ପଞ୍ଜାବ କଂଗ୍ରେସର ଦଳିତ କାର୍ଡ
X

ପଞ୍ଜାବ କଂଗ୍ରେସର ଦଳିତ କାର୍ଡ

ଚରଣଜିତ ସିଂହ ଚନ୍ନିଙ୍କୁ ନିଜ ମୁଖ୍ୟମନ୍ତ୍ରୀ ଘୋଷଣା କରି କଂଗ୍ରେସ କେତେ ଲାଭରେ ରହିବ ।

ପଞ୍ଜାବ କଂଗ୍ରେସର ଦଳିତ କାର୍ଡ

ହିତାଂଶୁ ଶେଖର ମହାନ୍ତ, ନୂଆଦିଲ୍ଲୀ: ଏବେ ପଞ୍ଜାବରେ ଚନ୍ନି ରାଜ୍। ସ୍ୱଳ୍ପ ସମୟ ପାଇଁ ହେଉ ପଛକେ ରାଜ୍ୟରେ ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଚେହେରାକୁ ସାମ୍ନାକୁ ଆଣି କଂଗ୍ରେସ ନିଜ ଢୋଲ ବେଶ୍ ପିଟିବାରେ ଲାଗିଛି। କଂଗ୍ରେସ ଏଠାରେ ଅନୁସୂଚିତ ଜାତିର ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରି ଦଳିତଙ୍କ ଉଦ୍ଦେଶ୍ୟରେ ଖେଳିଛି ସଫ୍ଟ କାର୍ଡ। ତେବେ କଂଗ୍ରେସ ସରକାରର ଚଳିତ କାର୍ଯ୍ୟକାଳ ସରିବାକୁ ଅତିବେଶିରେ ଆଉ ମାତ୍ର ୬ ମାସ ବାକି। ପରବର୍ତ୍ତୀ ନିର୍ବାଚନରେ ଦଳ ଚନ୍ନିଙ୍କୁ ପ୍ରାର୍ଥୀ କରିବ କି ନାହିଁ, ସନ୍ଦେହ। ତଥାପି କ୍ଷମତାର ବାକଡୋର ହାତକୁ ଆସୁ ଆସୁ ଚନ୍ନି ରାଜ୍ୟର ଗରିବ ଓ କୃଷକମାନଙ୍କ ପାଇଁ ବିଜୁଳି ଓ ପାଣି ବିଲ୍ ଛାଡ଼ ଘୋଷଣା କରି ଦେଇଛନ୍ତି। କାରଣ ସେ ବି ଭଲଭାବରେ ଜାଣିଛନ୍ତି, ଏବେ ସିଏ ଯାହା ଘୋଷଣା-ଉଦଘୋଷଣା କଲେ ବି ପରବର୍ତ୍ତୀ ସରକାରରେ ସେ ଉତ୍ତରଦାୟୀ ରହିବେ ନାହିଁ। ତେଣୁ ଆଉ ପାଦେ ଆଗକୁ ଯାଇ ସେ ଦିଲ୍ଲୀରେ କେଜରିୱାଲ ଲାଗୁ କରିଥିବା ଏବଂ ଉତ୍ତରାଖଣ୍ଡରେ ଘୋଷଣା କରିଥିବା ବିଜୁଳି ବିଲ୍ ଛାଡ଼ ଘୋଷଣା କରିଦେଲେ ମଧ୍ୟ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସିଏ ଏବେ ନୂଆ ନୂଆ କ୍ଷମତାକୁ ହାତମୁଠାରେ ପାଇ ଖାଲି କୁରୁଳି ଉଠୁଛନ୍ତି। ନିଜ ଗଡଫାଦର ତଥା ପିସିସି ସଭାପତି ନଭଜୋତ ସିଂହ ସିଦ୍ଧୁଙ୍କୁ ଭୂୟସୀ ପ୍ରଶଂସାରେ ପୋତି ପକାଇବାରେ କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି ଚନ୍ନି। ୫୮ ବର୍ଷୀୟ ଚନ୍ନି କ୍ୟାପଟେନ ଅମରିନ୍ଦର ସିଂହ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ କିନ୍ତୁ କ୍ୟାପଟେନ ଅମରିନ୍ଦରଙ୍କ ପ୍ରଖର ବିରୋଧୀ ବି ଥିଲେ।

