ରଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ, ଆଶାୟୀ ପ୍ରାର୍ଥୀଙ୍କ ଲଙ୍କାକାଣ୍ଡ

ଯୁବ କଂଗ୍ରେସର ସଭାପତି ପଦକୁ ନେଇ  କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି |

ରଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ, ଆଶାୟୀ ପ୍ରାର୍ଥୀଙ୍କ ଲଙ୍କାକାଣ୍ଡ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ହାଇ ଡ୍ରାମା | ଦଳର ଯୁବ ଶାଖାର ନବନିଯୁକ୍ତ ସଭାପତି ସ୍ମୃତିରଞ୍ଜନ ଲେଙ୍କା ବିଧିବଦ୍ଧ ଭାବେ ଦାୟୀତ୍ୱ ନେବା ସମୟରେ ଦଳୀୟ କାର୍ଯ୍ୟାଳୟରେ ସଂଘର୍ଷ ଦେଖିବାକୁ ମିଳିଛି | ଯୁବ କଂଗ୍ରେସ ସଭାପତିଙ୍କ ନିଯୁକ୍ତିକୁ ବିରୋଧ କରି ଅନ୍ୟ ଆଶାୟୀ ଗୋଷ୍ଠୀ ପାର୍ଟି ଅଫିସରେ ହୋହାଲ୍କା କରିବା ସହ 'ସ୍ମୃତି ଗୋ ବ୍ୟାକ'(smruti go back) ନାରା ଦେଇ କଂଗ୍ରେସ ଭବନ ମୁଖ୍ୟ ଫାଟକରେ ତାଲା ପକାଇଥିଲେ | 

ପରେ ସ୍ମୃତିଙ୍କ ସମର୍ଥକ ଗୋଷ୍ଠୀ ଆସି ଫାଟକ ତାଲା ଭାଙ୍ଗି ବିପକ୍ଷ ଗୋଷ୍ଠୀଙ୍କ ସହ ମୁହାଁମୁହିଁ ହେବା ପରେ ଛତ୍ରଭଙ୍ଗ ଦେଇଥିଲେ ବିରୋଧି | ଏମିତିକି କଂଗ୍ରେସ ଭବନ ପରିସରରେ ଖଣ୍ଡା ମଧ୍ୟ ବୁଲିଥିଲା। ଶେଷକୁ ପୋଲିସ ଲାଠି ଚାଳନା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା | ଏ ଘଟଣା ପରେ ପିସିସି ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି | 

ମଙ୍ଗଳବାର ଦିନ ପ୍ରାୟ ୧୦ଟା ସମୟରେ କଂଗ୍ରେସ ଭବନ ଭିତରେ କିଛି ଯୁବକ, ଛାତ୍ର ଓ ମହିଳା ପ୍ଲାକଡ଼ ଧରି ଗୋ ବ୍ୟାକ ସ୍ମୃତି ନାରା ଦେଇ ପ୍ରବେଶ କରିଥିଲେ | ଧିରେ ଧିରେ ଭିଡ ବଢ଼ିଲା ଓ ନବନିଯୁକ୍ତ ଯୁବ କଂଗ୍ରେସ ସଭାପତିଙ୍କ ବିପକ୍ଷ ଗୋଷ୍ଠୀଙ୍କ ପକ୍ଷରୁ ଦିଆଯାଉଥିବା ସ୍ଲୋଗାନ ଜୋର ଧରିଥିଲା | ଦିନ  ୧୧ଟା ବେଳକୁ କଂଗ୍ରେସ ଭବନ ଫାଟକରେ ତାଲା ପକାଇଲେ ଅପର ଗୋଷ୍ଠୀ | 

