)
ଭୁବନେଶ୍ୱର: ନୂଆପଡ଼ା ଉପ ନିର୍ବାଚନ ଯେତିକି ନିକଟତର ହେଉଛି ପ୍ରଚାର ସେତିକି ଜୋରଦାର ହେଉଛି। ଆସନ୍ତା କାଲି ବିଜେପି ଏହାର ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଯାଉଛି। ଏହିକ୍ରମରେ ଏକ ବିଶାଳ ଶୋଭାଯାତ୍ରା ଓ ସମାବେଶ ଆୟୋଜନ କରାଯାଇଛି। ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଯୋଗ ଦେବେ। କୋମନା ବ୍ଲକର ପଞ୍ଚମପୁରଠାରେ ସେମାନେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିବେ। ଏନେଇ ବିଜେପି ରାଜ୍ୟ ଉପ ସଭାପତି ଯତୀନ ମହାନ୍ତି ସୂଚନା ଦେଇଛନ୍ତି।
ଗତ ମାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନୂଆପଡ଼ା ଗସ୍ତରେ ଆସି ନୂଆପଡ଼ାବାସୀଙ୍କୁ ଆଶ୍ୱାସନା ଦେଇଥିଲେ। ନିର୍ବାଚନ ସମୟର ସମସ୍ତ ପ୍ରତିଶୃତିକୁ ରକ୍ଷା କରିବୁ ବୋଲି କହିଥିଲେ। ପୂର୍ବ ସରକାର ତାହା କରୁ ନଥିଲା ବୋଲି କହି ପରୋକ୍ଷରେ କଟାକ୍ଷ ବି କରିଥିଲେ। ଅପରପକ୍ଷେ ନିର୍ବାଚନ ହେବାକୁ ଥିବା ନୂଆପଡ଼ାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ। ଯେହେତୁ ଛତିଶଗଡ଼ ସହ ନୂଆପଡ଼ା ନିଜର ସୀମା ଯୋଡ଼ିଥାଏ, ଏହି ରାଜ୍ୟ ସହ ନୂଆପଡ଼ାବାସୀଙ୍କ ଦୈନନ୍ଦିନ ସମ୍ପର୍କ ରହି ଆସିଛି। ଏପରିକି ଏଠାରୁ ଅନେକ ବ୍ୟକ୍ତି ପ୍ରତିଦିନ ବିଭିନନ ଜୀବୀକା ଲାଗି ଛତିଶଗଡ଼ ଉପରେ ନିର୍ଭର କରିଥାଆନ୍ତି। ନିକଟସ୍ଥ ବୃହତ୍ ବଜାର ହୋଇଥିବାରୁ ରାୟପୁରକୁ ଏଠାରୁ ଲୋକଙ୍କ ଯାତାୟାତ ରହିଥାଏ। ଏହିକ୍ରମରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ଏଠାରେ ବିଜେପିର ପଲା ଭାରି କରିବାରେ ସହାୟକ ହୋଇପାରେ।
ସେହିପରି ଏହି ନିର୍ବାଚନରେ ନିର୍ଣ୍ଣାୟକ ହେଉଥିବା ଆଦିବାସୀ ଭୋଟରଙ୍କୁ ବିଜେପି ମୁହାଁ କରିବାରେ ଏହି ଦୁଇ ଆଦିବାସୀ ନେତା ସହାୟକ ହେବେ ବୋଲି ଆଶା କରିଛି। ନୂଆପଡ଼ାର ଉପ ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ଭିତରୁ କେବଳ କଂଗ୍ରେସ ହିଁ ଆଦିବାସୀ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ଅନୁସୂଚିତ ଜାତି ବର୍ଗର ପ୍ରତିନିଧିଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପିର ପ୍ରାର୍ଥୀ ହେଉଛନ୍ତି ସାଧାରଣ ବର୍ଗର ପ୍ରାର୍ଥୀ।
ଗତ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ତାଙ୍କୁ କଟାକ୍ଷ କରିଥିଲେ ମୋହନ। ସେ କହିଥିଲେ, ଅତୀତରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାଲେଶ୍ୱର, ଧାମନଗର, ପଦ୍ମପୁର, ବିଜେପୁର ଆଦି ଉପନିର୍ବାଚନରେ ବିକାଶର ଦାୟିତ୍ୱ ମୋର ବୋଲି ଘୋଷାପାଠ କହିଥାନ୍ତି ଏବଂ ନିର୍ବାଚନ ପରେ ହିଁ ସବୁ କଥା ଭୁଲି ଯାଇଥା’ନ୍ତି। କିନ୍ତୁ ଆମ ସରକାରର ମନ୍ତ୍ର ହେଉଛି କଥା ଦେବୁ ମାନେ କଥା ରଖିବୁ। ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ଧାନ କ୍ବିଣ୍ଟାଲ୍ ପିଛା ୮୦୦ ଟଙ୍କା ବୋନସ୍ ପ୍ରଦାନ ଏବଂ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରାଯାଉଛି। ନୂଆପଡ଼ା ଜିଲ୍ଲାର ୨ ଲକ୍ଷ ଚାଷୀ ଧାନରେ ବୋନସ୍ ପାଉଥିଲାବେଳେ ୧ ଲକ୍ଷ ୫୫ ହଜାର ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହେଉଛନ୍ତି। ନିକଟ ଅତୀତରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୩୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ମଞ୍ଜୁର କରିଛନ୍ତି, ଯେଉଁଥିରେ ନୂଆପଡ଼ା ଜିଲ୍ଲାକୁ ଗୁରୁତ୍ୱ ମିଳିଛି। ଜଣେ ସମାଜସେବକ ଭାବେ ନିଜ ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ପାଇଁ କାର୍ଯ୍ୟ କରିବା ଓ ତାଙ୍କ ସୁଖଦୁଃଖରେ ଛିଡ଼ା ହେବା ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ସ୍ୱଭାବ ଥିଲା। ଆଜି ତାଙ୍କ ଅବର୍ତ୍ତମାନରେ ତାଙ୍କର ସୁଯୋଗ୍ୟ ଦାୟାଦ ଜୟ ଢୋଲକିଆ ନିଜ ପିତାଙ୍କ ପଦାଙ୍କ ଅନୁସରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଚାରଧାରା ଓ ବିକାଶର ଧାରାରେ ପ୍ରଭାବିତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି। ଜୟ ଢୋଲକିଆ ବିଜେପିରେ ସାମିଲ ହେବା ପରେ ବିଜେଡି ପକ୍ଷରୁ ଯେଉଁ ବ୍ୟକ୍ତିଗତ ଅଶାଳୀନ ମନ୍ତବ୍ୟ ଦିଆଯାଇଛି, ତାହା ଅତ୍ୟନ୍ତ ନିନ୍ଦନୀୟ। ମାତ୍ର ଶାଳୀନତା ପାଇଁ ଜଣାଶୁଣା ନବୀନ ପଟ୍ଟନାୟକ ଏଭଳି ଘୃଣ୍ୟ ଟିପଣୀକୁ ନିନ୍ଦା ନ କରିବା ଦୁର୍ଭାଗ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।