)
Ameer balaj tipu murder case:
ଲାହୋରର ଅଣ୍ଡରୱାର୍ଲ୍ଡ ଡନ୍ ଅମୀର ବାଲାଜର ହତ୍ୟା ଘଟଣା ସମଗ୍ର ପାକିସ୍ତାନରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅମୀର ବାଲାଜ ଟିପୁ ମାଲ ପରିବହନ ନେଟୱାର୍କର ମାଲିକ ଥିଲା । କେବଳ ଲାହୋର ରେ ନୁହେଁ ସମଗ୍ର ପାକିସ୍ତାନରେ ତାର ଦବଦବା ଥିଲା । କେବଳ ଅମୀର ନୁହେଁ, ତା ବାପା ଆରିଫ ଅମୀର ଏବଂ ଜେଜେବାପା ବିଲ୍ଲା ଟ୍ରକାନୱାଲା ମଧ୍ୟ ନିଜ ସମୟର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଥିଲେ । ଆସନ୍ତୁ ଜାଣିବା ଅଣ୍ଡରୱାର୍ଲ୍ଡ ଡନ୍ ଙ୍କ ତିନି ପିଢ଼ିର ପୂରା କାହାଣୀ...
ବାଲାଜକୁ ଲାହୋର ଅଣ୍ଡରୱାର୍ଲ୍ଡର ଅନ୍ୟତମ ପ୍ରଭାବଶାଳୀ ଏବଂ ଭୟଙ୍କର ବ୍ୟକ୍ତିତ୍ୱ ଭାବରେ ବିବେଚନା କରାଯାଉଥିଲା । ତା ବାପା ଆରିଫ୍ କେବଳ ଜଣେ ଡନ୍ ନଥିଲା ବରଂ ପାକିସ୍ତାନର ଜଣେ ଫ୍ରିଷ୍ଟାଇଲ କୁସ୍ତିଯୋଦ୍ଧା ମଧ୍ୟ ଥିଲା । ଆରିଫ୍ ମୂଳତଃ ଲାହୋରର ଶାହଲାମି ଅଞ୍ଚଳର ବାସିନ୍ଦା ଥିଲା। ୧୯୯୪ମସିହାରେ ଆରିଫର ପିତା ବିଲ୍ଲାକୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀମାନେ ହତ୍ୟା କରିଥିଲେ। ଏହାପରେ ଆରିଫ ଲାହୋରର ଅଣ୍ଡରୱାର୍ଲ୍ଡରେ ନିଜକୁ ପ୍ରତିଷ୍ଠା କରିଥିଲା।
ଏକ ରିପୋର୍ଟ ଅନୁଯାୟୀ, ଆରିଫ ପାଖରେ ୧୦ଟି ସିଂହ ଓ ଅନ୍ୟ କିଛି ଗୃହପାଳିତ ପଶୁ ଥିଲେ। ଏପରି ଥିଲା ଯେ ଆରିଫକୁ ସବୁବେଳେ ବନ୍ଧୁକଧାରୀ ଏବଂ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଗାର୍ଡମାନେ ଘେରି ରହୁଥିଲେ। ତାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲେ ଲାହୋରର ଗୱାଲମାଣ୍ଡି ଅଞ୍ଚଳର ଗୋଗି ବଟ୍ ଓ ଟିଫି ବଟ୍, ମଲ୍ଲିକ ଏହସାନ୍ ଓ ଆବିଦ୍ ବକ୍ସର। ଆରିଫ୍ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଲାହୋରର ଅଣ୍ଡରୱାର୍ଲ୍ଡ ଉପରେ ରାଜୁତି କରିଥିଲା।
ତା'ପରେ ଆସିଲା ୨୦୧୦ ମସିହା । ସେହି ବର୍ଷ ଜାନୁଆରୀରେ ଆରିଫକୁ ଲାହୋରର ଆଲ୍ଲାମା ଇକବାଲ ଅନ୍ତର୍ଜାତୀୟ ବିମାନ ବନ୍ଦରର ପାର୍କିଂ ସ୍ଥଳରେ ହତ୍ୟା କରାଯାଇଥିଲା। ଦୁବାଇରେ ରହୁଥିବା ନିଜ ପରିବାର ଓ ପିଲାଙ୍କୁ ଭେଟି ଫେରୁଥିବା ବେଳେ ଆରିଫକୁ ହତ୍ୟା କରାଯାଇଥିଲ। ତା ସହ ଘରୋଇ ସୁରକ୍ଷାକର୍ମୀ ଥିଲେ। ଏହା ସତ୍ତ୍ୱେ ଆରିଫଙ୍କ ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ଖୁର୍ରମ୍ ବଟ୍ ତା ଉପରକୁ ଗୁଳି ଚଳାଇଥିଲା। ସଙ୍ଗେ ସଙ୍ଗେ ଆରିଫଙ୍କୁ ଲାହୋରର ମେୟୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତାହାର ମୃତ୍ୟୁ ଘଟିଥିଲା। ଯେତେବେଳେ ସେ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଥିଲା, ସେତେବେଳେ ଲାହୋରର ଅନେକ ରାଜନେତା ଏବଂ ବ୍ୟବସାୟୀ ବ୍ୟକ୍ତିତ୍ୱ ତାଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ।
ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ସେଲିବ୍ରିଟି
ଆରିଫଙ୍କ ମୃତ୍ୟୁ ପରେ ସମଗ୍ର ପାକିସ୍ତାନରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେହି ସମୟରେ ସୁରକ୍ଷା ଦୃଷ୍ଟିରୁ ଲାହୋରର ସବୁଠାରୁ ବଡ଼ ହୋଲସେଲ ବଜାର ଶାହ ଆଲାମ ବଜାର ବନ୍ଦ ରହିଥିଲା। କାରଣ ଆରିଫର ମୃତ୍ୟୁ ପରେ ତାଙ୍କ ସମର୍ଥକମାନେ ନ୍ୟାୟ ଦାବିରେ ବହୁ ହିଂସା ସୃଷ୍ଟି କରିଥିଲେ। ପରେ ଲାହୋରରେ ଆରିଫଙ୍କ ଅନ୍ତିମ ସଂସ୍କାର କରାଯିବା ବେଳେ ତାର ବହୁ ସମର୍ଥକ ଓ ବଡ଼ ବଡ଼ ରାଜନେତା ସେଠାରେ ପହଞ୍ଚିଥିଲେ। ଏଥିରେ ପାକିସ୍ତାନ ମୁସଲିମ୍ ଲିଗ୍-ଏନ୍ (ପିଏମ୍ଏଲ୍-ଏନ୍) ଏମ୍ ଏନ୍ ଏ ବିଲାଲ ୟାସିନ୍ ଏବଂ ଶାହା ଆଲାମ୍ ମାର୍କେଟ୍ର ଅନ୍ୟ କେତେକ ବ୍ୟବସାୟୀ ବ୍ୟକ୍ତିତ୍ୱ ସାମିଲ ଥିଲେ।
ଅଣ୍ଡରୱାର୍ଲ୍ଡ ଡନ୍ ଆରିଫ୍ ହତ୍ୟାଘଟଣାର ମୁଖ୍ୟ ସନ୍ଦିଗ୍ଧ ଥିଲା ଲାହୋରର ଗୱାଲମଣ୍ଡି ଅଞ୍ଚଳର ବାସିନ୍ଦା ଶାହବାଜ। ଆରିଫ୍ ହତ୍ୟା ପରେ ସେ ଦୁବାଇ ପଳାଇ ଯାଇଥିଲା। ସେ ଆରିଫର ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗର ଗ୍ୟାଙ୍ଗ ଲିଡର ଥିଲା ଯିଏ ଦୁବାଇରୁ ଲାହୋର ଅଣ୍ଡରୱାର୍ଲଡକୁ ଚଳାଉଥିଲା। ଏହାପରେ ୨୦୧୨ରେ ଆରିଫଙ୍କ ହତ୍ୟାକାଣ୍ଡର ଦୁଇ ପ୍ରମୁଖ ସାକ୍ଷୀ ମିଆଁ ଆସିଫ୍ ଓ ମଲିକ ଏହସାନଙ୍କୁ ହତ୍ୟା କରାଯାଇଥିଲା।
ଅମୀର ବାଲାଜକୁ କେମିତି ହତ୍ୟା କରାଗଲା?
ବାପା ଆରିଫର ମୃତ୍ୟୁ ପରେ ଅମିଲ ଲାହୋରର ଅଣ୍ଡରୱାର୍ଲ୍ଡ ଡନ୍ ଭାବେ ପରିଚିତ ହୋଇଥିଲା। ବାପାର ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗର ଅନେକ ଲୋକଙ୍କୁ ହତ୍ୟା କରିବାରେ ମଧ୍ୟ ସେ ସମ୍ପୃକ୍ତ ଥିଲା। ରବିବାର ଅମୀରଙ୍କୁ ମଧ୍ୟ ଜଣେ ଅଜ୍ଞାତ ଆକ୍ରମଣକାରୀ ଗୁଳି କରି ହତ୍ୟା କରିଥିଲା। ପୁଲିସ ସୂଚନା ଅନୁଯାୟୀ, ବାଲାଜ ରବିବାର ସନ୍ଧ୍ୟାରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲା। ଏହି ସମୟରେ ଜଣେ ଅଜଣା ଦୁର୍ବୃତ୍ତ ବଳଜଙ୍କ ସମେତ ୩ ଜଣଙ୍କ ଉପରକୁ ଗୁଳି ଚଳାଇଥିଲା। ସେ ଅନ୍ୟ କାହାକୁ ଟାର୍ଗେଟ କରିବା ପୂର୍ବରୁ ବାଲାଜଙ୍କ ସହ ଥିବା ଅଙ୍ଗରକ୍ଷୀମାନେ ଆକ୍ରମଣକାରୀକୁ ଗୁଳି କରି ହତ୍ୟା କରିଥିଲେ। ବାଲାଜ ଏବଂ ଅନ୍ୟ ଦୁଇ ଜଣ ଆହତଙ୍କୁ ଜିନ୍ନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବଳଜର ମୃତ୍ୟୁ ଘଟିଥିଲା। ତେବେ ଉଭୟ ଆହତଙ୍କ ଚିକିତ୍ସା ଚାଲିଛି।