)
ନୂଆପଡ଼ା ନିର୍ବାଚନ କେବଳ ପ୍ରାର୍ଥୀଙ୍କ ହାରଜିତ ନିର୍ଣ୍ଣୟ କରିବ ନାହିଁ। ଏହା ବିଜେଡିର ଅସ୍ତିତ୍ୱକୁ ମଧ୍ୟ ନିର୍ଦ୍ଧାରଣ କରିବ। କାରଣ ଏଥର ବିନା ପାଣ୍ଡିଆନ୍ରେ ବାଜି ଲାଗିବ ‘ବ୍ରାଣ୍ଡ ନବୀନ’। ଯେଉଁ ପାଣ୍ଡିଆନ୍ଙ୍କ ଯୋଗୁ ୨୦୨୪ ନିର୍ବାଚନରେ ନେତା, କର୍ମୀ ଓ ଜନତା ଦୁର୍ବଳ ହୋଇଥିଲେ ଏଥର ସେ ପାଣ୍ଡିଆନ୍ ଓହ୍ଲାଇବେ ନାହିଁ, ବରଂ ନବୀନ ନିର୍ବାଚନର ପ୍ରଚାର ଦାୟିତ୍ୱ ନେବେ ବୋଲି କହିବା ପରେ ଲଢ଼େଇ ଆଉ ଏକ ପାକ୍ଷିଆ ନହୋଇ ତ୍ରିମୁଖୀ ହେବାକୁ ଯାଉଛି। କେବଳ ସେତିକି ନୁହେଁ ଏ ନିର୍ବାଚନରେ ନବୀନ ମଧ୍ୟ ନିଜ ଭାବମୂର୍ତ୍ତିକୁ ମରାମତି କରିବାକୁ ସୁଯୋଗ ପାଇବେ, ଯାହା ଅଶୀ ବର୍ଷର ବିଜୁ ପୁତ୍ରଙ୍କୁ ନୂଆପଡ଼ା ଦେବାକୁ ଯାଉଛି।
ଏ ନିର୍ବାଚନ ଜିତିଲେ ବା ହାରିଲେ ବିଧାନସଭାରେ ବିଜେଡିର କିଛି ପରିବର୍ତ୍ତନ ହେବ ନାହିଁ। ୫୧ ଆସନରୁ ଗୋଟିଏ ଆସନ ଖସିଗଲେ ବିରୋଧୀ ଦଳ ମାନ୍ୟତାରୁ ବିଜେଡିକୁ କେହି ହଟାଇପାରିବେ ନାହିଁ କି ବିରୋଧୀ ଦଳ ନେତା ପଦରୁ ନବୀନଙ୍କୁ କେହି ଅଲଗା କରିପାରିବେ ନାହିଁ। ତଥାପି ନବୀନ ବ୍ରାଣ୍ଡ ପାଇଁ ଏ ନିର୍ବାଚନ ଏକ ବଡ଼ ପରୀକ୍ଷା। ଶେଷ ପରୀକ୍ଷା ବୋଲି ବି କହିପାରନ୍ତି। ଏହି ବ୍ରାଣ୍ଡକୁ ବ୍ୟବହାର କରି ଅତୀତରେ ଅନେକ ନେତାଙ୍କ କ୍ୟାରିୟର ଗଢ଼ା ହୋଇଛି। ଆଜି ତାହା ପୁଣି ବାଜି ଲାଗିଛି ୨୦୨୪ର ଜଣେ ହାରୁ ନେତା ସ୍ନେହାଙ୍ଗିନୀ ଛୁରିଆଙ୍କ ଲଢ଼େଇରେ। ଯଦି ସ୍ନେହାଙ୍ଗିନୀ ଛୁରିଆ ଜିତିଗଲେ ତେବେ ବିଜେଡି ତାହାର ଆସନକୁ ରକ୍ଷା କରିବା ସହ ବିଜେଡିର ସମସ୍ତ କନ୍ଦଳ, ଗୋଷ୍ଠୀବାଦକୁ ଦବାଇଦେବାରେ ସଫଳ ହେବ। ୨୦୨୯ରେ ବିଜେଡି ହିଁ ବିଜେପି ସହ ଲଢ଼ିବ ତାହା ସ୍ପଷ୍ଟ କରିବ। ଯଦି ହାରିବ ତେବେ ନେତା ଓ ଦଳ ସମସ୍ତେ ରାଜ୍ୟବାସୀଙ୍କ ଆସ୍ଥା ହରାଇବେ। ବିଜୁ ଜନତା ଦଳ ତଳିତଳାନ୍ତ ହୋଇଯିବ!
