)
ଭୁବନେଶ୍ୱର: କଟକରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାକୁ ନେଇ ମୁହଁ ଖୋଲିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ଏହି ଘଟଣା ସ୍ୱତଃ ଘଟି ନାହିଁ ବରଂ ଏହାକୁ ଷଡ଼ଯନ୍ତ୍ରପୂର୍ଣ୍ଣ ଆୟୋଜନ କରାଯାଇଛି ବୋଲି ସେ କହିଛନ୍ତି। ନିକଟରେ ଫେରିଥିବା କିଛି ଜେଲ ଫେରନ୍ତା ଏହି ଘଟଣାର ମୁଖ୍ୟ କାର୍ପଟଦାର। ସେମାନଙ୍କ ବାବଦରେ ପୁଲିସକୁ ସେ ଆବଶ୍ୟକ ସୂଚନା ଦେଇଥିଲେ ବୋଲି କହିଛନ୍ତି ସାଂସଦ ମହତାବ। ତାଙ୍କର ଏହି ମନ୍ତବ୍ୟ ଏବେ ପୁଲିସ ଓ ପ୍ରଶାସନର ହୁଗୁଳାପଣକୁ ପଦାକୁ ଆଣିଛି।
ନ୍ୟୁଜ୍ ଏଜେନ୍ସୀ ଏଏନ୍ଆଇକୁ ଏକ ସାକ୍ଷାତକାରରେ ଶ୍ରୀ ମହତାବ କହିଛନ୍ତି, କିଛି ଅସାମାଜିକ ତତ୍ତ୍ୱ ଏହି ଘଟଣାରେ ଜଡ଼ିତ। ସେମାନେ ନିକଟରେ ଜେଲରୁ ମୁକୁଳିଥିଲେ। ସେମାନଙ୍କର ବଦମାସୀ କରିବାର ଅଭ୍ୟାସ ରହିଛି। ଏମାନଙ୍କୁ ଆଗରୁ ଚିହ୍ନଟ କରିବା ଥିଲା। ମୁଁ ବହୁ ଆଗରୁ ପ୍ରଶାସନକୁ ସତର୍କ କରିଥିଲି। ମୋ ପାଖରେ ଥିବା ସୂଚନା ମଧ୍ୟ। ଜଣାଇଥିଲି। ଏଭଳି କିଛି ଲୋକ ଜେଲରୁ ମୁକୁଳି ଆସିଛନ୍ତି। ସେମାନଙ୍କୁ କିଛି ଲୋକ ଉତ୍ସାହିତ କରୁଛନ୍ତି ଗୋଳମାଳ କରିବା ପାଇଁ। ଦୁର୍ଭାଗ୍ୟର କଥା ଯେ ଏମିତି ଘଟଣା ହାତୀପୋଖରୀ ପାଖରେ ଘଟିଲା ଏବଂ ଏହା ପରେ ଦରଘା ବଜାରରେ ରାତି ଦେଢ଼ଟା ୨ଟା ପରେ ଘଟିଲା। ମୋଟର ସାଇକେଲ ରାଲିକୁ ବାଧା ଦାବା ପରେ ମଧ୍ୟ ଏମିତି ଗୋଳମାଳ ହୋଇଥିଲା ବୋଲି ସେ କହିଛନ୍ତି।
ଏବେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସେ ପ୍ରଶଂସା କରିଛନ୍ତି। ଖୁବ ଶୀଘ୍ର ଶାନ୍ତି ପ୍ରତିଷ୍ଠା ହୋଇଯିବ ବୋଲି ବି ଆଶା ପ୍ରକାଶ କରିଛନ୍ତି। କିନ୍ତୁ ଏଭଳି ପଦକ୍ଷେପ ଆଗରୁ ନେଇଥିଲେ ଏଭଳି ଘଟଣା ଘଟି ନଥାଆନ୍ତା ବୋଲି କହିବାକୁ ଚାହିଁଛନ୍ତି ମହତାବ।
ମହତାବଙ୍କ ମନ୍ତବ୍ୟରେ ପୁଲିସ ବିଭାଗର ଖମଖିଆଲ ଭାବ ସାମ୍ନାକୁ ଆସିଛି। ପୁଲିସ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି କିନ୍ତୁ ଏ ଦିଗରେ ପୁଲିସ ତତ୍ପରତା ନ ଦେଖାଇବା ମୁଖ୍ୟମନ୍ତ୍ରୀଙ୍କୁ ନିନ୍ଦିତ କରିବାର ଏକ ପ୍ରସୟାସ ହୋଇଥାଇପାରେ।
ଶୁକ୍ରବାର ସନ୍ଧ୍ୟାରେ ପ୍ରଥମେ ଏପରି ଦୁର୍ଘଟଣା ଘଟିଥିଲା। ହାତୀପୋଖରିଠାରେ ବିସର୍ତଜନ ପାଇଁ ବାହାରିଥିବା ମେଢ଼ ଶୋଭାଯାତ୍ରାକୁ ଆକ୍ଷେପ କରି କିଛି ଅସାମାଜିକ ତତ୍ତ୍ୱ ବୟାନବାଜୀ କରିଥିଲେ। ଏହାପରେ ପଥରବାଜୀ ଆରମ୍ଭ ହୋଇଥିଲା। ପୁଲିସ ହସ୍ତକ୍ଷେପ ପରେ ଏସବୁ ଥମିଥିଲେ ମଧ୍ୟ ରାତି ଦୁଇଟା ବଳକୁ ଦରଘା ବଜାରରେ ଉଗ୍ର ରୂପ ଧାରଣ କରିଥିଲା। ଏହା ହିନ୍ଦୁ ସଂଗଠନକୁ ବାଧିଥିଲା। ସେମାନେ ସୋମବାରଦିନ ପୁଲିସର ନିଷ୍କ୍ରିୟତା ବିରୋଧରେ କଟକ ବନ୍ଦ ଡାକରା ଦେଇଥିଲେ। ଆଉ ଏଥିଲାଗି ସଚେତନତା ସୃଷ୍ଟି ପାଇଁ ଗତକାଲି ଏକ ବାଇକ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରାକୁ ଅଟକାଇବା ଏବଂ ଦରଘା ବଜାରରେ ସେମାନଙ୍କ ଉପରେ ଆକ୍ରମଣ କରିବା ସମ୍ପୃକ୍ତ ଅସାମାଜିକ ତତ୍ତ୍ୱ ଜଡି଼ତ ବୋଲି ଅଭିଯୋଗ କରିଛନ୍ତି ଡ. ମହତାବ ।