)
BJD: ନୂଆଦିଲ୍ଲୀ: ବିଜୁ ଜନତା ଦଳରେ- ଫାଟ କିଛି ନୂଆ କଥା ନୁହେଁ। ଏହା ସମସ୍ତେ ଜାଣନ୍ତି କିନ୍ତୁ ବାହାରକୁ ଆସେ ନାହିଁ। ହେଲେ ବିଧାନସଭାର ମୌସୁମୀ ଅଧିବେଶରେ ଯାହା ଘଟିଲା ତାହା ସ୍ପଷ୍ଟ ସୂଚାଇ ଦେଇଛି ଯେ ଏ ଫାଟ ଆଉ ଦଳ ଭିତରେ ନବୀନ ନିବାସରେ ବା ଶଙ୍ଖ ଭବନରେ ସୀମିତ ନାହିଁ ବରଂ ଅଫିସିଆଲ ହେବାକୁ ଯାଉଛି। ବିଧାନସଭାରେ ଏହି ଫାଟ ବିଭାଜନ ଆଡ଼କୁ ମୁହାଁଉଥିବାର ଆଭାସ ଦେଉଛି। ବିଧାନସଭାକୁ ଚଳାଇ ନଦେବା ଲାଗି ବିଜୁ ଜନତା ଦଳର କେହି ଜଣେ ମୁଖିଆ ଗୋପନ ଆଦେଶ ଦେଇଥିବା ନେଇ ଚର୍ଚ୍ଚା ହେଉଛି। ଏ ନେତା କିଏ ଯିଏ ଏପରି ଆଦେଶ ଦେଇପାରେ? କାହିଁକି ଏପରି ଆଦେଶ ଦିଆଯାଇପାରେ ଆଉ ଏହାର ପରିଣତି କ’ଣ ହେବ?
ମୌସୁମୀ ଅଧିବେଶନ ସ୍ୱଳ୍ପ ସମୟ ପାଇଁ ଚାଲିଥିଲେ ମଧ୍ୟ କୌଣସି ଗୋଟିଏ ଦିନ ବି ଦଳର ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତାଙ୍କୁ ଦେଖିବାକୁ ମିଳି ନଥିଲା। ଶାରୀରିକ ଅସୁସ୍ଥତା ପାଇଁ ସେ ଗୃହକୁ ଆସୁ ନଥିଲେ ତାହା ନୁହେଁ। ସେ ରାଜ୍ୟରେ ନାହାନ୍ତି। ବିଧାନସଭା ଆରମ୍ଭ ହେଉଥିବା ଜାଣି ମଧ୍ୟ ଗୃହକୁ ଆସିବାକୁ ଉଚିତ ମଣି ନାହାନ୍ତି। ପ୍ରଶ୍ନ ଆସିବା ସ୍ୱଭାବିକ ଯେ ରାଜ୍ୟବାସୀ ଯେଉଁ ବିରୋଧୀ ଦଳକୁ ବିଧାନସଭାରେ ସରକାରଙ୍କୁ ନିୟନ୍ତ୍ରଣ କରିବା ପାଇଁ ନିର୍ବାଚିତ କରିଛନ୍ତି ତାହାର ନେତା କ’ଣ ଏତେ ଅସ୍ୱାଭାବିକ ହେବା ଉଚିତ? ବିଧାନସଭାଠୁ ବଳିକରି ତାଙ୍କର ଏମିତି କ’ଣ କାର୍ଯ୍ୟ ଦିଲ୍ଲୀରେ ରହିଛି ଯେ ସେ ଆସିବାକୁ ଉଚିତ ମନେ କରୁନାହାନ୍ତି? ବିଧାନସଭାର ଅଧିବେଶନ କ’ଣ ଦିଲ୍ଲୀରେ ବନ୍ଧୁ-ବାନ୍ଧବଙ୍କୁ ଭେଟିବା, ବିଭିନ୍ନ କଳା ପ୍ରଦର୍ଶନୀରେ ବୁଲିବାଠୁ କମ୍ ଗୁରୁତ୍ୱପୂର୍ଣ୍ଣ?