ଅନେକ ମିଡିଆ ରିପୋର୍ଟରେ ଆଜି ନବୀନଙ୍କ ‘ସ୍ନେହାଙ୍ଗିନୀଙ୍କ ପ୍ରାର୍ଥୀତ୍ୱ’ ନିଷ୍ପତ୍ତିକୁ ସମାଲୋଚନା କରାଯାଇଛି। ଆଜି ଯାଏ ଯେଉଁ କିଛି ପ୍ରଶ୍ନ ମିଡିଆ ଓ ସାଧାରଣରେ ପଚରା ଯାଉଛି ସେଥିରୁ ଦୁଇଟି ପ୍ରଶ୍ନକୁ ଚର୍ଚ୍ଚା ଭିତରକୁ ନିଆଯାଇପାରେ। ସର୍ବ ପ୍ରଥମ ହେଉଛି ନୂଆପଡ଼ାରେ ଢୋଲକିଆ ପରିବାରର ଦାୟାଦ ଏକ ନିଶ୍ଚିତ ବିଜୟ ଗୋଟି ଥିଲେ ମଧ୍ୟ ବିଜେଡି ଏହାକୁ ବିଜେପି ହାତକୁ ଟେକି ଦେଇଛି। ଏବଂ,
ଦ୍ୱିତୀୟରେ ସ୍ନେହାଙ୍ଗିନୀଙ୍କ ପୟାର୍ଥୀତ୍ୱକୁ ମଧ୍ୟ ଏହି ସମର୍ପଣ ରଣନୀତିର ଦ୍ୱିତୀୟ ସୋପାନ ବୋଲି ଚର୍ଚ୍ଚା ହେଉଛି। ଜିଲ୍ଲା ଭିତରେ ଏତେ ଲୋକ ଥାଉ ଥାଉ ଜଣେ ବାହାରି ନେତାଙ୍କୁ ନୂଆପଡ଼ା ଲୋକଙ୍କ ଉପରେ ଥୋପିବାକୁ ବିଜେଡି ଯେଉଁ ଘୋଷଣା କରିଛି ତାହା ଦଳକୁ ନିଶ୍ଚିତ ପରାଜୟ ଦେବ ବୋଲି କୁହାଯାଇଛି।
ହେଲେ ନବୀନଙ୍କ ଭାବଭଙ୍ଗୀ ବା ବଡି ଲାଙ୍ଗୁଏଜରେ ନିରାଶା ନାହିଁ। ଏହା ପୂର୍ବରୁ ନବୀନ ମିଡିଆରେ ବାଇଟ ଦେବା ବେଳେ ଯେଉଁ ଭାବଭଙ୍ଗୀ ରକ୍ଷା କରୁଥିଲେ ଏଥରର ଭାବଭଙ୍ଗୀରେ ତାହା ନାହିଁ। ବରଂ ସେ ଅଧିକ ଆତ୍ମବିଶ୍ୱାସୀ ହୋଇଥିବା ଜଣାପଡ଼ୁଛି। ତାଙ୍କ ସ୍ୱର ଅଧିକ ଶକ୍ତିଶାଳୀ ହୋଇଛି। ଆଉ ସେ ନିଜେ ସ୍ନେହାଙ୍ଗିନୀଙ୍କ ପ୍ରଚାରରେ ଯାଇ ତାଙ୍କୁ ବିଜୟୀ କରିବାକୁ ଭୋଟ ମାଗିବେ ବୋଲି କହିଛନ୍ତି।
ପ୍ରଶ୍ନ ଉଠିପାରେ ନିଜ ଦଳର ପ୍ରାର୍ଥୀ ପାଇଁ ପ୍ରଚାର କରିଲେ କ’ଣ ବଡ଼ କଥା ହୋଇଯିବ? କିନ୍ତୁ ଯେଉଁମାନେ ଓଡ଼ିଶା ରାଜନୀତିକୁ ଅନୁଭବ କରିଛନ୍ତି ସେମାନେ ନିଶ୍ଚିତ ଜାଣିଛନ୍ତି ନବୀନଙ୍କ ଖଣ୍ଡି ଓଡ଼ିଆ ଭାଷଣ, ଥରୁଥିବା ହାତ ଟେକା କେମିତି ଗଭୀର ପ୍ରଭାବ ପକାଇଥାଏ ଜନତାଙ୍କ ଉପରେ, ପ୍ରତିଟି ବିଷୟରେ। ପ୍ରଚାରର ଶେଷ ରାତିରେ ନବୀନଙ୍କ ପ୍ରଚାର କିପରି ଅତୀତରେ ସବୁ ବାଜିକୁ ବଦଳାଇ ଦେଇଛି ତାହା ବି ରାଜନୀତିକୁ ନିକଟରୁ ଅନୁଶୀଳନ କରୁଥିବା ବ୍ୟକ୍ତିମାନେ ଜାଣନ୍ତି।
