)
ଭଦ୍ରକ: ପୁଣି ବିଜେଡିକୁ ଲାଗିଛି ଆଉ ଏକ ଝଟକା । ପୂର୍ବରୁ ଭଦ୍ରକରେ ୩ ନେତା ବିଜେଡିରୁ ଇସ୍ତଫା ଦେବା ପରେ ଆଜି ସମାନ ଜିଲ୍ଲାରୁ ଆଉଜଣେ ନେତା ଇସ୍ତଫା ଦେଇଛନ୍ତି। ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
ନବୀନ ନିବାସରେ ଭଦ୍ରକ ନେତାଙ୍କୁ ଡାକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଆଲୋଚନା କରିଛନ୍ତି । ୪ ବ୍ଲକ ଅଧ୍ୟକ୍ଷ ବିଜେଡି ଛାଡିବା ପରେ ନବୀନ ପଟ୍ଟନାୟକ ଏହି ବୈଠକ ଆୟୋଜନ କରିଛନ୍ତି । ବିଧାୟକ ସଞ୍ଜୀବ ମଲ୍ଲିକ, ବରିଷ୍ଠ ନେତା ପ୍ରଫୁଲ୍ଲ ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ବୈଠକରେ ସାମିଲ ହୋଇଛନ୍ତି ।
ସୂଚନାଯୋଗ୍ୟ, ଗୋଟିଏ ଦିନରେ ବିଜେଡିରୁ ଇସ୍ତଫା ଦେଇଥିଲେ ବନ୍ତ ବ୍ଲକ ଚେୟାରମ୍ୟାନ ମନୋରଞ୍ଜନ ଘଡ଼େଇ ଏବଂ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ।
ବ୍ୟକ୍ତିଗତ କାରଣ ଦର୍ଶାଇ ବନ୍ତ ବ୍ଲକ ଚେୟାରମ୍ୟାନ ମନୋରଞ୍ଜନ ଘଡ଼େଇ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଜିଲ୍ଲା ସଭାପତିଙ୍କୁ ନିଜର ଇସ୍ତଫାପତ୍ର ପଠାଇଥିଲେ ମନୋରଞ୍ଜନ । ଅଧ୍ୟକ୍ଷଙ୍କ ବହିଷ୍କାର ଦାବି କରିଥିଲେ ଦଳୀୟ ଜନପ୍ରତିନିଧି । ଅଧ୍ୟକ୍ଷ ନିଜ ନାଁରେ ଭେଣ୍ଡର ଖୋଲିଥିବା ଅଭିଯୋଗ କରି ବିଜେଡି ସମିତି ସଭ୍ୟ ଓ ଜିଲ୍ଲାପରିଷଦ ସଦସ୍ୟ ବହିଷ୍କାର ଦାବି କରିଥିଲେ । ସେହିପରି ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ଜିଲ୍ଲା ସଭାପତିଙ୍କୁ ନିଜର ଇସ୍ତଫାପତ୍ର ପଠାଇଥିଲେ ସୁମତୀ ।