)
Nuapada by election: ପୂର୍ବତନ ମନ୍ତ୍ରୀ ତଥା ନୂଆପଡ଼ାର ବିଧାୟକ ରାଜେନ୍ଦ୍ର ସିଂ ଢୋଲକିଆଙ୍କ ଅକାଳ ବିୟୋଗ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ନିର୍ବାଚନ ବିଧି ଅନୁସାରେ ଆସନ୍ତା ୬ ମାସ ଭିତରେ ଏହି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବ। ଯାହାକି ଉଭୟ ବିଜେଡି ଓ ବିଜେପି ଆଗରେ ବିଶାଳ ପ୍ରଶ୍ନବାଚୀ ସୃଷ୍ଟି କରିବ। କାରଣ ବିଜେଡିରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଆଗକୁ ଏ ଆସନ ରକ୍ଷା କରିପାରିବ କି ନା ତାହା ନେଇ ଗୋଟିଏ ପଟେ ସନ୍ଦେହ ଉପୁଜୁଥିବା ବେଳେ ପ୍ରଥମ ଉପନିର୍ବାଚନରେ ରାଜ୍ୟର ପ୍ରଥମ ବିଜେପି ସରକାର ସଫଳତାର ସ୍ୱାଦ ଚାଖିବେ ନା ନାହିଁ ତାହା ପ୍ରଶ୍ନବାଚୀ ହେବ।
ରାଜା ଅନୁପ ସିଂହଦେଓଙ୍କ ପରେ ନୂଆପଡ଼ା ବିଧାନସଭା ମଣ୍ଡଳୀରେ ଅଣ କଂଗ୍ରେସ ରାଜନୀତିର ନିଅଁ ପଡ଼ିଥିଲା। ଏଭିତରେ ୧୬ଟି ସାଧାରଣ ନିର୍ବାଚନ ଭିତରୁ ମାତ୍ର ୪ଟିରେ କଂଗ୍ରେସ ପ୍ରାର୍ଥୀ ବିଜୟ ହୋଇଛନ୍ତି। ବାକି ସବୁଥିରେ ଅଣ କଂଗ୍ରେସ ଦଳ ହିଁ ନିର୍ବାଚନ ମଣ୍ଡଳୀର ହର୍ତ୍ତାକର୍ତ୍ତା ହୋଇଛନ୍ତି। ଅର୍ଥାତ୍ ଏବେ ଆଉ କଂଗ୍ରେସ ନୂଆପଡ଼ାରେ ଏକ କାରକ ହୋଇ ନାହିଁ। ବରଂ ଲଢ଼େଇ ବିଜେଡି ବନାମ ବିଜେପି ହେବ। ନହେଲେ ବିଜେଡି ବନାମ ବିଜେଡି ହେବ।
ବିଜେଡି ବନାମ ବିଜେଡି କହିବାର ଅର୍ଥ ହେଉଛି ପାଣ୍ଡିନ୍ ବନାମ ପାଣ୍ଡିଆନ୍ ବିରୋଧୀ ନେତା। ଯଦିଓ ପାଣ୍ଡିଆନ୍ ସକ୍ରିୟ ରାଜନୀତିରୁ ଦୂରେଇଛନ୍ତି ପାର୍ଟିର ସବୁ ନିଷ୍ପତ୍ତି ତାଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପରେ ହୋଇଚାଲିଛି। ଏଣୁ ପ୍ରାର୍ଥୀ ଯିଏ ହେବେ ତାଙ୍କରି ସୁପାରିସରେ ହିଁ ଟିକଟ ପାଇବେ। ପରିବାରରୁ ହେଲେ ବି ପାଣ୍ଡିଆନଙ୍କ ସମର୍ଥନକୁ ଏଡ଼ାଇବା ପାଇଁ କିଛି ବିଜେଡି ନେତା ଚେଷ୍ଟା କରିବେ। କାରଣ ଏହି ନିର୍ବାଚନରେ ବିଜେଡିର ବିଜୟ ପାଣ୍ଡିଆନଙ୍କ ହାତମୁଠାକୁ ଅଧିକ ଶକ୍ତ କରିବ। ଆଉ ଏହା କେବେ ଅସନ୍ତୁଷ୍ଟ ଗୋଷ୍ଠୀ ଚାହିଁବେ ନାହିଁ।
ଏଣୁ ବିଜେଡି ପ୍ରାର୍ଥୀଙ୍କ ଉପରେ ଦୁଇଟି ପ୍ରମୁଖ ଚ୍ୟାଲେଞ୍ଜ ରହିବ। ଗୋଟିଏ ହେଉଛି ନିଜ ଦଳ ଓ ଅନ୍ୟଟି ସରକାର। ସରକାରଙ୍କୁ ଆସିବା ପରେ ପ୍ରଥମ ନିର୍ବାଚନ ହୋଇଥିବାରୁ ବିଜେପି ଏହି ନିର୍ବାଚନରେ କଳ, ବଳ ଓ କୌଶଳ ଲଗାଇବାକୁ ଚେଷ୍ଟା କରିବ। କାରଣ ଏହା ନହେଲେ ଉଭୟ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଇଁ ତିଆରି ହୋଇଥିବା ଜାଲ ଆହୁରି ଶକ୍ତ ହେବ।