୨୦୨୪ରେ ନବୀନଙ୍କର ଏହିପରି ପ୍ରଚାର କିନ୍ତୁ କାଟୁ କରି ନଥିଲା। ସେଥିଲାଗି ଦଳ ଶାସନରୁ ସିଧା ବିରୋଧୀ ଦଳ ଆସନକୁ ଡେଇଁଲା। କିନ୍ତୁ ଏଥିଲାଗି ବିଜେଡିର କୌଣସି କର୍ମୀ, ନେତା ବା ସାଧାରଣ ଜନତା ନବୀନଙ୍କ ଉପରେ କେବେ ଦୋଷ ଦେଇ ନାହାନ୍ତି। ଏ ସବୁର ଦୋଷ ଯାଇଛି ପାଣ୍ଡିଆନ୍ଙ୍କ ମୁଣ୍ଡ ଉପରେ। ବରିଷ୍ଠ ନେତା ଆଜି ଅସନ୍ତୁଷ୍ଟ ରହିବାର କାରଣ ହେଉଛନ୍ତି ପାଣ୍ଡିଆନ୍। କନିଷ୍ଠ ସଂଗଠିତ ନ ହୋଇପାରିବାର କାରଣ ହେଉଛନ୍ତି ପାଣ୍ଡିଆନ୍। ଏଣୁ ନବୀନ ଏଥର ବିନା ପାଣ୍ଡିଆନ୍ ବ୍ରାଣ୍ଡରେ ନିର୍ବାଚନକୁ ଓହ୍ଲାଇବାକୁ ଯାଉଛନ୍ତି, ଯେମିତି ୨୦୨୪ ପୂର୍ବ ସବୁ ନିର୍ବାଚନରେ ହେଉଥିଲା। ଅର୍ଥାତ୍ ନବୀନଙ୍କ ପାଇଁ ଏ ନିର୍ବାଚନ କ୍ଷମତାରେ ଥାଇ କ୍ଷମତା ପାଇଁ ଖେଳ ନୁହେଁ ବରଂ କ୍ଷମତା ବାହାରେ ଦଳକୁ ସଂଗଠିତ କରିବାର ଏକ ପ୍ରୟାସ। ଏଣୁ ନବୀନଙ୍କ ଆତ୍ବ ବିଶ୍ୱାସ ବିଜେପି ଓ କଂଗ୍ରେସ ପାଇଁ କାଳ ହୋଇପାରେ।
ଏବେ ପ୍ରାର୍ଥୀ ଚୟନ କଥା ଆଲୋଚନା କରିବା। ନବୀନ ୫୬ ବର୍ଷୀୟ ସ୍ନୋହାଙ୍ଗିନୀଙ୍କୁ ବାଛିଛନ୍ତି। ଏହା ଏକ ଦୁର୍ବଳ ଚୟନ ବୋଲି ଅଭିଯୋଗ ହୋଇଛି। ଜାଣିଶୁଣି ବିଜେପି ହାତକୁ ଏହି ଆସନ ଟେକି ଦେବା ଲାଗି ଏହା ଆଉ ଏକ ପ୍ରୟାସ ବୋଲି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି। ଏହା ସୋଶାଲ୍ ମିଡିଆ ଓ ମେନ୍ଷ୍ଟ୍ରୀମ ମିଡିଆରେ ଅନେକ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ବି