ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଜେଲର ୪ କାନ୍ଥ ଭିତରୁ ପୁଣି ଫେରିପାରନ୍ତି, ଚାଲିଛି କଳ୍ପନା
Advertisement

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଜେଲର ୪ କାନ୍ଥ ଭିତରୁ ପୁଣି ଫେରିପାରନ୍ତି, ଚାଲିଛି କଳ୍ପନା

ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନେଇ ଏବେ ସବୁ ଆଡ଼େ ଚର୍ଚ୍ଚା । ଅନ୍ତରୀଣ ଜାମିନରେ ଥିବା ଚିଲିକା ବିଧାୟକଙ୍କ ସ୍ୱାସ୍ଥବସ୍ଥା କିପରି ରହିଛି, ତାହାର ରିପୋର୍ଟ ଦେବା ପାଇଁ ମାନ୍ୟବର ହାଇକୋର୍ଟ ବାଣପୁର ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଖୋର୍ଦ୍ଧା ମେଡ଼ିକାଲରେ ହୋଇଯାଇଛି । ପ୍ରଶାନ୍ତ ଦ୍ୱିତୀୟ ଥର ପାଇଁ ଅନ୍ତରୀଣ ଜାମିନରେ ଥିବା ବେଳେ, ଆଜି ୫ଜଣିଆ ବିଶେଷଜ୍ଞ ଡ଼ାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟ ପରୀ୪ା କରିଛନ୍ତି ।

 

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଜେଲର ୪ କାନ୍ଥ ଭିତରୁ ପୁଣି ଫେରିପାରନ୍ତି, ଚାଲିଛି କଳ୍ପନା

ଖୋର୍ଦ୍ଧା: ଗତ ମାର୍ଚ୍ଚ ମାସ ୧୨ ତାରିଖ ଦିନ ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସମୟରେ ବ୍ଲକ ସମ୍ମୁଖରେ ବିଜେପି କର୍ମୀଙ୍କ ଆଡ଼କୁ ଗାଡ଼ି ମଡ଼ାଇ ନେବା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଜେଲ ଯିବାକୁ ପଡ଼ିଥିଲା । ସେହି ଦିନ ବିଜେପି କର୍ମୀଙ୍କ ଆକ୍ରମଣରେ ପ୍ରଶାନ୍ତ ଲହୁଲୁହାଣ ହୋଇ ପ୍ରଥମେ ଟାଙ୍ଗୀ ମେଡ଼ିକାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପୋଲିସ କଷ୍ଟଡ଼ି ମଧ୍ୟରେ ରହି ଚିକିତ୍ସା ହୋଇଥିଲେ । ତେବେ ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତୀ ଆସିବା ପରେ ମାର୍ଚ୍ଚ ୨୨ତାରିଖରେ ପୋଲିସ ତାଙ୍କୁ ଗିରଫ କରି ପ୍ରଥମେ ଭୁବନେଶ୍ୱର କୋର୍ଟରେ ହାଜର କରିବା ପରେ ଟ୍ରାଞ୍ଜିଟି ରିମାଣ୍ଡରେ ଆଣି ବାଣପୁର ଏସଡ଼ିଜେଏମଙ୍କ କୋର୍ଟରେ ହାଜର କରାଇଥିଲେ । ତେବେ ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂପୁର୍ଣ୍ଣ ଠିକ୍ ନଥିବାରୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାନ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଣପୁର କୋର୍ଟକୁ ଅଣାଯାଇଥିଲା ।

ପ୍ରଶାନ୍ତଙ୍କ ଓକିଲ ମେଡ଼ିକାଲରେ ରହି ପ୍ରଶାନ୍ତଙ୍କ ଚିକିତ୍ସା ପାଇଁ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହାକୁ ଅଗ୍ରାହ୍ୟ କରିବା ସହ ଜାମିନ ନାମଂଜୁର କରିଥିଲେ । ଏଥିସହ ବାଣପୁର ଜେଲରେ ପ୍ରଶାନ୍ତଙ୍କ ସହ ଏକ ସହାୟକ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଗତ ୨୭ ତାରିଖରେ ପ୍ରଶାନ୍ତଙ୍କୁ ମାନ୍ୟବର ହାଇକୋର୍ଟ ଅଧିକ ଚିକିତ୍ସା ପାଇଁ ୭ ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ବେଳେ, ପୁର୍ନବାର ୪ ତାରିଖ ଦିନ ଆଉ ୭ ଦିନ ପାଇଁ ମଧ୍ୟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏହା ମଧ୍ୟରେ ହାଇକୋର୍ଟ ବାଣପୁର ପୋଲିସକୁ ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା କିଭଳି ରହିଛି, ସେ ସଂପର୍କରେ ପରୀକ୍ଷା ନିରୀକ୍ଷା କରି କୋର୍ଟକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ବାଣପୁର ପୋଲିସ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା ସିଡ଼ିଏମଓ ଆର୍ତବନ୍ଧୁ ନାୟକଙ୍କ ତତ୍ୱବଧାନରେ ଏକ ୫ଜଣିଆ ଡ଼ାକ୍ତରୀ ଦଳ ଆଜି ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।

ଏହି ୫ ଜଣିଆ ଡ଼ାକ୍ତରୀ ଦଳରେ ଚକ୍ଷୁ, ଭେଷଜ, ଶଲ୍ୟ ଓ ଅସ୍ଥିଶଲ୍ୟ ଡ଼ାକ୍ତରଙ୍କ ସମେତ ଜିଲ୍ଲା ଚିକିତ୍ସା ଅଧିକାରୀ ଉପସ୍ଥିତ ରହି ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା କରିଥିଲେ । ତେବେ ଏହି ରିପୋର୍ଟ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ପହଂଚିବା ପରେ ପ୍ରଶାନ୍ତଙ୍କୁ ରେଗୁଲାର ବେଲ୍ ମିଳୁଛି, ନାଁ ଅନ୍ତରୀଣ ଜାମିନ ମିଳୁଛି, ତାହା କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ । ନଚେତ୍ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ ଆସନ୍ତା ୧୧ ତାରିଖରେ ପୁର୍ନବାର ଜେଲର କାଳ କୋଠରୀ ଭିତରକୁ ଯିବା ଏକ ପ୍ରକାର ନିଶ୍ଚିତ ହୋଇଯିବ ।