)
ରାଜ୍ୟର ସବୁଠାରୁ ବଳଶାଳୀ ଆଞ୍ଚଳିକ ଦଳ। ରେକର୍ଡ ସଂଖ୍ୟକ ୨୪ ବର୍ଷ ରାଜ୍ୟ କ୍ଷମତାର ଶୀର୍ଷରେ ବସିଥିଲା। ଆଜି ବି କ୍ଷମତା ଯାଇ ନାହିଁ। ବିରୋଧୀ ଦଳ ଆସନରେ ବସିଛି ବିଜେଡି। କିନ୍ତୁ ଦଳ ଆଉ ଲୋକଙ୍କ ବଳ ହୋଇ ନାହିଁ। ବରଂ ଲୋକ ବିଜେଡି ଉପରେ ଆଉ ଭରସା କରିପାରୁ ନାହାନ୍ତି। ସେଥିଲାଗି ନେତା ତ ଛାଡ଼ନ୍ତୁ ପରିଚିତ ବ୍ୟକ୍ତିଟିଏ ଦଳ ପାଉ ନାହିଁ ନୂଆପଡ଼ାରେ ପ୍ରାର୍ଥୀ କରିବାକୁ। ସେଥିଲାଗି ନୂଆପଡ଼ା ଓ ଭୁବନେଶ୍ୱରରେ ଅନେକ ଚର୍ଚ୍ଚା ଓ ଘାଣ୍ଟ ଚକଟ ହେଉଛି। ଯେଉଁ ନେତାମାନଙ୍କୁ ପ୍ରାର୍ଥୀ କରିବାକୁ ଦଳ ଭାବୁଛି ସେଥିରେ ସ୍ୱୟଂ ପ୍ରାର୍ଥୀ ପଛଘୁଞ୍ଚା ଦେଉଛନ୍ତି। ଏଭଳି ଏକ ପରିସ୍ଥିତି କାହିଁକି ଆସିଲା? ଦଳର ଏତେ ବଡ଼ ମଜଭୁତ ପ୍ଳାଟଫର୍ମ କ’ଣ ମାତ୍ର ୧୬ ମାସରେ ଭାଙ୍ଗିଗଲା, କେମିତି? କାହିଁକି ନବୀନ ବ୍ରାଣ୍ଡ ଆଉ କାମ ଦେଉ ନାହିଁ?
ବିଜେଡିକୁ ଏକ ମଜଭୁତ ପ୍ଲାଟଫର୍ମ ବୋଲି କହିବାର ଅର୍ଥ ହେଉଛି ଦଳର ଭିତ୍ତିଭୂମି, ସଦସ୍ୟ ଏବଂ ଲୋକପ୍ରିୟତା। ଏ ଦଳ ପାଖରେ ଯେତେବଡ଼ ରାଜ୍ୟ କାର୍ଯ୍ୟାଳୟ ରହିଛି ତାହା କୌଣସି ଆଞ୍ଚଳିକ ଦଳର ନାହିଁ। ଏ ଦଳ ପାଖରେ ଯେତିକି ଅର୍ଥ ବ୍ୟାଙ୍କ ବାଲାନ୍ସ ଆକାରରେ ରହିଛି ତାହା ମଧ୍ୟ କୌଣସି ଦଳରେ ନଥାଇପାରେ। ଏପରିକି ଜାତୀୟ ଦଳଗୁଡ଼ିକ ପାଖରେ ମଧ୍ୟ। ଅର୍ଥାତ୍ ଅର୍ଥବଳ ରହିଛି, ବାହୁବଳ ରହିଛି, ତଥାପି ପାଦ ତଳୁ ମାଟି ଖସୁଛି ବିଜେଡିର।
ଦିନେ ଏହି ଦଳର ନାଁ ଓ ଦଳ ସଭାପତି ନବୀନ ବାବୁଙ୍କ ଚେହେରା ବ୍ରାଣ୍ଡ ଭାବେ କାର୍ଯ୍ୟ କରୁଥିଲା। ନିର୍ବାଚନ ଜିତିବାର ମୁଖ୍ୟ କାରଣ ହେଉଥିଲା। ସେଥିଲାଗି ବିରୋଧୀ ଦଳର ନେତାଙ୍କ ଠାରୁ ଆରମ୍ଭ କେନ୍ଦ୍ରମନ୍ତ୍ରୀ, ସାଂସଦମାନେ ଏ ଦଳକୁ ଡେଉଁଥିଲେ। ଯେଉଁ ଦଳସବୁ ତାଙ୍କୁ ଅତୀତରେ କ୍ଷମତା ଦେଇଥିଲେ ତାକୁ ତୁଚ୍ଛ ମନେ କରୁଥିଲେ। ବିରୋଧୀ ଦଳ ନେତା ଭୂପିନ୍ଦର ସିଂହଙ୍କ କଥା କୁହନ୍ତୁ କଂଗ୍ରେସ ସାଂସଦ, କେନ୍ଦ୍ରମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ଅବା ରାଜ୍ୟର ପ୍ରଖ୍ୟାତ ବ୍ୟବସାୟୀ ନବ ଦାସଙ୍କ ନାଁ ଏହିକ୍ରମରେ ନିଆଯାଇପାରେ। ପରିସ୍ଥିତି ଏପରି ବି ହୋଇଛି କଂଗ୍ରେସର କୌଣସି ବିଧାୟକଙ୍କ ମୃତ୍ୟୁ ହେଲେ ସମବେଦନା ଭୋଟ ପାଇ ମଧ୍ୟ ଜିତିବା ଲାଗି ତାଙ୍କ ପରିବାର ସାହସ କରିପାରି ନାହାନ୍ତି। ଏଣୁ ସୁବଳ ସାହୁଙ୍କ ପରିବାର ବିଜେଡିକୁ ଆସିଥିଲେ।
ସେତେବେଳେ ଏମିତି ଦୃଶ୍ୟପଟ ଥିଲା ଯେ ଏ ଦଳରେ ଅନ୍ୟ ଦଳ ଏପରିକି ରାଷ୍ଟ୍ରୀୟ ଦଳର ରାଜ୍ୟ ଶାଖାଗୁଡ଼ିକ ବି ତଲ୍ଲୀନ ହେଉଥିଲା। ଏନ୍ସିପି ଏଠି ବିଜେଡି ସହ ମିଶିଯାଇଥିଲା। ବାମଦଳର ନେତାମାନେ ବିଜେଡି ସହ ମେଣ୍ଟ କରିବା ଲାଗି ଗୋଡ଼ ଟେକି ବସୁଥିଲେ। କହିବାର କଥା ହେଲା ଦଳ ପାଖରେ ଅନେକ ଚଏସ୍ ଥିଲା। ଯାହାଙ୍କୁ ଚାହିଁଲା ତାଙ୍କୁ ପ୍ରାର୍ଥୀ କରୁଥିଲା। ହେଲେ ଆଜି ପରିସ୍ଥିତି ଓଲଟା।
ଆଜି ଦଳ ପ୍ରାର୍ଥୀ ଖୋଜୁଛି। ଦଳର ବଡ଼ ବଡ଼ ନେତାମାନେ ଡେରା ପକାଇ ବସିଛନ୍ତି, ଭଲ ପ୍ରାର୍ଥୀଟିଏ ମିଳିବ ବୋଲି। ହେଲେ ଯାହାଙ୍କୁ ପଚାରୁଛି ସେ ମନା କରି ଦେଉଛନ୍ତି। ସେଥିଲାଗି ନିର୍ବାଚନ ପାଖେଇ ଆସୁଥିଲେ ମଧ୍ୟ ଦଳ ପ୍ରାର୍ଥୀ କିଏ ହେବ ତାହା ସ୍ଥିର କରିପାରୁନି ଦଳ। ଅର୍ଥାତ୍ ଦଳ ଓ ଦଳର ନେତାଙ୍କ ଉପରେ ନେତାଙ୍କ ଭରସା କମିଛି। ଏ ବିଷୟକୁ ସ୍ପଷ୍ଟ ଭାବେ କହିବା ପଛରେ ଅନେକ କାରଣ ରହିଛି।
ଶୁଣାଯାଉଛି କିଛି ନେତା ଦଳର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ ଏଠାରେ ପ୍ରାର୍ଥୀ କରିବାକୁ ଯୁକ୍ତି ବାଡ଼ୁଛନ୍ତି। ଯେହେତୁ ପ୍ରଣବ ସମ୍ବଲପୁରରୁ ପ୍ରାର୍ଥୀ ହୋଇଥିଲେ, ସେ ଏଥର ପ୍ରାର୍ଥୀ ହେଲେ ଦଳ ଢୋଲକିଆ ଜନିତ କ୍ଷତିକୁ ଭରଣା