ବାଲେଶ୍ୱର ସଦର ଦେଇ ପୁଅକୁ ବିଧାନସଭା ପଠାଇବାକୁ ସ୍ୱପ୍ନ ଦେଖିଲେଣି କି ନିରଞ୍ଜନ ?

ନବଜ୍ୟୋତି ହେଉଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ । 

ବାଲେଶ୍ୱର ସଦର ଦେଇ ପୁଅକୁ ବିଧାନସଭା ପଠାଇବାକୁ ସ୍ୱପ୍ନ ଦେଖିଲେଣି କି ନିରଞ୍ଜନ ?
ଫାଇଲ ଫଟୋ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ନବଜ୍ୟୋତି ପଟ୍ଟନାୟକ ହୋଇପାରନ୍ତି ବାଲେଶ୍ୱର ସଦର ଉପନିର୍ବାଚନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ । ଯଦିଓ ଉପନିର୍ବାଚନ ନେଇ ତାରିଖ ଘୋଷଣା ହୋଇନାହିଁ, ତେବେ କଂଗ୍ରେସ ପ୍ରାର୍ଥୀ ତୟନ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । 
ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନଜଜ୍ୟୋତିଙ୍କ ସପକ୍ଷରେ ଅଛନ୍ତି । ଏଠାରେ ଆପଣଙ୍କୁ କହିରଖୁଛି, ନବଜ୍ୟୋତି ହେଉଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ । 

ବାଲେଶ୍ୱର ଜିଲ୍ଲାର ବହୁ କଂଗ୍ରେସ ନେତା ନବଜ୍ୟୋତିଙ୍କୁ ପ୍ରାର୍ଥୀ କରିବା ସପକ୍ଷରେ ଅଛନ୍ତି । କିଛି ସରପଞ୍ଚ ମଧ୍ୟ ଏନେଇ ମତ ରଖିଲେଣି । ଯଦି ନବଜ୍ୟୋତି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେଉଛନ୍ତି, ତେବେ ବାଲେଶ୍ୱର ସଦରରେ ଉଭୟ ବିଜେପି ଓ ବିଜେଡିକୁ ଦଳ କଡ଼ା ଟକ୍କର ଦେବ ବୋଲି କହିଛନ୍ତି ଜିଲ୍ଲାର ପର୍ଯ୍ୟବେକ୍ଷକ ତାରା ପ୍ରସାଦ ବାହିନୀପତି । ତାରା ଯେ ନବଜ୍ୟାୋତିଙ୍କ ପ୍ରାର୍ଥିତ୍ୱ ନେଇ ସମର୍ଥନ କରୁଛନ୍ତି, ତାହା ବୁଝାପଡ଼ୁଛି । ତେବେ ଦଳର ଅନ୍ୟ ବରିଷ୍ଠ ନେତା ଏଦିଗରେ କେତେ ସହମତ, ତାହା ଜଣାପଡ଼ିନାହିଁ । 

ଗତ ୨୦୧୯ ସାଧାରଣ ନିର୍ବାଚନରେ ୨ଟି ଆସନରୁ ପ୍ରାର୍ଥୀ ହୋଇଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେହିପରି ପୁଅ ନବଜ୍ୟୋତି ମଧ୍ୟ ଦଳରୁ ସାଂସଦ ଟିକେଟ ପାଇଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ଥିଲା, ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଉଭୟ ବାପ-ପୁଅ ଧନୀ ସବୁଠୁ ଧନୀ ପ୍ରାର୍ଥୀ ଥିଲେ । ହେଲେ ନିର୍ବାଚନ ଫଳ ଉଭୟଙ୍କ ସପକ୍ଷରେ ଯାଇନଥିଲା । ଉଭୟ ଆସନରୁ ନିରଞ୍ଜନ ପରାଜିତ ହୋଇଥିବା ବେଳେ ପୁଅ ନବଜ୍ୟୋତି ମଧ୍ୟ ବାଲେଶ୍ୱର ଲୋକସଭା ଆସନରୁ ପରାଜିତ ହୋଇଥିଲେ । ଏବେ ବାଲେଶ୍ୱର ସଦରରେ ଉପନିର୍ବାଚନ ହେବାକୁ ଥିବାରୁ, ପୁଅକୁ ବିଧାନସଭା ପଠାଇବାକୁ ନିରଞ୍ଜନ ପ୍ରସ୍ତୁତ ନେଉଥିବା ଚର୍ଚ୍ଚା ଧରିଲାଣି । ଆଉ ଏହି ଚର୍ଚ୍ଚାକୁ ତାରାଙ୍କ ପ୍ରତିକ୍ରିୟା ଖୋରାକ ଯୋଗାଉଛି । 

କହିରଖୁଛୁ, ଗତ ସାଧାରଣ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ମଦନମୋହନ ଦତ୍ତ ବିଜୟୀ ହୋଇିଥିଲେ । ତେବେ ଗତ ଜୁନ ୧୬ରେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ସେବେଠୁ ଏହି ବିଧାନସଭା ଆସନ ଖାଲିରହିଛି ।