ଏଭଳି ପ୍ରଶ୍ନଗୁଡ଼ିକଯେ ଖାଲି ଗଣମାଧ୍ୟମ ବା ସାଧାରଣ ଲୋକଙ୍କ ପାଖରେ ଗୁଞ୍ଜରିତ ହେଉଛି ତାହା ନୁହେଁ। ୨୪ ବର୍ଷ ଧରି ଯେଉଁ ନେତାଙ୍କୁ ଭଗବାନ ସଦୃଶ ଗ୍ରହଣ କରିଥିଲେ ତାଙ୍କର ଏପରି ଏକ ରୂପକୁ ଦେଖି ଅନେକ ବିଧାୟକ ବି ହତୋତ୍ସାହିତ ହୋଇଛନ୍ତି। ଦଳୀୟ ନିର୍ଦ୍ଦେଶ ଦେବାକୁ ବିଧାନସଭାରେ ନେତା ଉପସ୍ଥିତ ରହୁ ନଥିବାରୁ ଆକାଶବାଣୀକୁ ଅପେକ୍ଷା କରୁଛନ୍ତି ବିଧାୟକ। ଆଉ ଏ ଆକାଶବାଣୀ ଏଥର ଦିଲ୍ଲୀରୁ ନୁହେଁ ଆମେରିକାରୁ ଆସୁଛି ବୋଲି କୁହାଯାଉଛି। ଅର୍ଥାତ୍ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର, ନବୀନଙ୍କ ସବୁଠାରୁ ଉତ୍କୃଷ୍ଟ ସହାୟକ ଭାବେ ପରିଚିତ ବିଜେଡିର ଶୁପ୍ତ ନେତା ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍ ଏବେ ଆମେରିକାରେ ଥିବାରୁ ବିଧାନସଭାରେ କିପରି ବିଧାୟକମାନେ ଆଚରଣ କରିବେ ତାହା ସେ ସେଠାରୁ ଜଣାଉଛନ୍ତି। ଏହି ଅଭିଯୋଗ ପ୍ରମାଣଯୋଗ୍ୟ ନୁହେଁ, କିନ୍ତୁ ପାଣ୍ଡିଆନ୍ ବିଦେଶରେ ଅଛନ୍ତି ତାହାକୁ ନେଇ ବିଧାୟକମାନେ ଆଲୋଚନା କରୁଥିବାରୁ ଏମିତି ଏକ ଅଭିଯୋଗ ବି ସାମ୍ନାକୁ ଆସୁଛି। ପୁଣି ସେ ଥିବା ପୃଥିବୀର ଅଂଶରେ ଯେତେବଳେ ଦିନ ହେଉଛି ଏଠାରେ ରାତି ହେଉଛି। ଆଉ ତାଙ୍କର ରାତି ପାହିବା ବେଳକୁ ଏଠାରେ ଯେମିତି ବିଧାନସଭା ବସି ନଥିବ ସେହି ଆଦେଶ ଦିଆଯାଇଥିବା କୁହାଯାଉଛି। ତାହାକୁ ଆଖିରେ ରଖି ଡରି ମରି, ଆଦେଶକୁ ହ୍ୱିପ୍ ବୋଲି ଗ୍ରହଣ କରି ବିଧାୟକମାନେ ବିଧାନସଭା ଆରମ୍ଭ ହେବା କ୍ଷଣି ଗୃହ କିପରି ଅଚଳ ହେବ ସେଥି ପାଇଁ ତତ୍ପର ହୋଇଛନ୍ତି। ପ୍ଲାକାର୍ଡ, ପୋଷ୍ଟର ଧରି ଗୃହ ଭିତରେ ମଧ୍ୟ ଭାଗରେ ଆସି ଠିଆ ହୋଇଛନ୍ତି। ନାରାବାଜୀ ଚାଳାଇଛନ୍ତି। ଫଳରେ ଗୃହରେ ସ୍ୱଭାବିକ ପରିବେଶ ରକ୍ଷା କରାଯାଇପାରି ନାହିଁ। ଆଉ ଗୃହ ବାରମ୍ବାର ମୁଲତବୀ ହୋଇଛି। ପ୍ରତିଦିନ ଲଗାତାର ଏମିତି ଅକାରଣ ବିରୋଧ ଚାଲିବା ଦ୍ୱାରା ରାଜ୍ୟବାସୀ ମଧ୍ୟ ବିଭିନ୍ନ ଫୋରମରେ ସମାଲୋଚନା କରିଛନ୍ତି। ବିଜେଡି ଜାଣିଶୁଣି ଗୃହକୁ ଚାଲିବାକୁ ଦେଉ ନାହିଁ ବୋଲି ବିଧାୟକମାନେ ବି ଅନୁଭବ କରିଛନ୍ତି। ସେଥିଲାଗି ଗୃହ ଭିତରେ ଏକାଠି ବୋଲି ଦର୍ଶାଉଥିଲେ ବି ଗୃହ ବାହାରେ ତାଙ୍କ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରମୁଖ ଭାବେ ଦେଖିଲେ ଅରୁଣ ସାହୁ, ଗୌତ୍ତମବୁଦ୍ଧ ଦାସ, ଗଣେଶ୍ୱର ବେହେରାଙ୍କ ଭଳି ପରିପକ୍ୱ ବିଧାୟକମାନେ ମଧ୍ୟ ପରୋକ୍ଷରେ ଗୃହ ନ ଚାଲିବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ସେମାନେ ଗୃହ ନ ଚାଲିବା ପାଇଁ ବିରୋଧୀ ଦଳକୁ ଦାୟୀର କରି ନାହାନ୍ତି କିନ୍ତୁ ଏହାକୁ ଶାସକ ଦଳର ଦୋଷ ବୋଲି ବି ବୟାନ କରିନାହାନ୍ତି।
ମିଳିଥିବା ସୂଚନା ଅନୁସାରେ ବିଧାନସଭା ପରିସର ଭିତରେ ବିରୋଧୀ ଦଳର ଏକ ବୈଠକରେ ଏଭଳି କିଛି ନେତା ଦଳର ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି। ସେମାନେ ଗୃହକୁ ଚଳାଇବା ପାଇଁ ବିରୋଧୀ ଦଳ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତି। ଗୃହ ଚାଲିଲେ ବିଧାୟକମାନେ ଅଧିକ ସଂଖ୍ୟାରେ ନିଜ ଅଞ୍ଚଳର ପ୍ରସଙ୍ଗ ବାବଦରେ ଆଲୋଚନା କରିପାରିବେ। ସ୍ୱଳ୍ପ ସମୟ ହେଲେ ବି ତାହା ତାଙ୍କ ପାଇଁ ଓ ସାରା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଗୃହରେ ହେଉଥିବା ଆଲୋଚନା ରେକର୍ଡରେ ରହେ ଏବଂ ଏହାର ପ୍ରଭାବ ସୁଦୂରବ୍ୟାପୀ ହୋଇଥାଏ। ଏଣୁ ଆଲୋଚନା ପାଇଁ କିଛି ବିଧାୟକ ବିରୋଧୀ ଦଳର ବୈଠକରେ କହିଥିବା ନେଇ ଚର୍ଚ୍ଚା ହେଉଛି।
ହେଲେ ଆଲୋଚନାକୁ ସୁଯୋଗ ଦେବା ବଦଳରେ ବିରୋଧୀ ଦଳ ବିକ୍ଷୋଭ, ଧାରଣା ଓ ପ୍ରତିବାଦକୁ ଗ୍ରହଣ କରିଥିଲା। ଗୃହ ମଧ୍ୟଭାଗରେ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜୀ ଦେବାକୁ ପସନ୍ଦ କରିଥିଲା। ଏହାଦ୍ୱାରା ସ୍ୱଳ୍ପକାଳୀନ ଅଧିବେଶନ ବି ଧୋଇ ହୋଇଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଧାୟକ ଅରୁଣ ସାହୁ କହିଛନ୍ତି ‘ ଜଣେ ବିଧାୟକ ଭାବେ ଦଳ ଯାହା କହିବ ସେ ତାକୁ ମାନିବେ। କିନ୍ତୁ ଜଣେ ରାଜନୀତି ବିଜ୍ଞାନ ଛାତ୍ର ଭାବେ ଗୃହ ଯେତେ ଚାଲିବ, ସରକାରୀ ଦଳର ମୁଖା ଖୋଲିବ। ଅନ୍ୟ ବିଧାୟକମାନେ ମଧ୍ୟ ପ୍ରକାରାନ୍ତେ ଏହାକୁ ସମର୍ଥନ କରିଛନ୍ତି।
ଯଦି ଗୃହ ଚାଲିଲେ ଫାଇଦା, ତେବେ ଏହାକୁ ଅସ୍ୱଭାବିକ କରିବାକୁ କିଏ ଚାହୁଁଛି? କାହିଁକି ଚାହୁଁଛି? ଏହାର ପରିଣତି କ’ଣ ହେବ?