ତେବେ କଥା ହେଉଛି, ଯଦି ବିଦ୍ୟୁତ୍ ଶୁଳ୍କ ଛାଡ଼ କରିବାର ହିଁ ଥିଲା, ତେବେ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ସରକାର ତାହା ବିଚ୍ଛିନ୍ନ କରୁଥିଲେ କାହିଁକି? ଏଥରୁ ପଞ୍ଜାବରେ କଂଗ୍ରେସ ଭାଗ ଭାଗ ହୋଇ ଯାଇଥିବା ସ୍ପଷ୍ଟ ଜଣାପଡୁଛି। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଇଏ କେବଳ ଏକ ତାଳିପକା କାମ ଏବଂ କୌଣସି ପରିସ୍ଥିତିରେ ମଧ୍ୟ କଂଗ୍ରେସ ତାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚେହେରା କରିବ ନାହିଁ ବୋଲି ଚନ୍ନି ଭଲଭାବରେ ଜାଣନ୍ତି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କୁଆଡ଼େ ପଦ୍ମ ଧରିପାରନ୍ତି ବୋଲି ଗୁଜବ ହେଉଛି। କାରଣ ପଞ୍ଜାବ ରାଜନୈତିକ ଉଷ୍ଣତା ଯାଇ ରାଜସ୍ଥାନରେ ପହଞ୍ଚିଛି। ଅମରିନ୍ଦରଙ୍କ ଇସ୍ତଫା ସମ୍ପର୍କିତ ଟ୍ୱିଟକୁ ନେଇ ରାଜସ୍ଥାନ ସିଏମ୍ ଅଶୋକ ଗେହଲୋଟଙ୍କ ଓଏସଡି ଲୋକେଶ ଶର୍ମାଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ। ଦଳୀୟ ଚାପ ଫଳରେ ଶନିବାର ରାତି ଅଧରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ସେପଟେ ଟ୍ୱିଟ୍ କରି ଅମରିନ୍ଦରଙ୍କୁ ପଞ୍ଜାବବାସୀଙ୍କ ହିତ ଉଦ୍ଦେଶ୍ୟରେ ପଦକ୍ଷେପ ନେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋଟ ଦେଇଛନ୍ତି ପରାମର୍ଶ। ତେବେ ପାର୍ଟି ହାଇକମାଣ୍ଡଙ୍କ ଆବଶ୍ୟକତାଠାରୁ ଅଧିକ ଦଖଲରେ କ୍ଷୁବ୍ଧ କ୍ୟାପଟେନ୍ ଏହି ଅନୁରୋଧ କେତେଦୂର ରକ୍ଷା କରୁଛନ୍ତି, ତାହା ସମୟ ହିଁ କହିବ।

