)
ଭୁବନେଶ୍ୱର: ବିଜେପିର ଜଣେ ପରାଜିତ ବିଧାୟକ ପ୍ରାର୍ଥୀଙ୍କ କାହାଣୀ ଆଜି ଭାଇରାଲ ହେବାରେ ଲାଗିଛି। ନିଜ ଅନୁସାରେ ବ୍ଲକରେ କାର୍ଯ୍ୟ ହେଉ ନଥିବାରୁ ସମ୍ପୃକ୍ତ ବିଜେପି ନେତା ଜଣେ ମହିଳା ବିଡିଓଙ୍କ ଉପରକୁ ଆକ୍ରମଣ ଉଦ୍ୟମ କରିଥିବା ଭିଡିଓ ଏବେ ଚର୍ଚ୍ଚାର ବିଷ୍ରୟ ହୋଇଛି। ଯେଉଁ ସରକାର ମହିଳାଙ୍କ ସ୍ୱାର୍ଥ, ସମ୍ମାନକୁ ଉପରେ ରଖେ ବୋଲି କହି ବୁଲୁଛି ତାହାରି କର୍ମୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ତାହାକୁ ନେଇ ପ୍ରଶ୍ନ ବି ଉଠିଛି।
ଶୁକ୍ରବାରଦିନ ଏହି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ। ସିସିଟିଭିରେ ରେକର୍ଡ ହୋଇଥିବା ଭିଡିଓ ଅନୁସାରେ ବିଡିଓଙ୍କ ଚାମ୍ବରରେ ବିଜେପିର ବିଧାୟକ ପ୍ରାର୍ଥୀ ଓ ତାଙ୍କର କିଛି ସମର୍ଥକ ଜମା ହୋଇଛନ୍ତି। ବିଧାୟକ ପ୍ରାର୍ଥୀ ଲଳିତ କୁମାର ବେହେରା ବିଡିଓଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ସମୟରେ କିଛି ମାମଲାକୁ ନେଇ ଘମାଘୋଟ ଯୁକ୍ତି ହେଉଛି। କେହି ଜଣେ ତାଙ୍କ ସମର୍ଥକ ଏ ବିଷୟରେ ବିଡିଓଙ୍କୁ ବୁଝାଇବାକୁ ଚାହିଁଛନ୍ତି। ଆଉ ଏହି ସମୟରେ ହଠାତ୍ ଲଳିତ କୁମାର ବେହେରା ଚେୟାରରୁ ଉଠି ମନିଟର ଓ ମାଉସ ଉଠାଇ ବିଡିଓଙ୍କ ଉପରକୁ ଫୋପାଡ଼ିବାକୁ ଉଦ୍ୟମ କରୁଛନ୍ତି। ଏହି ସମୟରେ ଅନ୍ୟମାନେ ତାଙ୍କୁ ଅଟକାଇବାରୁ ବିଡିଓ ଅଳ୍ପକେ ବର୍ତ୍ତିଛନ୍ତି। ଏହା ପୁଣି ଥରେ ନୁହେଁ ଦୁଇଥର ହୋଇଥିବା ଦେଖିବାକୁ ମିଳୁଛି।
ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟି ଏ ନେଇ କୌଣସି ଏତଲା ଦାଖଲ କରି ନଥିଲେ ମଧ୍ୟ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ସେ ସରକାରଙ୍କ ନିୟମ ଅନୁଯାୟୀ କାମ ହେବ ବୋଲି କହିବାରୁ ବିଜେପି କର୍ମୀମାନେ ଉତକ୍ଷିପ୍ତ ହୋଇ ବଚସା କରିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ କଥାରେ କାମ ନକଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ଦେଇଥିବା ସୂଚନା ରହିଛି।
ଲୋକଙ୍କ ସରକାର ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସରକାର ଆଗରେ ଏହି ପ୍ରକାର ଦୃଶ୍ୟ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଏଠାରେ ଜଣେ ମହିଳା ସରକାରୀ କର୍ମଚାରୀଙ୍କ ଉପରକୁ ଆକ୍ରମଣ ଏବେ ଏହି ସରକାରଙ୍କ ଆଭିମୁଖ୍ୟକୁ ପଦାରେ ପକାଇଥିବା ଅଭିଯୋଗ ହୋଇଚି। ବ୍ଲକ୍ ଅଧ୍ୟକ୍ଷା କହିଛନ୍ତି, ଏପରି ଅନେକଥର ଘଟଣା ଘଟିଛି। କିନ୍ତୁ ତାହାକୁ ରାଜନୀତିକ ବୋଲି କହି ଟାଳି ଦିଆଯାଇଛି। ଏବେ ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ସରକାର କଥା କହୁଛନ୍ତି, ଉ ପମୁଖ୍ୟମନ୍ତ୍ରୀ ଖୋଦ ଜଣେ ମହିଳା ଏଣୁ ନ୍ୟାୟ କେମିତି ମିଳିବ ତାହାକୁ ଅପେକ୍ଷା କରାଯାଇଛି।