ହୋଇଛି। ସେହିପରି ସମାଲୋଚକଙ୍କ କହିବା ଅନୁସାରେ ସେ ହେଉଛନ୍ତି ଜିଲ୍ଲା ବାହାରର ପ୍ରାର୍ଥୀ। ଜିଲ୍ଲା ଭିତରେ ପ୍ରାର୍ଥୀ ଥାଉ ଥାଉ ଲୋକେ ସ୍ନେହାଙ୍ଗିନୀଙ୍କୁ ଭୋଟ ଦେବେ କାହିଁକି? କିନ୍ତୁ ଟିକେ ସାମ୍ପ୍ରତିକ ପରିସ୍ଥିତିକୁ ଅତୀତର ଘଟଣା ଓ ସ୍ଥାନୀୟ ଭୋଟରଙ୍କ ଅବସ୍ଥିତିକୁ ଲକ୍ଷ୍ୟରେ ରଖି ଅନୁଶୀଳନ କରନ୍ତୁ।
ନୂଆପଡ଼ାରେ ସବୁଠାରୁ ଅଧିକ ଭୋଟର ହେଉଛନ୍ତି ଆଦିବାସୀ। ଏକ ଆକଳନ ଅନୁସାରେ ଆଦିବାସୀ ଭୋଟରଙ୍କ ପରିମାଣ ପ୍ରାୟ ୩୪ ପ୍ରତିଶତ। ଅନୁସୂଜିତ ଜାତିଙ୍କ ପରିମାଣ ପ୍ରାୟ ୧୩ ପ୍ରତିଶତ। କିନ୍ତୁ ନୂଆପଡ଼ାର ନିର୍ବାଚନୀ ଇତିହାସରେ ଜଣେ ମାତ୍ର ଆଦିବାସୀ ଘାସିରାମ ମାଝି ହିଁ ଆଦିବାସୀ ସମାଜର ଟେକ ରଖିଛନ୍ତି। ଏ ବିଷୟକୁ ଆଉ ଟିକେ ଉଜାଗର କରିବାକୁ ଚାହିଁବି। ୧୯୫୧ ମସିହାରୁ ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଓଡ଼ିଶା ବିଧାନସଭାକୁ ଋଦ୍ଧିମନ୍ତ କରିଆସୁଛି। ୨୦୨୪ ନିର୍ବାଚନକୁ ମିଶାଇ ଏଠାରେ ୧୮ ଥର ନିର୍ବାଚନ ହୋଇଛି। ଏଥୀରୁ ୮ ଥର ଆଦିବାସୀ ନେତା ଘାସିରାମ ମାଝି ନିର୍ବାଚିତ ହୋଇଛନ୍ତି। ତାଙ୍କର ମୃତ୍ୟୁ ଯାଏ ବି ନୂଆପଡ଼ାବାସୀ ତାଙ୍କୁ ବିଧାୟକ ଦେଖିବାକୁ ଚାହିଁଥିଲେ। ତାଙ୍କର ମୃତ୍ୟୁ ପରେ ୧୯୯୭ରେ ପ୍ରଥମ ଉପ ନିର୍ବାଚନ ହୋଇଥିଲା ଆଉ ତା ପରଠୁ ଆଜିଯାଏ କୌଣସି ଆଦିବାସୀ ନେତା ନୂଆପଡ଼ାକୁ ପ୍ରତିନିଧିତ୍ୱ କରି ନାହାନ୍ତି। ଅର୍ଥାତ୍ ନୂଆପଡ଼ାର ଭୋଟର ଆଦିବାସୀଙ୍କ ଅପେକ୍ଷା ଅଣ ଆଦିବାସୀଙ୍କୁ ଅଧିକ ପସନ୍ଦ କରି ଆସିଛନ୍ତି। ସେଥିଲାଗି ଏଠାରୁ ମାରଓ୍ୱାଡ଼ି, କରଣ ଓ ବ୍ରାହ୍ମଣ ସମ୍ପ୍ରଦାୟର ପ୍ରତିନିଧି