ତେବେ ନିଜେ ମୁଖ୍ୟମନ୍ତ୍ରୀ ନ ହୋଇ ନିଜ ସମର୍ଥକ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ସିଦ୍ଧୁ କାହିଁକି କିଙ୍ଗ୍ ମେକର ସାଜିଲେ, ତାହା ହୁଏତ କାହାରିକୁ ଅଛପା ନଥିବ। ପୂର୍ବରୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେଇ, ପୁଣି ପାକିସ୍ତାନ ଆର୍ମି ଚିଫ୍ ମେଜର ଜେନେରାଲ କମର ଜାବେଦ ବାଜୱାଙ୍କୁ ଆଲିଙ୍ଗନ କରି ସେ ତ ଯାହା ଦୁର୍ନାମ ଅର୍ଜିଥିଲେ, ତା'କୁ ପୁଣି ଗତକାଲି ବାରମ୍ବାର ଗଣମାଧ୍ୟମ ସାମ୍ନାରେ ଉଠାଇ କ୍ୟାପଟେନ ଅମରିନ୍ଦର ସିଂହ ଲୋକଙ୍କ ମନରେ ସେହି ସ୍ମୃତିକୁ ତାଜା କରିଦେଲେ। ବର୍ତ୍ତମାନ ସିଦ୍ଧୁଙ୍କ କଥା ଭାବଲେ, ଦେଶବାସୀଙ୍କୁ ବାଜୱାଙ୍କ ସହ ତାଙ୍କର ଆଲିଙ୍ଗନର ଚେହେରା ହିଁ ଆଖି ଆଗରେ ନାଚୁଛି। ତେଣୁ ଏଭଳି ଏକ ଦେଶବିରୋଧୀ ଇମେଜସମ୍ପନ୍ନ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରି ରିସ୍କ ନେବାକୁ ଚାହିଁଲାନି କଂଗ୍ରେସ। ସିଦ୍ଧୁ ବି ବେଶ୍ ଭଲଭାବରେ ଜାଣି ରଖିବା ଦରକାର, ତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରି କଂଗ୍ରେସ କେବେ ବି ପଞ୍ଜାବରେ କ୍ଷମତାକୁ ଆସିପାରିବ ନାହିଁ। କାରଣ ପ୍ରତ୍ୟେକ ପଞ୍ଜାବବାସୀଙ୍କ ରକ୍ତରେ ଦୌଡୁଛି ଦେଶପ୍ରେମ। ତେଣୁ ସିଏ ଯଦି ଭାବୁଥା'ନ୍ତି, ନିର୍ବାଚନ ଜିତିବା ପରେ ସେ ବ୍ୟାକ୍ ଡୋର ଦେଇ ଏଣ୍ଟ୍ରି କରିଯିବେ ବୋଲି, ତାହା ମଧ୍ୟ ସେତେଟା ସହଜ ଜଣାପଡୁନାହିଁ।