ଦିନ ୧୧ଟା ୧୫ ମିନିଟ ବେଳକୁ ଆରମ୍ଭ ହୋଇଗଲା ସଂଘର୍ଷ | ନବନିଯୁକ୍ତ ସଭାପତିଙ୍କ ସମର୍ଥକ ବହୁ ସଂଖ୍ୟାରେ ଆସି ଫାଟକ ତାଲା ଭାଙ୍ଗି ଭିତରେ ପଶିବା ସହ ଆକ୍ରମଣ କରିବା ପରେ ଛତ୍ରଭଙ୍ଗ ଦେଇଥିଲେ ବିରୋଧି | ଏମିତିକି କଂଗ୍ରେସ ଭବନ ପରିସରରେ ଖଣ୍ଡା ମଧ୍ୟ ବୁଲିଥିଲା | ଶେଷରେ ପୋଲିସ ଲାଠିଚାଳନା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା | 

ଏପରି ମହାସଙ୍ଘର୍ଷର ଡ୍ରାମା କଂଗ୍ରେସ ଭବନରେ ଦେଖିବାକୁ ମିଳିଥିଲା। ନବନିଯୁକ୍ତ ଯୁବ କଂଗ୍ରସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ରଥଯାତ୍ରାରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବାରୁ ଅନ୍ୟ ଆଶାୟୀଙ୍କ ସମର୍ଥକ କଂଗ୍ରେସ ଭବନ ଭିତରେ ଵିରୋଧ କରିଥିଲେ | ହେଲେ ସ୍ମୃତିଙ୍କ ସମର୍ଥକଙ୍କ ଏଣ୍ଟ୍ରି ଆଗରେ ଫିକା ପଡିଯାଇଥିଲେ ବିରୋଧି | ଦିନ ପ୍ରାୟ ୧୧ଟା ୩୫ ମିନିଟରେ ସ୍ମୃତି ଏକ ଶୋଭାଯାତ୍ରାରେ ଆସି କଂଗ୍ରେସ ଭବନରେ ଦାୟୀତ୍ୱ ନେଇଥିଲେ | 

ତାଙ୍କୁ ବିରୋଧ କରାଯିବା ପଛରେ ବିରୋଧି ଦଳର ଚାଲ ରହିଛି ବୋଲି କହିଛନ୍ତି ସେ | ଅନ୍ୟପକ୍ଷେ କୋରାପୁଟ ସାଂସଦ ସପ୍ତଗିରି ଉଲାକା କଂଗ୍ରେସ ଭବନ ସଂଘର୍ଷ ଘଟଣାକୁ ନିନ୍ଦା କରିବା ସହ ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି | ଅନ୍ୟପକ୍ଷେ କଂଗ୍ରେସ ଭବନରେ ଘଟିଥିବା ଘଟଣାର ତଦନ୍ତ ନିର୍ଦେଶ ଦେଇଛି ପିସିସି | ଏ ଘଟଣାର ତଦନ୍ତ କରିବା ପାଇଁ ପିସିସି ପକ୍ଷରୁ ପୂର୍ବତନ ସାଂସଦ ରଂଜିବ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ ଗଠନ କରାଯାଇଛି | 

ପ୍ରାୟ ୪ ଦିନ ମଧ୍ୟରେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି | ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିସିସି ସଭାପତି କହିଛନ୍ତି | ଅନ୍ୟପକ୍ଷେ ଏ ଘଟଣାକୁ ନିନ୍ଦା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ | ଯୁବ କଂଗ୍ରେସ ସଭାପତି ପଦ ପାଇଁ ବହୁ ପ୍ରମୁଖ ଦାବିଦାର ଥିବାବେଳେ ପୂର୍ବରୁ ପିସିସି ପକ୍ଷରୁ ଏକ କମିଟି ଗଠନ କରାଯାଇ ସେମାନଙ୍କ ସହ ଆଲୋଚନା ହୋଇଥିଲା | ହେଲେ କେନ୍ଦ୍ରୀୟ ନେତୃବୃନ୍ଦ ସ୍ମୃତିରଞ୍ଜନ ଲେଙ୍କାଙ୍କ ନାଁରେ ମୋହର ମାରିବା ପରେ ଏହାକୁ ଅନ୍ୟ ଆଶାୟୀ ବିରୋଧ କରୁଛନ୍ତି | ଯାହାର ପ୍ରତିଫଳନ ଆଜି ଦଳୀୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା |