ଦୀର୍ଘ ୧୦ ବର୍ଷ ହେଲାଣି ଜାରି ରହିଛି ସେମାନଙ୍କ ଆନ୍ଦୋଳନ
Trending Photos
ହିମାଂଶୁ ଶେଖର ସାମଲ, ଭୁବନେଶ୍ୱର: ଦୀର୍ଘ ୧୦ ବର୍ଷ ହେଲାଣି ସେମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଦୁଇ ଦୁଇ ଥର ସାଧାରଣ ନିର୍ବାଚନ ସରିଗଲାଣି, ତଥାପି ସେମାନଙ୍କ ଦାବି ପୂରଣ ହୋଇ ପାରିନି । ଆମେ କହୁଛୁ କୋରାପୁଟ ଜିଲ୍ଲାରେ ରହୁଥିବା ଦୋରା ସମ୍ପ୍ରଦାୟଙ୍କ କଥା । ପଡୋଶୀ ଆନ୍ଧ୍ର ପ୍ରଦେଶରେ ଏମାନେ ଆଦିବାସୀ, କିନ୍ତୁ ଓଡ଼ିଶାରେ ଓବିସି । ଆଦିବାସୀଙ୍କ ଭଳି ଜୀବନ ଯାପନ କରୁଥିବା ଦୋରା ସମ୍ପ୍ରଦାୟ ଆଦିବାସୀ ମାନ୍ୟତା ପାଇବା ପାଇଁ ଲଢେଇ ଜାରି ରଖିଛି। ଚାଲନ୍ତୁ ଓଲଟାଇବା ଖବର ଡାଏରୀର ପରବର୍ତ୍ତୀ ପୃଷ୍ଠା ଆଉ ଦେଖିବା ଏହି ରିପୋର୍ଟ ।
ଏ ହେଉଛି ପଟାଙ୍ଗି ବ୍ଲକ ରାଲେଗାଡା ପଞ୍ଚାୟତର ମାଡାବାଲସା ଗାଁ । ଏଠାରେ ରହୁଛନ୍ତି ଦୋରା ସମ୍ପ୍ରଦାୟର ଲୋକ । ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର । ବିପଦସଙ୍କୁଳ ଅବସ୍ଥାରେ ରହୁଛନ୍ତି ଲୋକେ । କେତେକ ଲୋକ କାଠ ଭରା ଦେଇ ଘର କାନ୍ଥକୁ ମଜଭୁତ ରଖିଛନ୍ତି । କେତେକ ଲୋକେ ନିଜ ରୋଜଗାର ଅର୍ଥରେ ଆଜବେଷ୍ଟସ ପକାଇଥିବା ବେଳେ, ପବନରେ ଉଡିଯିବା ଭୟରେ ଏହା ଉପରେ ଓଜନିଆ ଜିନିଷ ରଖିଛନ୍ତି । ଲୋକେ ରହୁଥିବା ଦୟନୀୟ ଅବସ୍ଥା ସମ୍ପର୍କରେ ବାରମ୍ବାର ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଆଦିବାସୀ ହୋଇ ନ ଥିବା ଯୋଗୁଁ ସେମାନଙ୍କ କଥା କେହି ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଆଦିବାସୀଙ୍କ ଭଳି ଜୀବନ ଯାପନ କରୁଥିବା ଦୋରା ସମ୍ପ୍ରଦାୟର ଲୋକେ ଆନ୍ଧ୍ରରେ ଆଦିବାସୀ ମାନ୍ୟତା ପାଇଛନ୍ତି । କିନ୍ତୁ ଓଡ଼ିଶାରେ ଏମାନେ ଓବିସି ଶ୍ରେଣୀର ହୋଇଥିବାରୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । କୋଟିଆ ପଞ୍ଚାୟତର ଆନ୍ଧ୍ର ସୀମାବର୍ତ୍ତି ନେରେଡିବାଲସା, ତାଡିବାଲସା ଓ ଆର୍ଜୁବାଲସା ଗାଁରେ ରହୁଥିବା ଦୋରା ସମ୍ପ୍ରଦାୟର ଲୋକେ ଆନ୍ଧ୍ରରେ ଆଦିବାସୀ ମାନ୍ୟତା ପାଇବା ସହିତ ସମସ୍ତ ସୁବିଧା ସୁଯୋଗ ପାଉଛନ୍ତି । ସେଠାକାର ପିଲାମାନେ ଆନ୍ଧ୍ରରେ ପାଠ ପଢୁଛନ୍ତି ଓ ସେମାନଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ କରାଯାଉଛି । କିନ୍ତୁ ଓଡ଼ିଶା ପକ୍ଷରୁ ସେମାନଙ୍କୁ କିଛି ବି ସୁବିଧା ଯୋଗାଇ ଦିଆ ଯାଉ ନ ଥିବା ଅଭିଯୋଗ କରିଛନ୍ତି ।
୧୯୧୮ ମସିହାରୁ ୧୯୫୦ ପାର୍ଯ୍ୟନ୍ତ ଦୋରା ଲୋକଙ୍କୁ ବନବାସୀ ଆଖ୍ୟା ଦିଆଯାଇଥିଲା । ଏବେ କିପରି ସେମାନେ ଓବିସି ହେଲେ ? ତାକୁ ନେଇ ପ୍ରଶ୍ନ କରିଛି ଦୋରା ସମ୍ପ୍ରଦାୟ । ଏହାକୁ ବିରୋଧ କିରବା ସହ ହାତରେ ପ୍ଲା କାର୍ଡ ଧରି ଆଦିବାସୀ ମାନ୍ୟତା ଦାବି ନେଇ ଗତ ୨୦୦୮ ମସିହାରୁ ଆନ୍ଦୋଳନ ଚଲାଇ ଆସିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଦାବି ପୂରଣ ହୋଇପାରୁନି । ଏପରିକି, ଗତ ସାଧାରଣ ନିର୍ବାଚନ ପୂର୍ବରୁ ପଟାଙ୍ଗି ପୂର୍ବତନ ବିଧାୟକଙ୍କ ବାସ ଭବନ ଆଗରେ ଦୋରା ସମାଜ ପକ୍ଷରୁ ଧାରଣା ଦିଆଯାଇଥିଲା । ଆଗାମୀ ଦିନରେ ଦାବି ପୂରଣ ନହେଲେ ଦୋରା ସମ୍ପ୍ରଦାୟ ସଂଘ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇବବୋଲି ଚେତାବନୀ ଦେଇଛି ।
ସେପଟେ ଦୋରା ସମ୍ପ୍ରଦାୟ ରହୁଥିବା ଗାଁ ଗୁଡିକ ଏବେ ବି ଅବହେଳିତ । ଗାଁ କୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ । ପାନୀୟ ଜଳର ସୁବିଧା ଓ ସ୍ୱାସ୍ଥ୍ୟ ସେବା କଥା ନ କହିବା ଭଲ । ଗାଁରେ ଶୌଚାଳୟ ମଧ୍ୟ ନିର୍ମାଣ କରାଯାଇନାହିଁ । ଅଧିକାଂଶ ଦୋରା ସମ୍ପ୍ରଦାୟର ପିଲାମାନେ ଆନ୍ଧ୍ରରେ ପାଠ ପଢୁଛନ୍ତି । ଦୋରା ସମ୍ପ୍ରଦାୟର ଦାବି ସମ୍ପର୍କରେ ଅବଗତ ଅଛନ୍ତି । ଏ ଦିଗରେ ଅନୁଧ୍ୟାନ କରିବା ପାଇଁ ଏକ ଟିମ ଜିଲ୍ଲାର ବିଭିନ୍ନ ଗାଁ ଗସ୍ତ କରି ଅନୁଧ୍ୟାନ କରି ବା ସହ ଏକ ରିପୋର୍ଟ ପ୍ରଦାନ କରିବା ପରେ ପଦକ୍ଷେପ ନିଆଯିବ ବୋଲି ପଟାଙ୍ଗି ବିଧାୟକ କହିଛନ୍ତି ।
କୋରାପୁଟ ଜିଲ୍ଲାରେ ଯେ, କେବଳ ଦୋରା ସମ୍ପ୍ରଦାୟ ଆଦିବାସୀ ମାନ୍ୟତା ଦାବୀ କରୁଛନ୍ତି ତା ନୁହେଁ, ଏଥିରେ ଏବେ ସାମିଲ ହୋଇଛନ୍ତି ମାଳି, ରଣା, କମାର ଆଦି ସମ୍ପ୍ରଦାୟର ଲୋକେ । ତେବେ ୧୦ ବର୍ଷ ହେଲାଣି ଆଦିବାସୀ ମାନ୍ୟତା ମିଳୁନି । ତେବେ ରାଜ୍ୟ ସରକାର ଏ ଦିଗରେ କେବେ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।