ଏବେ ଦେଖିବା, ଚରଣଜିତ ସିଂହ ଚନ୍ନିଙ୍କୁ ନିଜ ମୁଖ୍ୟମନ୍ତ୍ରୀ ଘୋଷଣା କରି କଂଗ୍ରେସ କେତେ ଲାଭରେ ରହିବ । ପ୍ରଥମ କଥା ହେଉଛି, ଦଳ ସାରା ଦେଶରେ ଜଣେ ଦଳିତଙ୍କୁ ନିଜ ମୁଖ୍ୟମନ୍ତ୍ରୀ କରିଥିବାରୁ ଏହାର ବାହାବାଃ ନେବାକୁ ତିଳେହେଲେ ସୁଯୋଗ ହାତଛଡ଼ା କରିବ ନାହିଁ। ଦ୍ୱିତୀୟତଃ ଦଳ ତାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଦଳ ବିଜେପିକୁ କାଉଣ୍ଟର କରିବାକୁ ଚନ୍ନିଙ୍କ ରୂପରେ ଏକ ବଡ଼ ଅସ୍ତ୍ର ହାତେଇଛି। କାରଣ ଦଳର କହିବା କଥା, ବିଜେପି ଦେଶର ୧୭ଟି ରାଜ୍ୟରେ କ୍ଷମତାସୀନ ଅଛି ସତ, ମାତ୍ର ଜଣେ ବି ଦଳିତ ବା ଅନୁସୂଚିତ ଜାତିର ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିନାହିଁ। ଏପରି କହି କଂଗ୍ରେସ ନିଜେ ପର୍ଯ୍ୟାପ୍ତ ଆତ୍ମସନ୍ତୋଷ ଲଭିଛି ସତ, ହେଲେ ଅନ୍ୟ ଦଳିତ ନେତାମାନଙ୍କର ଧ୍ୟାନ ଆକର୍ଷଣ କରିପାରିନାହିଁ। ଓଲଟି ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀଙ୍କ ଶାଣିତ କଟାକ୍ଷର ସାମ୍ନା କରିଛି । ଏପଟେ ପଞ୍ଜାବରେ କଂଗ୍ରେସ ଜଣେ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଲା, ତ ସେପଟେ ଉତ୍ତର ପ୍ରଦେଶରେ ବିଏସପି ନେତ୍ରୀ ମାୟାବତୀଙ୍କ ନାହି ଡେଉଁଛି। କଂଗ୍ରେସ ଉପରେ ଜୋରଦାର ଆଟାକ୍ କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। କହିଛନ୍ତି, ପଞ୍ଜାବରେ ଦଳିତ ସମ୍ପ୍ରଦାୟର ଲୋକେ କଂଗ୍ରେସର ପ୍ରରୋଚନାରେ ଆଦୌ ପଡ଼ିବେ ନାହିଁ। କଂଗ୍ରେସ ଉପରେ ଆଉ ଦଳିତମାନଙ୍କର ଭରସା ନାହିଁ। ଦଳିତ ବର୍ଗ କଂଗ୍ରେସ ପ୍ରତି ସତର୍କ ଚହିବାକୁ ଚେତାଇ ଦେଇଛନ୍ତି ମାୟାବତୀ। ପଞ୍ଜାବରେ କଂଗ୍ରେସ ଯାହା କଲା, ତାହା କେବଳ ଏକ ନିର୍ବାଚନୀ ଷ୍ଟଣ୍ଟ୍ ବୋଲି ପ୍ରକାଶ କରିଛନ୍ତି ମାୟାବତୀ। ଚରଣଜିତ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ଏକ ଛଳନା ଓ ପ୍ରତାରଣା ବୋଲି କହିଛନ୍ତି ମାୟାବତୀ । କାରଣ ସମସ୍ତେ ଜାଣନ୍ତି ଚନ୍ନି ଅଧିକ ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ବସି ପାରିବେ ନାହିଁ । କାରଣ ଆସନ୍ତାବର୍ଷ ଫେବ୍ରୁଆରୀ କିମ୍ବା ମାର୍ଚ୍ଚରେ ହେବ ପଞ୍ଜାବରେ ବିଧାନସଭା ନିର୍ବାଚନ । ତେଣୁ କ୍ଷମତାର ଲଡୁ ନ ଖାଇ ପସ୍ତେଇବା ଅପେକ୍ଷା ୬ ମାସ ପାଇଁ ହେଉ ପଛକେ ଖାଇବା ପରେ ପସ୍ତେଇଲେ ଚନ୍ନିଙ୍କ ପାଇଁ କ୍ଷତି କିଛି ନାହିଁ । କାରଣ ପରବର୍ତ୍ତୀ ସମୟରେ କଂଗ୍ରେସ ଯଦି କ୍ଷମତାକୁ ଫେରେ (ଅବଶ୍ୟ ଏହା ଏକ ଜଟିଳ ପ୍ରଶ୍ନ, କାରଣ ରାଜ୍ୟରେ ଆମ୍ ଆଦମୀ ପାର୍ଟି ପ୍ରତି ଏକ ଅଣ୍ଡର କରେଣ୍ଟ ଏଇ କିଛିଦିନ ହେବ ଅଭୂତପୂର୍ବ ଭାବରେ ବୃଦ୍ଧି ପାଇଛି) ତା'ଙ୍କ ପାଇଁ ହରାଇବାକୁ କିଛି ନାହିଁ । ବରଂ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବରେ ଚରଣଜିତ ସିଂହ ଚନ୍ନିଙ୍କ ନାଁ ପଞ୍ଜାବ ରାଜନୈତିକ ଇତିହାସରେ ସବୁଦିନ ପାଇଁ ମନେ ରହିବ।

 

Trending news