ଆଜି ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ, ସିନ୍ଧିଆ ସମର୍ଥକଙ୍କ ଉପରେ ନଜର

ମଧ୍ୟପ୍ରଦେଶ ବିଧାନସଭାରେ ସମୁଦାୟ ୨୩୦ ସଦସ୍ୟ ଅଛନ୍ତି । ଅର୍ଥାତ ନିୟମ ଅନୁସାରେ ସର୍ବାଧିକ ୩୫ ବିଧାୟକ ମନ୍ତ୍ରୀ ହୋଇପାରିବେ । ଏବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସମେତ ୬ ସଦସ୍ୟ କ୍ୟାବିନେଟରେ ଅଛନ୍ତି । 

ଆଜି ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ, ସିନ୍ଧିଆ ସମର୍ଥକଙ୍କ ଉପରେ ନଜର
ଫାଇଲ ଫଟୋ

ଭୋପାଲ: ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ ମଧ୍ୟପ୍ରଦେଶ ସରକାର । ଶିବରାଜ କ୍ୟାବିନେଟର ନୂଆ ମନ୍ତ୍ରୀ ଦିନ ୧୧ଟାରେ ଶପଥ ଗ୍ରହଣ କରିବେ । ପାଖାପାଖି ୨୪ରୁ ୨୫ ମନ୍ତ୍ରୀ ଶପଥ ନେବେ ବୋଲି ସୂତ୍ରରୁ ଜଣାପଡ଼ିଛି । ତେବେ ଶପଥ ଗ୍ରହଣ ଉତ୍ସବରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । 

ବୁଧବାର ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ସେ ନୂଆ ମନ୍ତ୍ରିମଣ୍ଡଳକୁ ଶପଥ ପାଠ କରାଇବେ । ରାଜଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏହି ସମାରୋହରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସହ ମଧ୍ୟପ୍ରଦେଶ ସରକାରଙ୍କ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । 

ସେପଟେ ସିନ୍ଧିଆଙ୍କ ଅଧିକାରିକ କାର୍ଯ୍ୟକ୍ରମ ଜାରି କରାଯାଇଛି । ଶପଥ ଗ୍ରହଣ ଉତ୍ସବ ପରେ ବିଜେପି ସଦସ୍ୟତା ଅଭିଯାନରେ ସାମିଲ ହେବେ ଜ୍ୟୋତିରାଦିତ୍ୟ । ପରେ ଅପରାହ୍ନ ୪ଟା ୩୦ରେ କଂଗ୍ରେସରୁ ଇସ୍ତଫା ଦେଇଥିବା ୨୨ ବିଧାୟକଙ୍କ ସହ ଆଲୋଚନା କରିବେ । ସମସ୍ତ ବିଧାୟକଙ୍କ ସହ ୱାନ-ଟୁ-ୱାନ ଆଲୋଚନା କରିବେ ସିନ୍ଧିଆ । 
 
କହିରଖୁଛୁ, ମଧ୍ୟପ୍ରଦେଶ ବିଧାନସଭାରେ ସମୁଦାୟ ୨୩୦ ସଦସ୍ୟ ଅଛନ୍ତି । ଅର୍ଥାତ ନିୟମ ଅନୁସାରେ ସର୍ବାଧିକ ୩୫ ବିଧାୟକ ମନ୍ତ୍ରୀ ହୋଇପାରିବେ । ଏବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସମେତ ୬ ସଦସ୍ୟ କ୍ୟାବିନେଟରେ ଅଛନ୍ତି । ତେବେ ଆଜି ସର୍ବାଧିକ ୨୯ ମନ୍ତ୍ରୀ ଶପଥ ନେଇପାରନ୍ତି । କୁହାଯାଉଛି, ଆଜି ଶପଥ ନେବାକୁ ଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ୯ରୁ ୧୦ ଜଣ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ।