)
Jajpur Politics: ଯାଜପୁର କୋରେଇ ରାଜନୀତିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବିଜେଡି ନେତା ପ୍ରଣବ ପ୍ରକାଶ ଦାସ (ବବି ଦାସ) ଏବେ କୋରେଇ ନିର୍ବାଚନ ମଣ୍ଡଳିର କାର୍ଯ୍ୟକ୍ରମରେ ସକ୍ରିୟ ରହିବାକୁ ଉଦ୍ୟମ କରୁଛନ୍ତି । ନିକଟରେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଷଠିପୁର ନିକଟରେ ଥିବା ଏକ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହୋଇଥିଲା ବନ୍ଧୁମିଳନ କାର୍ଯ୍ୟକ୍ରମ । ଏହି ଅବସରରେ ବବିଙ୍କ କିଛି କଥାକୁ ନେଇ ରାଜନୀତି ସରଗରମ ହେଇଛି । ବବିଙ୍କ କଥାକୁ କଡା କାଉଣ୍ଟର କରିଛନ୍ତି ବିଧାୟକ ଆକାଶ ଦାସନାୟକ ।
ବନ୍ଧୁମିଳନ କାର୍ଯ୍ୟକ୍ରମରେ ବବି ଦାସ କହିଥିଲେ ଯେ, 'ବାବାଙ୍କ ନିଶ ବଦଳିନି କି କୋରେଇ ଲୋକ ବଦଳିନାହାନ୍ତି।' ଏହି କଥାରୁ ସାଧାରଣରେ ଚର୍ଚ୍ଚା ହେଉଛି ଯେ, କୋରେଇ ନିର୍ବାଚନ ମଣ୍ଡଳୀର ଲୋକଙ୍କ ଆସ୍ଥାଭାଜନ ହେବାକୁ ଉଦ୍ୟମ କରୁଛନ୍ତି ବବି । କେବଳ ସେତିକି ନୁହେଁ, ବବି ଏକଥା ମଧ୍ୟ କହିଛନ୍ତି ଯେ, 'ମୋ ପାଇଁ ଯାଜପୁର ଦେବକୀ ମାଆ ଏବଂ କୋରେଇ ଯଶୋଦା ମାଆ' । କୋରେଇ ନିର୍ବାଚନ ମଣ୍ଡଳୀକୁ ଫେରିବା ପାଇଁ ବବି ଏପରି କହୁଥିବା ସାଧାରଣଲୋକେ କହୁଛନ୍ତି ।
କେବଳ ସେତିକି ନୁହେଁ, ଗତ ନିର୍ବାଚନରେ ବବିଙ୍କ ମାଆ ସନ୍ଧ୍ୟାରାଣୀ ବିଜେଡି ଟିକେଟରେ କୋରେଇର ପାଇଁ ନିର୍ବାଚନ ଲଢି ଓ ପରାଜୟର ସମ୍ମୁଖୀନ ହୋଇଥିଲେ । ଏହି କଥାକୁ ନେଇ ବବି କହିଛନ୍ତି ଯେ, ମୋ ମାଆ ଜିତିବା ହାରିବା ବଡ଼ ନଥିଲା ବରଂ ମୋ ଘରକୁ ଫେରିବା ମୋ ପାଇଁ ଇମ୍ପୋଣ୍ଟାଣ୍ଟ ଥିଲା। ନବୀନ ବାବୁଙ୍କ ପାଇଁ ମୋ ମାଆ ଘରକୁ ଫେରିଛନ୍ତି ବୋଲି ବବି କହିଥିଲେ । ଆମକୁ ଲୋକମାନଙ୍କ ଆଶୀର୍ବାଦ ଦରକାର କ୍ଷମତା ନୁହେଁ ବୋଲି ବବି କହିଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ, ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ସମୟରେ ଆଗାମୀ ୨୦୨୯ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ବବି ଏବେଠୁ ଗୋଟି ଚାଳନା ଆରମ୍ଭ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି। କାରଣ କୋରେଇରେ ବିଭନ୍ନ କାର୍ଯ୍ୟକ୍ରମରେ ଏବେ ବବିଙ୍କୁ ଦେଖିବାକୁ ମିଳୁଛି ।
ଅନ୍ୟପଟେ, ବବି ଦାସଙ୍କ କୋରେଇ ଫେରିବା ମନ୍ତବ୍ୟକୁ ନେଇ କଡା କାଉଣ୍ଟର କରିଛନ୍ତି ବିଧାୟକ ଆକାଶ ଦାସନାୟକ । ଯାଜପୁର ଦେବକୀ ଓ କୋରେଇ ଯଶୋଦା ମା ମନ୍ତବ୍ୟକୁ ନେଇ ଆକାଶ କହିଛନ୍ତି ଯେ, କ୍ଷମତାର ଶୀର୍ଷରେ ଥିଲା ସମୟରେ କୋରେଇ ମାଆ କଥା ତାଙ୍କର ମନେ ପଡ଼ିଲାନି ବର୍ତ୍ତମାନ କ୍ଷମତା ଗଲା ପରେ କୋରେଇ ବିକାଶ କଥା ମନେ ପଡ଼ିଛି । ଆଉ ବିଦେଶୀ ଶାସନକୁ ଯିବେନି ବୋଲି କୋରେଇବାସୀ ମନ ସ୍ଥିର କରି ସାରିଛନ୍ତି । କୋରେଇବାସୀ ଆଉ ବାହାର ପ୍ରାର୍ଥୀଙ୍କୁ ଗ୍ରହଣ କରିବେ ନାହିଁ । ବବି ଦାସ ଯାଜପୁରରେ ଜନ୍ମ କିନ୍ତୁ ମୁଁ ଜନ୍ମ ହୋଇଛି ଏବଂ ବଢିଛି କୋରେଇରେ । ଯଦି ମୋ ବିରୋଧରେ ଲଢ଼େଇ କରିବେ ତେବେ ମୁଁ ସ୍ବାଗତ କରିବି ବୋଲି ଆକାଶଦାସ ନାୟକ କହିଛନ୍ତି ।