ ଉପରେ ଏହି ପାଇପଲାଇନ ବିଛା କାର୍ଯ୍ୟ ଯୋଗୁଁ ସ୍ୱରେଜ କାର୍ଯ୍ୟ କ୍ଷତିଗ୍ରସ୍ତ ହେବା ନେଇ ସୃଷ୍ଟି ହୋଇଛି ଆଶଙ୍କା।

ଓଡ଼ିଶାର ସର୍ବପ୍ରଥମ ପ୍ଳାନିଂ ସହର ଏବେ ସମନ୍ୱୟର ଅଭାବ ଯୋଗୁଁ ପାଲଟିଛି ଜନସାଧାରଣଙ୍କ ଅସୁବିଧାର କାରଣ। ଏସବୁକୁ ନେଇ ପ୍ରଶାସନ ଓ ଅଧିକାରୀ କି ପଦକ୍ଷେପ ନେଉଛନ୍ତି ତାକୁହିଁ ଅପେକ୍ଷା।