)
ଭୋପାଲ: ମଧ୍ୟପ୍ରଦେଶରେ ୨୫ ବିଧାନସଭା ଆସନରେ ଉପନିର୍ବାଚନ ହେବ । ଯଦିଓ ଏନେଇ ତାରିଖ ଘୋଷଣା ହୋଇନି, ତେବେ ପ୍ରସ୍ତୁତି ଆରମ୍ଭ କଲେଣି ଉଭୟ ବିଜେପି ଓ କଂଗ୍ରେସ । କଂଗ୍ରେସର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଏବେ ଶିବରାଜ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ତୁଲସୀ ସିଲାୱଟଙ୍କୁ ବ୍ରାଣ୍ଡିଂ କରିବାକୁ 'ତୁଳସୀ'କୁ ହତିଆର କରିଛି ଭାରତୀୟ ଜନତା ପାର୍ଟି । ଅନ୍ୟପଟେ ନିଜ ଘରେ ହିଁ ସିଲୱଟଙ୍କୁ ଟକ୍କର ଦେବାକୁ 'ସପ୍ଟ ହିନ୍ଦୁତ୍ୱ' ରାସ୍ତା ଆପଣେଇଛି କଂଗ୍ରେସ । ଆଉ ଏଥିପାଇଁ ସାହାରା ସାଜିଛି 'ଶିବଲିଙ୍ଗ' ।
କୋରୋନା ସଙ୍କଟ ମଧ୍ୟରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି । ଏବେ ମଧ୍ୟପ୍ରଦେଶରେ କ୍ଷମତାରେ ଥିବା ବିଜେପିର 'ହର ହର ମୋଦି, ଘର ଘର ତୁଲସୀ' ଅଭିଯାନ । ଦଳର କାର୍ଯ୍ୟକର୍ତ୍ତା ଘର ଘର ଯାଇ ତୁଲସୀ ଚାରା ଲୋକଙ୍କୁ ବଣ୍ଟନ କରୁଛନ୍ତି ।
25 सीटों पर उपचुनाव के लिये #कांग्रेस #बीजेपी सॉफ्ट हिन्दुत्व की राह पर, सांवेर में @BJP4MP कह रही है हर हर मोदी, घर घर तुलसी हर घर में तुलसी बांटने की योजना, @INCMP बांट रही है शिवलिंग नारा है हर हर महादेव घर घर महादेव @ndtvindia pic.twitter.com/TF00McsT1z
— Anurag Dwary (@Anurag_Dwary) July 16, 2020
ଅନ୍ୟପଟେ 'ହର ହର ମହାଦେବ, ଘର ଘର ମହାଦେବ' ଅଭିଯାନ ମାଧ୍ୟମରେ ଲୋକଙ୍କ ଦ୍ୱାର ମୁହଁରେ ପହଞ୍ଚୁଛି କଂଗ୍ରେସ । ସାୱେର(Sanwer)ରେ କଂଗ୍ରେସ ପକ୍ଷରୁ ଛୋଟ ଛୋଟ ଶିବଲିଙ୍ଗ ବଣ୍ଟାଯାଉଛି । ଏହି ନିର୍ବାଚନ ମଣ୍ଡଳୀରେ ୫୧ ହଜାର ଶିବଲିଙ୍ଗ ବାଣ୍ଟିବାକୁ ଲକ୍ଷ ରଖିଛି କଂଗ୍ରେସ । ଶିବଲିଙ୍ଗ ସହ ଉପାସନା ସାମଗ୍ରୀ, ନୈବେଦ୍ୟ ଏବଂ ଏକ ତମ୍ବା ଷ୍ଟାଣ୍ଡ ମଧ୍ୟ ଦିଆଯାଉଛି ।
କଂଗ୍ରେସ ନେତା ପ୍ରେମ ଚନ୍ଦ ଗୁଡ୍ଡୁ ବିଜେପିକୁ ସମାଲୋଚନା କରି କହିଛନ୍ତି, ଭାରତୀୟ ଜନତା ପାର୍ଟି ଆମର କପି କରୁଛି । କିନ୍ତୁ ନକଲ ପାଇଁ ଅକଲ ଥିବା ଦରକାର । ଆମେ ଘରେ ଘରେ ପଞ୍ଜିକରଣ କରୁଛୁ । ଘରେ ଘରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେ ଶିବଲିଙ୍ଗ ସ୍ଥାପନା କରୁଛୁ ବୋଲି କହିଛନ୍ତି ପ୍ରେମ ଚନ୍ଦ ।

ସେପଟେ ସାୱେରରୁ କଂଗ୍ରେସ ଟିକଟରେ ପୂର୍ବରୁ ଜିତିଥିଲେ ତୁଲସୀ ସିଲାୱଟ । ଏବେ ସେ କଂଗ୍ରେସରୁ ବାହାରି ବିଜେପି ସରକାରରେ ମନ୍ତ୍ରୀ ଅଛନ୍ତି । ଉପନିର୍ବାଚନରେ ସେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ ! ତାଙ୍କ ନାଁ ତୁଲସୀ ମୁତାବକ ବିଜେପି ଏହି ନିର୍ବାଚନ ମଣ୍ଡଳୀରେ 'ହର ହର ମୋଦି, ଘର ଘର ତୁଲସୀ' ଅଭିଯ।ନ ଆରମ୍ଭ କରିଥିବା କୁହାଯାଉଛି । ଦଳୀୟ ନେତାଙ୍କ କହିବା କଥା ଏହା ଯେ, ତୁଳସୀ ଗଛର ବହୁ ଔଷଧୀୟ ଗୁଣ ରହିଛି । ସେହିପରି ଧାର୍ମିକ ମହତ୍ତ୍ୱ ମଧ୍ୟ ଅଛି । କୋରୋନା ସଙ୍କଟ ସମୟରେ ତୁଳସୀ ବେଶ ଉପଦେୟ ବୋଲି କହିଛନ୍ତି ବିଜେପି ନେତା ।
ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି ସତ । କିନ୍ତୁ କୋରୋନା ସଙ୍କଟ ସମୟରେ ମଧ୍ୟ ପ୍ରଚାରରେ ମାତିଲେଣି ବିଜେପି ଓ କଂଗ୍ରେସ । ଅବଶ୍ୟ ମଧ୍ୟପ୍ରଦେଶ ଉପନିର୍ବାଚନ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱବହନ କରୁଛି । କାହିଁକିନା ସିନ୍ଧିଆ ଗୋଷ୍ଠୀଙ୍କ ବିଦ୍ରୋହ ଯୋଗୁ କମଲନାଥ ସରକାର ଭାଙ୍ଗିଥିଲା । ଏବେ ଶିବରାଜ ସରକାରଙ୍କୁ କ୍ଷମତାରୁ ହଟାଇବାକୁ ହେଲେ, କଂଗ୍ରେସକୁ ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।