ବିଧାୟକ ହୋଇଛନ୍ତି। ସର୍ବାଧିକ ୪ଥର ଜଣେ ମାରଓ୍ୱାଡ଼ି ବିଧାୟକ ହୋଇଛନ୍ତି ସେ ହେଉଛନ୍ତି ରାଜେନ୍ଦ୍ର ଢୋଲକିଆ। ଆଜି ତାଙ୍କ ଅବର୍ତ୍ତମାନରେ ଉନ ନିର୍ବାଚନ ହେବାକୁ ଯାଉଛି। ଆଉ ତାଙ୍କ ପୁଅଙ୍କୁ ବିଜେପି ପ୍ରାର୍ଥୀ କରିଛି।
ଏହି ପୃଷ୍ଠଭୂମିରେ ଆଉ ଗୋଟିଏ ବିଷୟ ଅନ୍ତର୍ନିହିତ ରହିଛି। ତାହା ହେଲେ ୭୪ ବର୍ଷର ଏହି ଗଣତାନ୍ତ୍ରିକ ଯାତ୍ରାରେ କେବେ ଅନୁସୂଚିତ ଜାତି (ଏସ୍ସି) ବର୍ଗର କେହି ନୂଆପଡ଼ାକୁ ପ୍ରତିନଧିତ୍ୱ କରି ନାହାନ୍ତି। କିନ୍ତୁ ଏଠାରେ ଏହି ବର୍ଗର ଭୋଟରଙ୍କ ପରିମାଣ ପ୍ରାୟ ୧୩ ପ୍ରତିଶତ। ଆଉ ଯେତେବେଳେ ବିଜୁ ଜନତା ଦଳ ଏହି ବର୍ଗର ଜଣେ ମହିଳାଙ୍କୁ ନିର୍ବାଚନ ମଇଦାନରେ ଉତ୍ତାରିଛି ଏହା ସେ ସମ୍ପ୍ରଦାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେବ ନାହିଁ କି?
ପୁଣି ନୂଆପଡ଼ାରେ ମହିଳା ଭୋଟରଙ୍କ ପରିମାଣ ହେଉଛି ପ୍ରାୟ ୫୦ ପ୍ରତିଶତ। ବିଜେଡିକୁ ଛାଡ଼ିଦେଲେ କେହି ମହିଳା ବା ଅନୁସୂଚିତ ଜାତି ବର୍ଗଙ୍କୁ ପ୍ରାର୍ଥୀ କରିନାହାନ୍ତି। ଅର୍ଥାତ୍ ଯେଉଁ ଅଙ୍କ ନବୀନ କସିଛନ୍ତି ସେଥିରେ ବୁଦ୍ଧି, ବିବେକ ତଥା ଜାତିଗତ ଅନୁଶୀଳନ ବି ରହିଛି।
ସ୍ନେହାଙ୍ଗୀନୀଙ୍କ ପ୍ରାର୍ଥୀତ୍ୱକୁ ସମାଲୋଚନା କରୁଥିବା ସମାଲୋଚକଙ୍କ ଯୁକ୍ତି ଅନୁସାରେ ଯେହେତୁ ସେ ଜିଲ୍ଲା ବାହାରର, ଏଣୁ ସେ ଅନ୍ୟ ପ୍ରାର୍ଥୀଙ୍କଠାରୁ ଦୁର୍ବଳ। କିନ୍ତୁ ନୂଆପଡ଼ାର ଭାଷା, ସଂସ୍କୃତି ଓ ପରମ୍ପରାରେ ପୂର୍ବରୁ ଅନେକ ବାହାରି ନେତା ପରୀକ୍ଷା ଦେଇଛନ୍ତି ଓ ପାସ୍ କରିଛନ୍ତି। ବରଂ ଏଠାରେ ଜନତା ବାହାରି ନେତାଙ୍କୁ ହିଁ ପସନ୍ଦ କରନ୍ତି। କେବଳ ନୂଆପଡ଼ା ନୁହେଁ, ଅତୀତରେ ବିଜେଡି