ଆଗକୁ ଆସୁଛି ଉପନିର୍ବାଚନ, ଏବେ ଠାରୁ ଆରମ୍ଭ ହୋଇଗଲାଣି ପ୍ରଚାର

ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ଲାଗି ଏବେ ଠାରୁ ଆରମ୍ଭ ହୋଇଗଲାଣି ଭିତିରିଆ ପ୍ରଚାର ।

ଆଗକୁ ଆସୁଛି ଉପନିର୍ବାଚନ, ଏବେ ଠାରୁ ଆରମ୍ଭ ହୋଇଗଲାଣି ପ୍ରଚାର

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ରାଜ୍ୟରେ ଉପନିର୍ବାଚନ ତାତି ଅନୁଭୂତ ହେଲାଣି। ତାରିଖ ଘୋଷଣା ହୋଇନାହିଁ, ହେଲେ ଭିତିରିଆ ପ୍ରଚାର ଜୋରଦାର କଲେଣି ତିନି ପ୍ରମୁଖ ଦଳ । ଉପକୂଳ ଓଡିଶାର ଏହି ଦୁଇଟି ଆସନରୁ ହାତେଇବା ଲାଗି  ପ୍ରୟାସ ଆରମ୍ଭସ କରି ଦେଇଛନ୍ତି ୩ ପ୍ରମୁଖ ଦଳ ।

ତିର୍ତ୍ତୋଲ ପାଇଁ କଂଗ୍ରେସର ୬ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇ ନିର୍ବାଚନ କମିଟି ନିକଟରେ ଦାଖଲ କରାଯାଇଥିବା ବେଳେ ବାଲେଶ୍ୱର ସଦର ପାଇଁ ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଦଳର ପ୍ରଥମ ପସନ୍ଦ ରହିଛନ୍ତି । ଏପରିକି ଦଳ ଦୁଇଟି ନିର୍ବାଚନମଣ୍ଡଳୀରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିବା କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ଉଭୟ ଆସନକୁ ଜିତି ରାଜ୍ୟରେ ବିଧାୟକ ସଂଖ୍ୟା ୯ରୁ ୧୧କୁ ବୃଦ୍ଧି କରିବାକୁ ଦୃଢୋକ୍ତି ପ୍ରକାଶ କରିଛି କଂଗ୍ରେସ। 

ଉପନିର୍ବାଚନ ପାଇଁ ବିଜେପି ତୃଣମୂଳ ସ୍ତରରେ ପ୍ରଚାର ଆରମ୍ଭ କରିଛି। ପ୍ରାର୍ଥୀ ଚୟନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଖୁବଶୀଘ୍ର ସଂସଦୀୟ ବୋର୍ଡ଼କୁ ପଠାଇବାକୁ ପ୍ରସ୍ତୁତି ଚାଲିଥିବା ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଉଭୟ ଆସନକୁ ହାତେଇବା ପାଇଁ ବିଜେପି ଭିତିରିଆ ଯୋଜନା କରୁଛି। 

ଅନ୍ୟପକ୍ଷେ ଏହି ଦୁଇଟି ଯାକ ଦଳ ନିଶ୍ଚିତ ଜିତିବ ବୋଲି ବିଜେଡି କହିଛି। ତିର୍ତ୍ତୋଲରେ ବିରୋଧି ନଥିବାବେଳେ ବିଜେଡି ଉକ୍ତ ଆସନରେ ଜିତିବା ସହ ବାଲେଶ୍ୱର ସଦର ଆସନ ମଧ୍ୟ ହାତେଇବ ବୋଲି କହିଛି। ତିର୍ତ୍ତୋଲ ପାଇଁ ବିଜେଡିର ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ଦଳର ୫ ଜଣ ନେତା ଦେବାଶିଷ ସାମନ୍ତରାୟ, ରଘୁନନ୍ଦନ ଦାସ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା ଓ ପ୍ରଶାନ୍ତ ମୁଦୁଲି ଏହି ନିର୍ବାଚନନଣ୍ଡଳୀ ଦାୟିତ୍ୱରେ ଅଛନ୍ତି । 

ଦଳରେ କୌଣସି ଅସନ୍ତୋଷ ନାହିଁ ବୋଲି କୁହାଯାଇଛି। ଦୁଇଟି ଯାକ ଆସନ ନିହାତି ଜିତିବୁ ବୋଲି ବିଜେଡି କହିଛି । କୋଭିଡ ନିୟମ ମାନି ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଉଥିବା ବିଜେଡି ନେତା ଦେବାଶିଷ ସାମନ୍ତରାୟ କହିଛନ୍ତି । ଏହି ଉପନିର୍ବାଚନ ଜିତିବା ଶାସକ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ବିଜେପି ନିଜ ପୂର୍ବ ଆସନକୁ ବଞ୍ଚେଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି । ଏପଟେ କଂଗ୍ରେସ ପାଇଁ ଉଭୟ ଆସନ ସମ୍ମାନର ପ୍ରଶ୍ନ ହୋଇଛି ।