ତୃତୀୟ ବିବାହ କରୁଥିଲେ, ଧରେଇଦେଲା ଦ୍ଵିତୀୟ ସ୍ତ୍ରୀ

 ପ୍ରଥମ ସ୍ତ୍ରୀ କୁ ତଲାକ ଦେବା ପରେ ଦ୍ଵିତୀୟ ବିବାହ କରି ଏକ କନ୍ୟା ସନ୍ତାନର ଜନକ ହେବାପରେ ମଧ୍ୟ ପୁଣି ଥରେ ତୃତୀୟ ବିବାହ କରୁଥିବା ବେଳେ ଧରାପଡିଲେ ଯୁବକ ।

ତୃତୀୟ ବିବାହ କରୁଥିଲେ, ଧରେଇଦେଲା ଦ୍ଵିତୀୟ ସ୍ତ୍ରୀ

ସନ୍ଦୀପ୍ତ ରାୟ, ଯାଜପୁର: ତଲାକ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେବାପରେ ମଧ୍ୟ ଅନେକ ସ୍ଥାନରେ ଏହାକୁ ଉଲଂଘନ କରାଯାଉଛି । ଏବଂ 5T ଲାଗୁ ହେବା ପରେ ମଧ୍ୟ ପୋଲିସ ଅଭିଯୋଗ ପାଇ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଏହାକୁ ଦ୍ଵିଗୁଣିତ କରୁଛି । ପ୍ରଥମ ସ୍ତ୍ରୀ କୁ ତଲାକ ଦେବା ପରେ ଦ୍ଵିତୀୟ ବିବାହ କରି ଏକ କନ୍ୟା ସନ୍ତାନର ଜନକ ହେବାପରେ ମଧ୍ୟ ପୁଣି ଥରେ ତୃତୀୟ ବିବାହ କରୁଥିବା ବେଳେ ଧରାପଡିଲେ ଯୁବକ । ଦ୍ଵିତୀୟ ସ୍ତ୍ରୀଙ୍କ ଚଢ଼ାଉ କଲାପରେ ଘଟଣା କୁ ନେଇ ଚର୍ଚ୍ଚା ଜୋର ଧରିଛି ପୋଲିସର ଅଭିଯୋଗ ପାଇବା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ମଧ୍ୟ ଅଭିଯୋଗ କରିଛନ୍ତି ପିଡ଼ିତା ମହିଳା । 

ସୂଚନା ମୁତାବକ, ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ କାଟିଆ ଗ୍ରାମର ସେକ ଅଜିମୁଦ୍ଦିନଙ୍କ ଝିଅ ସବିନା, ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଲି ଗ୍ରାମର ଲାଲୁ ଖାନଙ୍କ ପୁଅ ଇମ୍ରାନ ଖାନଙ୍କୁ ମୁସଲମାନ ଧର୍ମ ଓ ପ୍ରଥା ଅନୁସାରେ ବିବାହ କରିଥିଲେ । ହେଲେ ବିବାହର କିଛି ମାସ ପରେ ଇମ୍ରାନ ସବିନାଙ୍କୁ ଛାଡି ବାହାର ଦେଶକୁ ଚାଲିଯାଇଥିଲେ । ଏହାପରେ ସବିନା ଙ୍କ ଉପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯ୍ୟାତନା । ପରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଧିକ ହେବାରୁ ସବିନା ଶାଶୁଘର ଛାଡି ବାପଘରକୁ ପଳାଇଥିଲେ ଏବଂ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ପୋଲିସ କେବଳ ମାମଲା ରୁଜୁ କରି ବସିଯାଇଥିଲା ।

ଏହାପରେ ଗତ ୧୦ ତାରିଖରେ ସବିନା ଖବର ପାଇ କୋରେଇ ଥାନା ଅନ୍ତର୍ଗତ ମାଲଦା ଗ୍ରାମରେ ପହଞ୍ଚି ତାଙ୍କ ସ୍ୱାମୀ  ପୁଣିଥରେ ତୃତୀୟ ବିବାହ କରୁଥିବା ଦେଖିବାକୁ ପାଇଥିଲେ ଏବଂ ଏହାକୁ ତୀବ୍ର ବିରୋଧ କରିଥିଲେ । ତେବେ ଏହା ପୂର୍ବରୁ ସେ କୋରେଇ ଥାନା ଅଧିକାରୀ ଙ୍କୁ ବିନୀତ ଅନୁରୋଧ କରିଥିଲେ ମଧ୍ୟ ଥାନା ଅଧିକାରୀ କିଛି ଶୁଣିନଥିବା ସେ ଅଭିଯୋଗ କରିଛନ୍ତି । ସବିନା ଅନ୍ୟ ଉପାୟ ନ ପାଇ ଏସପିଙ୍କୁ ମଧ୍ୟ ଏ ସମ୍ପର୍କରେ ଜଣାଇଥିବା କହିଛନ୍ତି । ଘଟଣା ସମ୍ପର୍କରେ କୋରେଇ ପୋଲିସ ଫୋନ ଯୋଗେ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେହେତୁ ଏହା ମଙ୍ଗଳପୁର ଥାନା କେଶ ତେଣୁ ସେ କିଛି କରିପାରିବେ ନାହିଁ । ତେବେ ମଙ୍ଗଳପୁର ପୋଲିସ କିମ୍ବା ଏସ୍ପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।