କରିବ ବୋଲି ଆଶା କରାଯାଉଥିଲା। ହେଲେ ପ୍ରଣବ ଏଥିରେ ରାଜି ନଥିବା ସୂଚନା ମିଳିଛି। କାରଣ ପୂର୍ବରୁ ସେଇ ପାଣ୍ଡିଆନ୍ଙ୍କ କଥାରେ ପଡ଼ି ସେ ନିଜ ଅଞ୍ଚଳରୁ ରାଜନୀତିକ ବିତାଡ଼ିତ ହୋଇଛନ୍ତି। ସମ୍ବଲପୁରରେ ପ୍ରାର୍ଥୀ ହୋଇ ହାରିବା ସହ ନିଜ ମା’ଙ୍କୁ କୋରେଇରୁ ପ୍ରାର୍ଥୀ କରି ବି ପରାଜୟ ସ୍ୱୀକାର କରିଛନ୍ତି ପ୍ରଣବ। ଏଣୁ ସେ ଏ ପ୍ରସ୍ତାବରେ ରାଜି ନଥିବା ସୂଚନା ମିଳିଛି। ଅର୍ଥାତ୍ ଦଳ ବିଜେପି ଓ କଂଗ୍ରେସ ବିପକ୍ଷରେ ଲଢ଼ିବା ଲାଗି ଜଣେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଖୋଜି ପାରି ନାହିଁ।
ଏହା ପ୍ରାମଣିତ କରୁଛି ଯେ ଆସନ୍ତା ଦିନରେ ଦଳ ନୂଆପଡ଼ାରେ ଆତ୍ମସମର୍ପଣ କରିବାକୁ ଯାଉଛି। ଏପରିକି ଦିନେ ବିଜେତା ହୋଇଥିବା ଏହି ଆସନରେ ଦ୍ୱିତୀୟ ସ୍ଥାନରେ ବି ରହିବାକୁ ଦଳ ଯୋଗ୍ୟ ହେବ ନାହିଁ ବୋଲି ଚର୍ଚ୍ଚା ହେଲାଣି।
ପରିସ୍ଥିତି ଆଗକୁ ଆହୁରି ଜଟିଳ ହେବ। ବିଜେଡି ଯଦି ଏହାର ସାଂଗଠନିକ ସ୍ଥିତିକୁ ସୁଦୃଢ୍ ନକରେ ତେବେ ଦଳ ଆଉ ୨୦୨୯ ନିର୍ବାଚନ ଲଢ଼ିବା ବେଳକୁ ନିଜ ସତ୍ତାରେ ନଥିବ ବୋଲି କୁହାଯାଇପାରେ। କାରଣ ହେଲା ଲୋକଙ୍କ ଅନାସ୍ଥା ବଢ଼ୁଛି। ରାଜ୍ୟ ବିଧାନସଭା ନିର୍ବାଚନ- ୨୦୨୪ରେ ଏହା ଏକ ଝଲକ ଦେଖାଇଛି। ଖୋଦ ନବୀନଙ୍କୁ ବି ଲୋକ କଣ୍ଟାବାଞ୍ଜିରେ ହରାଇଛନ୍ତି। ପୁଣି ଯେଉଁ ଆସନରୁ ନବୀନ ବାରମ୍ବାର ନିର୍ବାଚିତ ହୋଇଛନ୍ତି ସେହି ଆସନରେ ବିନା ଦ୍ୱେଷରେ ଭୋଟ ଦେବାକୁ ପସନ୍ଦ କରି ନାହାନ୍ତି। ଫଳରେ ଭୋଟ ସଂଖ୍ୟା କମିଛି। ଖାଲି ସେତିକି ନୁହେଁ, ନିର୍ବାଚନରେ ନବୀନଙ୍କ ବିଜେଡି ମାତ୍ର ୫୧ ଆସନରେ ସୀମିତ ରହିଛି। ହେଲେ ନୂଆପଡ଼ା ପରେ ଏହା ୫୦କୁ ଖସି ଆସିବାର ସମ୍ଭାବନା ବି ଜଳ ଜଳ ଦିଶୁଛି। ଏଣୁ ସମୟ ଆସିଛି ସତର୍କ ହେବାକୁ। ନହେଲେ ପରିସ୍ଥିତି ହାତରୁ ଖସିଗଲେ ଚିନ୍ତା କରି କିଛି ଫାଇଦା ନ ହୋଇପାରେ।
ବିଜେଡିର ଏଭଳି ପରିସ୍ଥିତି ପଛରେ ଥିବା ପ୍ରମୁଖ କାରଣଗୁଡ଼ିକୁ ୫ଟି ବିନ୍ଦୁରେ ଆପଣଙ୍କ ସାମ୍ନାକୁ ଆଣିବାକୁ ଚାହିଁବି। ପ୍ରଥମ ବିନ୍ଦୁ ହେଉଛି ସଭାପତିଙ୍କ ଅନାଗ୍ରହ, ଦ୍ୱିତୀୟରେ ପାଣ୍ଡିଆନ୍ଙ୍କ ପ୍ରତି ବଢ଼ୁଥିବା ଘୃଣାଭାବ, ତୃତୀୟରେ ପ୍ରାର୍ଥୀ ଓ ନେତାଙ୍କୁ ଅଣଦେଖା, ଚତୁର୍ଥରେରେ ନେତାଙ୍କ ଉପରେ ନେତାଙ୍କ ନିଷ୍ପତ୍ତି ଥାପିବା ପ୍ରକ୍ରିୟା, ଏବଂ ପଞ୍ଚମରେ ଲୋକଙ୍କ ଅନାସ୍ଥା। ଏବେ ଏହି ବିନ୍ଦୁଗୁଡ଼ିକୁ ବ୍ୟାଖ୍ୟା କରିବା।
ପ୍ରଥମ ବିନ୍ଦୁ ହେଉଛି ସଭାପତିଙ୍କ ଅନାଗ୍ରହ। ଦଳ ଆରମ୍ଭରୁ ଏହି ଅନାଗ୍ରହ ରହି ଆସିଛି। କିନ୍ତୁ ବିଜୁ ଦାୟାଦ ଭାବେ ଲୋକେ ତାଙ୍କୁ ସମ୍ମାନ, କ୍ଷମତା ଓ ସ୍ନେହ ଦେଇଛନ୍ତି। ସେଥିଲାଗି ସେ ୫ଥର ମୁଖ୍ୟମନ୍ତ୍ରୀ ଆସନ ଲାଭ କରିଛନ୍ତି ଯାହା ଭାରତୀୟ ଗଣତନ୍ତ୍ରରେ ବିରଳ। ହେଲେ ରାଜନୀତିରେ ତାଙ୍କର ଅନାଗ୍ରହ ଦିନକୁ ଦିନ ବଢ଼ିବା ଓ ଦୀର୍ଘ ଦିନ ହେଲା ଏ ବିଷୟ ଗଣମାଧ୍ୟମରେ ଆଲୋଚନା ହେବା ତୃଣମୂଳ ନେତାଙ୍କୁ ବିତସ୍ପୃହ କରିଥିଲା। ତୃଣମୂଳର ନେତା ଚାହିଁଲେ ବି ତାଙ୍କ ନେତାଙ୍କୁ ପାଖରେ ପାଇଲେ ନାହିଁ। ଯାହାଙ୍କୁ ପାଇଲେ ତାଙ୍କୁ ଗ୍ରହଣ କରିପାରିଲେ ନାହିଁ। ଫଳରେ ଦୂରତା ବଢ଼ିଲା। ଆଉ ଏପରି ବଢ଼ିଲା ଯେ ଆଜି ପାର୍ଟିକୁ ସଙ୍କଟରେ ଠିଆ କରିଛି। ପରିସ୍ଥିତି ଏପରି ହୋଇଛି ଯେ, ନିର୍ଦ୍ଧାରିତ ସମୟରେ ଜନସମ୍ପର୍କ ଯାତ୍ରା କରିପାରି ନାହିଁ। ପୁଣି ଦଶହରାକୁ ଆଳ ଦେଖାଇ ଯେଉଁ ପଦଯାତ୍ରାକୁ ବିଳମ୍ବରେ ଆରମ୍ଭ କରାଯାଇଥିଲା ସେଥିରେ ସଭାପତିଙ୍କୁ ଦେଖିବାକୁ ମିଳି ନାହିଁ। ଅର୍ଥାତ୍ ଏହା ପ୍ରମାଣିତ କରୁଛି ଯେ ସଭାପତି ଆଉ ଦଳରେ ଆଗ୍ରହ ଦେଖାଉ ନାହାନ୍ତି।
ଦ୍ୱିତୀୟ ବିନ୍ଦୁ ହେଉଛି ପାଣ୍ଡିଆନ୍ଙ୍କ ପ୍ରତି ବଢ଼ୁଥିବା ଘୃଣାଭାବ। ