ସେବେ ଲଖିମପୁର, ଏବେ ବାଣପୁର
Advertisement

ସେବେ ଲଖିମପୁର, ଏବେ ବାଣପୁର

''କିଛି ବ୍ୟକ୍ତିଙ୍କୁ କିଛିଦିନ ପାଇଁ ଭୁଆଁ ବୁଲାଇ ରଖା ଯାଇପାରେ । ହେଲେ ସମସ୍ତଙ୍କୁ ସବୁଦିନ ପାଇଁ ଭୁଆଁ ବୁଲାଇ ରଖିବା ଅସମ୍ଭବ।'' ଇଏ ତ ପ୍ରମାଣିତ ସତ୍ୟ । କେଉଁ ଗଣମାଧ୍ୟମ କାହାକୁ ଭୁଆଁ ବୁଲାଉଛି, ଲେକେ ସେକଥା ଜାଣିଛନ୍ତି ।

ସେବେ ଲଖିମପୁର, ଏବେ ବାଣପୁର

ହିତାଂଶୁ ଶେଖର ମହାନ୍ତ,ନୂଆଦିଲ୍ଲୀ: ରାଜ୍ୟ ଅଲଗା ସିନା, ଘଟଣା କିନ୍ତୁ ଏକାଭଳି। ଉଦ୍ଦେଶ୍ୟ, ଅଭିପ୍ରାୟ ସମାନ। ଅପରାଧ ବି ସମାନ। ଖବର ଲେଖିବାର ଆଭିମୁଖ୍ୟ, ଭିଡ଼ ମଧ୍ୟରେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବାର ମାନସିକତା କୌଣସି ସାଧାରଣ ଲୋକର ହୋଇ ନ ପାରେ। ଅପରାଧପ୍ରବଣ ବ୍ୟକ୍ତି ହୋଇ ନ ଥିଲେ ଏପରି କଥା ଭିଆଇବା ତ ଦୂରର କଥା, ଚିନ୍ତା ମଧ୍ୟ କରି ନ ପାରେ। ଯଦି ଉତ୍ତର ପ୍ରଦେଶର ଲଖିମପୁର-ଖେରୀ ଘଟଣାରେ ବିରୋଧୀ ଦେଶବ୍ୟାପୀ ସ୍ୱର ଉତ୍ତୋଳନ କରିଥିଲେ, ଅପରାଧୀ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ହୋଇଥିଲେ ବି ତାକୁ ଆଇନ ଛାଡ଼ି ଦେଇ ନ ଥିଲା, ତେବେ ଓଡ଼ିଶାର ବାଣପୁରରେ ଜଣେ ବିଧାୟକଙ୍କ ପ୍ରତି ଆଇନ କୋହଳ ହେବା ମୁଷ୍ଟିମେୟ ରାଜନେତା ଏବଂ ତାର୍କିକ ଆଶା କରୁଛନ୍ତି ବା କେମିତି?

କାହିଁକି ଘଟିଲା ଏ ମର୍ମନ୍ତୁଦ ଘଟଣା?
ଆଜି ଥିଲା ରାଜ୍ୟରେ ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ବି ସ୍ୱାଭାବିକ ଭାବରେ ଥିଲା ନିର୍ବାଚନ। ବ୍ଲକ୍ କାର୍ଯ୍ୟାଳୟରେ ରୁଣ୍ଡ ହୋଇଥିଲେ ଶତାଧିକ ଲୋକ। ଏତିକି ବେଳେ ହଠାତ୍ ଭିଡ଼ ଭିତରକୁ ନିଜ ଗାଡ଼ିରେ ଧସେଇ ପଶିଲେ ବାହୁବଳୀ (!) ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଅତୀତରେ ବିଜେପି ନେତାଙ୍କୁ ରାଜରାସ୍ତାରେ ମାଡ଼ ମାରି ଦଳରୁ ନିଲମ୍ବିତ ହୋଇଥିବା ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇ ନ ଥିଲେ ମଧ୍ୟ ସେ ଗତ ପଞ୍ଚାୟତ ନିର୍ବାଚନରେ ଦଳ ପାଇଁ ଖୋଲାଖୋଲି ପ୍ରଚାର କରିଥିଲେ। ରାଜ୍ୟ କାର୍ଯ୍ୟାଳୟକୁ ବି ଯାଉଥିଲେ। ଏହା ଗୋପନୀୟ ନୁହେଁ ବା କେହି ଜାଣିନାହାନ୍ତି, ଏପରି ନୁହେଁ। ଗଣମାଧ୍ୟମ ବି ଏ ଖବରକୁ ସେତେବେଳେ ପ୍ରସାରଣ କରିଥିଲା। ବିଧାୟକ ବି ବାଇଟ୍ ଦେଇଥିଲେ, ମୁଁ ଏବେ ବି ଦଳରେ ଅଛି ଓ ଦଳ ପାଇଁ କାମ କରିବି।