ଯେଉଁ ନିର୍ବାଚନ ମଣ୍ଡଳୀରେ ଅନେକ ଦ୍ୱନ୍ଦ୍ୱ ଥାଏ ସେଠାରେ ବାହାରି ନେତାଙ୍କୁ ଦେଇ ଗଡ଼ ଜିତିବାରେ ସକ୍ଷମ ହୋଇ ଆସିଛି। ୨୦୨୪ ନିର୍ବାଚନରେ ଯଦିଓ ଏହା ଦେଖିବାକୁ ମିଳି ନଥିଲା କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡିର ୫ଟି ନିର୍ବାଚନ ମଣ୍ଡଳୀରେ ଏପରି ପରୀକ୍ଷା ନିରୀକ୍ଷା ସଫଳ ହୋଇଥିଲା। ପଟ୍ଟାଙ୍ଗୀ ସହ କୌଣସି ପୂର୍ବ ସମ୍ପର୍କ ନଥାଇ ପୀତମ ପାଢ଼ୀ ଜିତିଥିଲେ। ସେହିପରି ଲାଞ୍ଜିଗଡ଼ରୁ ପ୍ରଦୀପ ଦିଶାରୀ, ମାଲକାନଗିରିରୁ ମୁକୁନ୍ଦ ସୋଦି, ବାଲିକୁଦାରୁ ରଘୁନନ୍ଦନ ଦାସ ଏବଂ ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲି ନିର୍ବାଚନ ଜଚିତିଥିଲେ।
ଆପଣମାନେ ଜାଣିଛନ୍ତି ୨୦୧୯ ନିର୍ବାଚନରେ ଭିକେ ପାଣ୍ଡିଆନଙ୍କ ଆଗମନ ପ୍ରତ୍ୟକ୍ଷ ରାଜନୀତିକୁ ସ୍ପଷ୍ଟ ନଥିଲା। ୨୦୨୪ ନିର୍ବାଚନରେ ନବୀନଙ୍କ ଅପେକ୍ଷା ତାଙ୍କର ନିର୍ବାଚନ ପ୍ରଚାର ଜନତାଙ୍କୁ ବିତୃଷ୍ଣା ଦେଇଥିଲା। ଏବେ ସେହି ପରିସ୍ଥିତି ସୃଷ୍ଟି କରାଯାଇଛି। ବିଜେଡି ଗଡ଼ରେ ପାଣ୍ଡିଆନ୍ ଥିଲେ ବି ଆଉ ପ୍ରତ୍ୟକ୍ଷ ପର୍ଦ୍ଦାକୁ ଆସୁ ନାହାନ୍ତି। ଏଣୁ ନବୀନଙ୍କ ସହ ବା ବ୍ୟତିକରେ ସେ ଯଦି ପ୍ରଚାର ମଇଦାନକୁ ନ ଓହ୍ଲାନ୍ତି ତେବେ ବିଜେଡିର ପ୍ରତିଚ୍ଛବିରେ ଆଉ କାଦୁଅ ପଡ଼ି ନପାରେ। ଅର୍ଥାତ୍ ନବୀନଙ୍କ ବ୍ରାଣ୍ଡ ପୁଣିଥରେ ଉଜ୍ଜଳ ହୋଇପାରେ।
ଏବେ ବିଭିନ୍ନ ଜାତି, ଭାଷା, ସମ୍ପ୍ରଦାୟ, ଗୋଷ୍ଠି ଭିତ୍ତିରେ ବିଭାଜିତ ହେଉ ନଥିବା ନୂଆପଡ଼ାର ଜନତାଙ୍କ ଶକ୍ତି ଓ ମନୋଭାବ ହିଁ ବାସ୍ତବ ଆକଳନ କରିବ। ନଭେମ୍ବର ୧୧ରେ କାହାକୁ ସେମାବେ ମୁକୁଟ ପିନ୍ଧାଇବେ ତାହା ସ୍ପଷ୍ଟ ହେବ।