କେହି କେହି କହୁଛନ୍ତି, ବିଜେଡିର ନେତା ଓ ରଣନୀତିକାର ରାଜ୍ୟ ବାହାରେ ଥିବାରୁ ତାଙ୍କୁ ସୁରକ୍ଷା ଦେବା ପାଇଁ ବିଜେଡି ଏ ଅଧିବେଶନରେ ଏପରି ଆଚରଣ ପ୍ରକାଶ କରିଥିଲା। ଯଦି ଦୂରରେ ଆଦେଶ ଦେଇ ଗୃହକୁ ଅଚଳ କରାଯାଇ ପାରିଲା ତେବେ ସେହି ମାଧ୍ୟମରେ ଗୃହକୁ ସୁଚାରୁରୂପେ ପରିଚାଳନା ପାଇଁ ଦଳ ବ୍ୟବସ୍ଥା କରିପାରି ନଥାଆନ୍ତା କି? ସଭାପତି ଏବଂ ବିରୋଧୀ ଦଳ ନେତା ଏଥିପ୍ରତି ସଜାଗ ହେବା ଉଚିତ ନଥିଲା କି?
ବିଧାନସଭାର ଇତିହାସକୁ ଦେଖିଲେ ବିଜେଡି ଶାସନରେ ଥିବା ବେଳେ ବି ବିଧାନସଭାକୁ ଗୁରୁତ୍ୱ ଦେଇ ନଥିବା ଜଣାଯାଏ। ୨୦୦୦ ମସିହାରୁ ୨୦୨୪ ଯାଏ ଶାସନରେ ଥିବା ଏହି ଦଳ ମାତ୍ର ତିନୋଟି ବର୍ଷ ୨୦୦୬, ୨୦୧୦ ଏବଂ ୨୦୧୨ରେ ବିଧାନସଭାର କାର୍ଯ୍ୟ ବିଧି ଅନୁସାରେ ବାର୍ଷିକ ୬୦ ଦିନ ବୈଠକ ଡାକିବାରେ ସମର୍ଥ ହୋଇଥିଲେ। ଅନ୍ୟ ୨୧ ବର୍ଷରେ ଶାସକ ଦଳ କେତେବେଳେ ୧୭ ଦିନ ତ କେଉଁ ବର୍ଷ ୪୦ ଦିନ, ୫୨ ଦିନ ବୈଠକ ଡାକିଛନ୍ତି କିନ୍ତୁ କେବେ ବାର୍ଷିକ ୬୦ ଦିନ ଅଧିବେଶନ ବୈଠକ ଡାକିବାର ସଂକଳ୍ପକୁ ପାଳନ କରିପାରି ନାହାନ୍ତି।
ବିଧାନସଭାର ଅଧିବେଶନ କେବଳ ରାଜ୍ୟପ୍ରସଙ୍ଗକୁ ଆଲୋଚନାର ସୁଯୋଗ ଦିଏ ତାହା ନୁହେଁ, ଦୂର ଦୂରାନ୍ତରୁ ଆସିଥିବା ବିଧାୟକଙ୍କ ପାଇଁ ନିଜ ଅଞ୍ଚଳର ପ୍ରସଙ୍ଗକୁ ସରକାରଙ୍କ ଆଗରେ ଉପସ୍ଥାପନ କରିବାକୁ ସୁଯୋଗ ଦେଇଥାଏ। ଅପରପକ୍ଷେ ବିଧାୟକ ଓ ଅନ୍ୟ କର୍ମଚାରୀଙ୍କୁ ମିଳୁଥିବା ଦୈନିକ ପ୍ରାପ୍ୟ, ପାରିଶ୍ରମିକ, ଭାତ୍ତା ଓ ଦରମାକୁ ମଧ୍ୟ ନିଣ୍ଚିତ କରାଇଥାଏ। ଯଦି ଅଧିବେଶନ ଅଧାରୁ ବନ୍ଦ ହୁଏ ତେବେ ଏହିଭଳି କର୍ମଚାରୀ ଅନେକ କ୍ଷତିଗ୍ରସ୍ତ ହୋଇଥା଼ନ୍ତି।
ତଥାପି ଗୃହ ଆରମ୍ଭରୁ ବିନା କୌଣସି ପ୍ରସଙ୍ଗରେ ମୁଲତବୀ ରହିବା ଏକ ଅନୁଚିତ ପରମ୍ପରା ସୃଷ୍ଟି କରୁଥିବା ଅଭିଯୋଗ ହୁଏ। ଏହାକୁ ଦୂର କରିବାକୁ ହେଲେ ଉଭୟ ସରକାରୀ ଓ ବିରୋଧୀ ଦଳକୁ ସାମ୍ନାକୁ ଆସିବାକୁ ପଡ଼ିବ। ଯଦି ତାହା ନହେଉଛି ତେବଳେ ଏହା ମାନିବା ଆବଶ୍ୟକ ଯେ, ବିଜେଡିରେ ଭାଗବଣ୍ଟା ଆକୁ ଆଉ ବେଶୀଦିନ ଅପେକ୍ଷା କରିବ ନାହିଁ।