ବିଧାୟକ ସେଠାକୁ ଯାଇଥିଲେ କାହିଁକି?
ଆଶ୍ଚର୍ଯ୍ୟ ହେବାକୁ ପଡୁଛି ଯେ, ବିଧାୟକ ମହାଶୟ ଏପିର ଏକ ସ୍ଥାନକୁ ଯାଇଥିଲେ ବା କାହିଁକି, ଯେଉଁଠାରେ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ଉପାୟରେ ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ଚାଲିଥିଲା। ଶୁଣିବାକୁ ମିଳୁଛି (ସତରେ ନା କ'ଣ) ସେତେବେଳେ ପୁଣି ସେ କୁଆଡ଼େ ସୋମରସ (!) ପ୍ରଭାବରେ ଥିଲେ। ଏପରି ହୋଇଥିଲେ ତ ସାଂଘାତିକ। 'ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ, ହିଟ୍ ଆଣ୍ଡ ରନ୍, ଆଟେମ୍ପଟ୍ ଟୁ ମର୍ଡର' ଏ ସବୁକିଛି ତାଙ୍କ ବିରୋଧରେ ଲାଗିବ। ଲାଗିବା ଉଚିତ। ଛାଡ଼ନ୍ତୁ, ମୂଳ ପ୍ରସଙ୍ଗକୁ ଫେରିବା। ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନରେ ନିଜର ଏବଂ ଦଳର ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସମ୍ଭବତଃ ନିର୍ବାଚିତ ସମିତି ସଭ୍ୟମାନଙ୍କୁ ଆପ୍ରୋଚ୍ କରିଛନ୍ତି ବିଧାୟକ। ମାତ୍ର କୌଣସି କାରଣରୁ ହୁଏତ ସେମାନେ ରାଜି ହୋଇ ନାହାନ୍ତି। ତା' ଛଡ଼ା ଭିଡ଼ରେ ଏକାଠି ହୋଇଥିବା ଲୋକେ ବିଜେପିର ବୋଲି ବିଭିନ୍ନ ଗଣମାଧ୍ୟମରେ (ସୀମିତ) ଯେମିତି ହୁରି ପଡ଼ିଛି, ସତେ ଯେମିତି ସେମାନେ ଦଳୀୟ ପତାକା ଧରି ବୁଲୁଥିଲେ! କିମ୍ବା ବୋଧହୁଏ ସେମାନେ ଭାବନ୍ତି, (କିଏ ସେମାନେ !) ବିଜେଡିକୁ ଯିଏ ପ୍ରତିରୋଧ କରେ ବା କରୁଛି, ସିଏ ବିଜେପି ଛଡ଼ା ଆଉ କେହି ନୁହେଁ। ଏ ପ୍ରକାର ନିଜସ୍ୱ ରାୟ ଦେଇ ଜନମତକୁ ବାଟବଣା କରିବା ଉଦ୍ୟମ ଫଳପ୍ରଦ ହେବନାହିଁ ନିଶ୍ଚୟ। କାରଣ, ''କିଛି ବ୍ୟକ୍ତିଙ୍କୁ କିଛିଦିନ ପାଇଁ ଭୁଆଁ ବୁଲାଇ ରଖା ଯାଇପାରେ। ହେଲେ ସମସ୍ତଙ୍କୁ ସବୁଦିନ ପାଇଁ ଭୁଆଁ ବୁଲାଇ ରଖିବା ଅସମ୍ଭବ।'' ଇଏ ତ ପ୍ରମାଣିତ ସତ୍ୟ। କେଉଁ ଗଣମାଧ୍ୟମ କାହାକୁ ଭୁଆଁ ବୁଲାଉଛି, ଲେକେ ସେକଥା ଜାଣିଛନ୍ତି।

କାହାକୁ ଓ କାହିଁକି ଡରୁଛି ଶାସକ ଦଳ?
ଏଇ ନିକଟରେ ସରିଛି ପଞ୍ଚାୟତ ନିର୍ବାଚନ। ଆଉ ଶାସକ ବିଜୁ ଜନତା ଦଳ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବା ପରଠାରୁ ଆଜିପର୍ଯ୍ୟନ୍ତ ସବୁଠୁ ବଡ଼ (ଅବିଶ୍ୱସନୀୟ !) ବିଜୟ ହାସଲ କରିଛି। ଯଦି ଜିଲ୍ଲା ପରିଷଦ ନିର୍ବାଚନରେ ଲୋକେ ଏଭଳି ଅଭୂତପୂର୍ବ ସମର୍ଥନ କୁଢ଼େଇ ପକାଇଛନ୍ତି, ତେବେ ସମିତିସଭ୍ୟ ନିର୍ବାଚନରେ ବି ତ ଶାସକ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ସ୍ୱତଃ ଭୋଟ୍ ମିଳଥିବ। କାରଣ ଏଇଟା ଆଉ ସାଂସଦ/ବିଧାୟକ ଭୋଟ୍ ନୁହେଁ ଯେ ଗୋଟାକରେ ବିଜେପିକୁ ତ ଆଉ ଗୋଟାକରେ ବିଜେଡିକୁ ଦେଇ ହେବ ଭୋଟ୍। ତେବେ ୭୪୩ଟି ଜିଲ୍ଲା ପରିଷଦ ଆସନ ଜିତି ରାଜ୍ୟବାସୀଙ୍କ ହୃଦୟର ସମ୍ରାଟ୍ ସାଜିଥିବା ନବୀନ ପଟ୍ଟନାୟକଙ୍କ ଦଳକୁ ଏପରି କେଉଁ ଭୟ ଘାରିଲା ଯେ, ବିଭିନ୍ନ ସ୍ଥାନରେ ତାଙ୍କ ଦଳର ନେତାଙ୍କୁ ଗଣ୍ଡଗୋଳ କରି ଅଧ୍ୟକ୍ଷ ପଦ ହାତେଇବାକୁ ପଡୁଛି। ଜଗତସିଂହପୁରରେ ଅପହରଣ, ବୌଦ୍ଧରେ ଗୁଳିମାଡ଼, କେନ୍ଦ୍ରାପଡ଼ାରେ ସଂଘର୍ଷ, ଅନୁଗୁଳ, ମୟୂରଭଞ୍ଜ, ସୁନ୍ଦରଗଡ଼ ପରି ଜିଲ୍ଲାରେ ଘରୁ ପ୍ରାର୍ଥୀଙ୍କୁ ଉଠାଇ ନେବା ଏସବୁ କ'ଣ ସୂଚାଉଛି? କିଛି ସ୍ଥାନରେ ତ କୋଭିଡ୍ ଆଳରେ ନିର୍ବାଚିତ ସମିତି ସଭ୍ୟଙ୍କୁ ଘରୁ ଉଠାଇ ନିଆ ଯାଇଥିଲା ଘୋଡ଼ାବେପାର ପାଇଁ। ସାରା ରାଜ୍ୟର ୮୭ ପ୍ରତିଶତରୁ ଅଧିକ ଜିଲ୍ଲା ପରିଷଦ ଦଖଲ କରିଥିବା ବିଜୁ ଜନତା ଦଳକୁ କ'ଣ ୩୧୪ ବ୍ଲକରୁ ଅଧିକାଂଶ ହାରିଯିବାର ଭୟ ଘାରୁଛି ? ଯଦି ଏହା ସତ, ତେବେ କାହିଁକି? ଦଳ କ'ଣ ସ୍ୱଚ୍ଛ ଓ ଅବାଧ ଉପାୟରେ ଜିଲ୍ଲା ପରିଷଦ ନିର୍ବାଚନ ଜିତି ନାହିଁ ! କାହିଁକି ଜିଲ୍ଲା ପରିଷଦ ନିର୍ବାଚନରେ ଏମିତି ବହୁ ୱାର୍ଡର 'ଭୋଟିଂ ଫିଗରଠାରୁ କାଉଣ୍ଟିଂ ଫିଗର' ଅଧିକ ହୋଇଥିଲା? କାହିଁକି ବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିଜ୍ଞପ୍ତି କହିଲା, 'ଭୋଟ ବାକ୍ସରୁ ବାହାରିଥିବା ବାଲଟ ସଂଖ୍ୟା ହିଁ ଚୂଡ଼ାନ୍ତ ମାନ୍ୟ ହେବ।' ତା' ଅର୍ଥ ତାଙ୍କୁ ପୂର୍ବରୁ ଜଣାଥିଲା, ବାକ୍ସରୁ ବାହାରିଥିବା ସଂଖ୍ୟା ଏବଂ ପୋଲିଂ, ପ୍ରିଜାଇଡିଂ ଅଫିସର ଦାଖଲ କରିଥିବା ସଂଖ୍ୟାରେ ଫରକ ଆସିବ! ଅଧିକ କହିବା ଆମ କ୍ଷମତା ପରିସରଭୁକ୍ତ ନୁହେଁ! 'ସମଝଦାରୋଁ କୋ ଇସାରା କାଫି ହୈ।'

