ବନ୍ୟା ପାଲଟିଛି ରାଜନୈତିକ ମୁଦ୍ଦା: ବିରୋଧୀ-ଶାସକ ମୁହାଁମୁହିଁ

ବନ୍ୟାକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ। 

ବନ୍ୟା ପାଲଟିଛି ରାଜନୈତିକ ମୁଦ୍ଦା: ବିରୋଧୀ-ଶାସକ ମୁହାଁମୁହିଁ

ମଳୟ ମହାନ୍ତି, ଭୁବନେଶ୍ୱର: ବନ୍ୟାକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ। ବନ୍ୟାକୁ ଢେର ଦିନ ବିତିଯାଇଥିଲେ ମଧ୍ୟ କ୍ଷୟକ୍ଷତି ଆକଳନ କରିବାକୁ କେନ୍ଦ୍ରୀୟ ଟିମ ନ ଆସିବାକୁ ନାପସନ୍ଦ କରିଛି ଖୋଦ ରାଜ୍ୟର ଶାସକ ଦଳ। ବନ୍ୟାରେ ରାଜ୍ୟର ବ୍ୟାପକ କ୍ଷୟକ୍ଷତି ହୋଇ ଥିବାରୁ କେନ୍ଦ୍ରୀୟ ଟିମ ତୁରନ୍ତ ଆସି କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଦାବି କରିଛି ବିଜେଡି। ଟିମ ଆସିବାରେ ବିଳମ୍ବ କଲେ ବନ୍ୟା କ୍ଷୟକ୍ଷତିର ପ୍ରକୃତ ଆକଳନ କରବାରେ ସମସ୍ୟା ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି। 

ତେଣୁ ଏଭଳି ବିଳମ୍ବ ଠିକ ନୁହେଁ ବୋଲି ବିଜେଡିର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି। କଂଗ୍ରେସ ଏହାକୁ ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଳାକୋଳି ହେଉଛନ୍ତି ଓ ପରସ୍ପରକୁ ଧନ୍ୟବାଦ ଦେଉଛନ୍ତି। ହେଲେ ଏପର୍ଯ୍ୟନ୍ତ କେନ୍ଦ୍ରୀୟ ଟିମ କ୍ଷୟକ୍ଷତି ଆକଳନ ପାଇଁ ଆସିଲାନି। ଆଜି ବିଜେଡି କେନ୍ଦ୍ରୀୟ ଟିମ ଆସିଲାନି ବୋଲି ଦାବି କରିଛି। ବନ୍ୟା ୫ ରୁ ୨୦ ଦିନ ହେଲା ହେଲାଣି,  ରାଜ୍ୟ ସରକାର କରୁଥିଲେ କଣ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଏହା କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରଙ୍କ ଚାଷୀମାରଣ ନୀତିକୁ ଦର୍ଶାଉଛି ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି। 

ଅନ୍ୟପକ୍ଷରେ ବନ୍ୟା ହେବା ପାଇଁ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେପି। କେନ୍ଦ୍ରୀୟ ଟିମ ଖୁବଶୀଘ୍ର ବନ୍ୟା କ୍ଷୟକ୍ଷତି ଆକଳନ କରିବାକୁ ରାଜ୍ୟକୁ ଆସିବେ ବୋଲି ବିଜେପି କହିଥିବା ବେଳେ ରାଜ୍ୟ ସରକାର ୨୦୦୪ ରୁ ଏପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା ଠିକ କଲେ ନାହିଁ ଯେଉଁଥି ପାଇଁ ବନ୍ୟା ହେଲା ବୋଲି ବିଜେପି ଅଭିଯୋଗ କରିଛି। ଲୋକମାନେ ଜଳବନ୍ଦୀ ଥିବାବେଳେ ହୀରାକୁଦର ୪୬ଟି ଗେଟ ଖୋଲାଗଲା। 

ବଡ଼କଥା ହେଉଛି, ବନ୍ୟାପୂର୍ବରୁ ମହାନଦୀର ଉପର ରାଜ୍ୟ ଛତିଶଗଡ଼ ସହ ଯେଉଁ ସମନ୍ୱୟ ବୈଠକ ହେବା କଥା ତାହ ରାଜ୍ୟ ସରକାର କରିନାହାନ୍ତି। ଏହା ସହ କୋଭିଡ ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ୧୮ ଶହ କୋଟିରୁ ଅଧିକ ସହାୟତା ଦେଲେଣି, ବନ୍ୟା ପାଇଁ କେନ୍ଦ୍ରୀୟ ଟିମ ଆସି କ୍ଷତିପୂରଣ  ଆକଳନ କଲାପରେ କେନ୍ଦ୍ର ସରକାର ସବୁଥର ଭଳି ଉପଯୁକ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ। ରାଜ୍ୟରେ ବନ୍ୟାସ୍ଥିତି ସୁଧୁରିଥିଲେ ମଧ୍ୟ ଚାଷଜମିରେ ଫସଲ ସହ ଅନ୍ୟାନ୍ୟ ବହୁ କ୍ଷତି ହୋଇଛି। ଏଭଲି ସ୍ଥିତିରେ କେନ୍ଦ୍ରୀୟ ଟିମ ଆସିବାକୁ ନେଇ ବିଳମ୍ବ ହେବା ଚର୍ଚ୍ଚାର କାରଣ ହୋଇଛି।