)
ବର୍ଷାଦିନ ଥିଲେ ବି ସିନ୍ଧୁ ନଦୀରୁ ଆବଶ୍ୟକ ଜଳ ପାଇପାରୁ ନାହିଁ ପାକିସ୍ତାନ। ଆଗକୁ ଗ୍ରୀଷ୍ମ କାଳରେ ପରିସ୍ଥିତି କ’ଣ ନ ହେବ? ଏଭଳି ଏକ ପରିସ୍ଥିତିରେ କିନ୍ତୁ ଭାରତର ସର୍ତ୍ତକୁ ପୂରଣ କରିପାରୁ ନଥିବା ପାକିସ୍ତା ବିଶ୍ୱ ଆଗରେ କାନ୍ଦିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେଓ୍ୱାଜ ସରିଫ ଜାତିସଂଘ ସାଧାରଣ ସଭାରର ୮୦ତମ ଅଧିବେଶନରେ ଭାରତ ସୁନ୍ଧୁ ଜଳଚୁକ୍ତିକୁ ଏକ ପାକ୍ଷିଆ ଉଲ୍ଲଂଘନ କରିଛି ବୋଲି କହିଛନ୍ତି । ଏହା ଆନ୍ତର୍ଜାତିକ ଆଇନର ଉଲ୍ଲଂଘନ ଏବଂ ଏକ ଯୁଦ୍ଧର ଆଚରଣ ବୋଲି ପାକିସ୍ତାନ ଚିତ୍ରଣ କରିବାକୁ ଚାହିଁଛି। ଅପରପକ୍ଷେ ସେହି ବକ୍ତବ୍ୟରେ ମଧ୍ୟ ଭାରତ ସହ ସମସ୍ତ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଲାଗି ନିବେଦନ କରିଛି।
ଶ୍ରୀ ସରିଫ କହିଛନ୍ତି, ‘ପାକିସ୍ତାନ ନିଶ୍ଚିତ କରିଛି ଯେ, ତାଙ୍କ ଦେଶର ଜନତାଙ୍କ ଅଧିକାରର ସୁରକ୍ଷା ଲାଗି ପଦକ୍ଷେପ ନେବ। ଆମ ପାଇଁ ଏ ଚୁକ୍ତିର କୌଣସି ବି ଉଲ୍ଲଂଘନ ଯୁଦ୍ଧ ଆଚରଣ ଭାବେ ଗ୍ରହଣ କରାଯିବ’।
ଏପ୍ରିଲ୍ ୨୨ ତାରିଖରେ କଶ୍ମୀର ପହଲଗାମଠାରେ ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ନିରୀହ ଲୋକ ପ୍ରାଣ ଯିବାକୁ ନିନ୍ଦା କରି ନିଆଯାଇଥିବା ପଦକ୍ଷେପ ଭିତରେ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖାଯାଇଛି। ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ବନ୍ଦ କରି ନାହିଁ, ଭାରତ ଏ ବିଷୟରେ କୌଣସି ଆଲୋଚନା କରିବ ନାହିଁ ବୋଲି ବି ସ୍ପଷ୍ଟ କରିଛି।
୧୯୬୦ ମସିହାରେ ସିନ୍ଧୁ ଜଳଚୁକ୍ତି ସ୍ୱକ୍ଷର ହୋଇଥିଲା। ବିଶ୍ୱବ୍ୟାଙ୍କ ବଧ୍ୟସ୍ଥତାରେ ଏହି ଚୁକ୍ତି ହୋଇଥିଲା। ଏଥିରେ ସିନ୍ଧୁ ନଦୀର ଜଳ ବିଭାଜନ ସମ୍ପର୍କରେ ନିର୍ଦ୍ଧାରଣ କରାଯାଇଥିଲା। ଭାରତକୁ ପୂର୍ବ ନଦୀ ଯେମିତି ରବି, ବ୍ୟାସ, ସତଲେଜ ଜଳ ମିଳୁଥିବା ବେଳେ ପାକିସ୍ତାନ ପାଇଁ ସିନ୍ଧୁ, ଝେଲମ ଓ ଚେନାବ ନଦୀର ଜଳ ବ୍ୟବହାର ଲାଗି ଚୁକ୍ତି ହୋଇଥିଲା।
ସରିଫ ତାଙ୍କ ବକ୍ତବ୍ୟରେ କଶ୍ମୀର ପ୍ରସଙ୍ଗକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ‘ ମୁଁ କଶ୍ମୀର ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ଚାହୁଁଛି ଯେ, ପାକିସ୍ତାନ ସେମାନଙ୍କ ସହ ଅଛି ଏବଂ ଦିନ ଆସିବ ଯେତେବଳେ କଶ୍ମୀରେ ଭାରତର ଅରାଜକତା ବନ୍ଦ ହେବ’।
ସେହି ବକ୍ତବ୍ୟରେ ମଧ୍ୟ ଭାରତ ସହ ସମସ୍ତ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଲାଗି ପ୍ରସ୍ତୁତ ରହିଛି ବୋଲି କହିଛି ପାକିସ୍ତାନ। ଏହି ପ୍ରସଙ୍ଗରେ କଶ୍ମୀର ପ୍ରସଙ୍ଗ ବି ଅନ୍ତର୍ଭୁକ୍ତ ବୋଲି କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ।
ଆତଙ୍କବାଦୀ ବିରୋଧି କାର୍ଯ୍ୟକଳାପ ସମ୍ବନ୍ଧରେ ଉଲ୍ଲେଖ କରି ସରିଫ କହିଛନ୍ତି ପାକିସ୍ତାନ ବିଶ୍ୱର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଦେଶ। ଆତଙ୍କବାଦୀ ହେତୁ ଏହା ୧୫୦ ବିଲିୟନ ଡଲାର କ୍ଷତି ସହିଛି। ଆତଙ୍କବାଦ ବିରୋଧରେ ଏହାର ଲଢ଼େଇ ଜାରି ରହିଛି ବୋଲି ସେ କହିଛନ୍ତି।