ଦଣ୍ଡିବେ କି ଛାମୁ?
ଏ ଘଟଣାକୁ ଯେଉଁମାନେ ହାଲୁକା ଭାବରେ ନେଉଛନ୍ତି, ସେମାନେ ଭୁଲିଯିବା ଉଚିତ ନୁହେଁ ସମାନ ଘଟଣାରେ ଦେଶର ସବୁ ବିରୋଧୀ ଦଳ ୟୁପିର ଲଖିମପୁର-ଖେରୀ ଘଟଣାରେ ଦେଶଟାକୁ ଉଠାଉଥିଲେ ପକାଉଥିଲେ। କୃଷକଙ୍କ ପାଇଁ ଉଛୁଳି ଉଠୁଥିଲା ସେମାନଙ୍କ ଦରଦ। ଏପରିକି ଆଜି ଯେଉଁମାନେ ପ୍ରଶାନ୍ତ ଜଗଦ୍ଦେବ ଘଟଣାର ରିଆକ୍ସନକୁ ହିଂସାତ୍ମକ ଦର୍ଶାଉଛନ୍ତି, ସେମାନେ ଲଖିମପୁର-ଖେରୀ ଘଟଣାରେ ୬ ଜଣଙ୍କୁ ପିଟି ପିଟି ମାରିଦେବା ଘଟଣାକୁ ମଧ୍ୟ ଆକ୍ସନର ରିଆକ୍ସନ ବୋଲି କହିଥିଲେ। ବେଶିଦିନ ହୋଇ ନାହିଁ। ସମସ୍ତଙ୍କର ମନେ ଥିବ ନିଶ୍ଚୟ। ଏଠି କାହାରି ମୃତ୍ୟୁ ହୋଇନାହିଁ ସତ, ମାତ୍ର ବାହୁବଳୀ ବିଧାୟକ ତ ସବୁ ସୀମା ଟପିଗଲେ। ୧୫ ଜଣ ସାଧାରଣ ଲୋକଙ୍କ (କିଛି ଗଣମାଧ୍ୟମ ଅନୁସାରେ ଏମାନେ ବିଜେପି କର୍ମୀ !) ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ବିଭାଗ (ଗୃହ ବିଭାଗ) ଅଧୀନରେ ଆସୁଥିବା ୭ ଜଣ ପୋଲିସ କର୍ମୀଙ୍କ ଉପରେ ଗାଡ଼ି ଚଢ଼ାଇଛନ୍ତି। ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଖୋଦ୍ ବାଣପୁର ଥାନାଧିକାରୀ। ଏପରିକି ୨ ଜଣ ସାମ୍ବାଦିକଙ୍କ ଉପରେ ବି ଚଢ଼ାଇ ଦେଇଛନ୍ତି ଗାଡ଼ି। ତାଙ୍କ ଦଳ ବିଜେଡି ଅବଶ୍ୟ ବିଳମ୍ବରେ ହେଉ ପଛକେ, ଏ ଘଟଣାକୁ ନିନ୍ଦା କରିଛି। ଏହାକୁ ବୀଭତ୍ସ ତଥା ଅମାନବୀୟ ବୋଲି ଅଭିହିତ କରିଛନ୍ତି ମୁଖପାତ୍ର ସସ୍ମିତ ପାତ୍ର। ଘଟଣାର ତଦନ୍ତ ପାଇଁ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳଙ୍କ ଉପରେ ଦାୟିତ୍ୱ। ସିଏ କେମିତି ଏ ଦୁଇଧାର ଛୁରୀର ଚାପ ସମ୍ଭାଳୁଛନ୍ତି ଦେଖାଯାଉ। ତାଙ୍କ ପାଇଁ ତ 'ଏଣୁ ମାଇଲେ ଗୋହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା !' ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଧାୟକ ମଦ ପିଇ ଗାଡ଼ି ଚଳାଉଥିଲେ। ଲୋକଙ୍କ ଉପରେ ରାଗ ରଖି, ଡରାଇବା ପାଇଁ ଗାଡ଼ି ଚଢ଼ାଇ ଦେଇଛନ୍ତି। ଏଭଳି କାମ ସୁସ୍ଥ ମସ୍ତିଷ୍କ ଥିବା ବ୍ୟକ୍ତି କରିବା ସମ୍ଭବ ନୁହେଁ । ତେଣୁ ଏଭଳି ଲୋକଙ୍କ ସ୍ଥାନ କେବଳ ଜେଲରେ। ତେବେ ବାହୁବଳୀ ବିଧାୟକଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ତଥା ଦଳର ମୁଖିଆ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବେ କି?