)
ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ପଦ୍ମ ଧରିଛନ୍ତି ଜୟ ଢୋଲକିଆ । ଆଜି ବିଜେପି ପକ୍ଷରୁ ଆୟୋଜିତ ଏକ ବଡ଼ ମିଶ୍ରଣ ପର୍ବରେ ଯୋଗ ଦେବାକୁ ବିଜେପି ପାର୍ଟି ଅଫିସ୍ରେ ପହଞ୍ଚିଥିଲେ ଜୟ ଢୋଲକିଆ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ବିଧିବଦ୍ଧ ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ୍ ହୋଇଛନ୍ତି । ସ୍ବର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଏଥର ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା ସମ୍ଭାବନା ରହିଛି ।
ଆଜି ସକାଳୁ ଜୟ ଢୋଲକିଆଙ୍କ ବିଜେପିରେ ମିଶିବା ସମ୍ପର୍କରେ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା । ଉଭୟ ବିଜେଡି ଏବଂ ବିଜେପି ନେତାମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଥିବା ସାମ୍ନାକୁ ଆସିଥିଲା । ଜୟ ଢୋଲକିଆଙ୍କୁ ବିଜେପି ହାଇଜାକ୍ କରି ନେଇଥିବା କଂଗ୍ରେସ ଅଭିଯୋଗ କରିଛି । ଦୀର୍ଘ ଦିନ ହେଲା ବିଜେଡି କୌଣସି ବିଷୟକୁ ସ୍ପଷ୍ଟ କରୁ ନଥିବାରୁ ଜୟ ଏହି ପଦକ୍ଷେପ ନେଇଥିବା ଆଲୋଚନା ହେଉଛି।
ଜୟ ଢୋଲକିଆ ପଦ୍ମ ଧରିବା ଚର୍ଚ୍ଚା ଭିତରେ ବିଜେଡି ଏକ ଗୁପ୍ତ ବୈଠକ କରିଛି । ଖରିଆର ରୋଡ୍ର ଏକ ହୋଟେଲରେ ବରିଷ୍ଠ ନେତା ଏକାଠି ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନି ଛୁରିଆ, ଅଧିରାଜ ପାଣିଗ୍ରାହୀ । ନୂଆପଡ଼ା ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ, ମନୋଜ ମିଶ୍ର ଓ ଲମ୍ବୋଦର ନିଆଲ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।
ପୁଣି ସୋସିଆଲ୍ ମିଡିଆରେ ବର୍ଷିଛନ୍ତି ନାରୀନେତ୍ରୀ ଶ୍ରୀମୟୀ ମିଶ୍ର । ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ । ପାଣ୍ଡିଆନଙ୍କୁ କହ୍ନେଇ, ସନ୍ନ୍ୟାସୀ କହି ପରୋକ୍ଷରେ ତାଚ୍ଛଲ୍ୟ କରିଛନ୍ତି । କର୍ମୀ ଅନାଇ ବସିଛନ୍ତି, ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ ବୋଲି ସେ କହିଛନ୍ତି । ଏହା ମଧ୍ୟ ପୋଷ୍ଟରେ ଲେଖିଛନ୍ତି ଯେ, ‘ଦଳ ପାଇଁ ସନ୍ନ୍ୟାସୀ ଶୁଭଙ୍କର ନୁହେଁ, ଭାରି ଭୟଙ୍କର’ ।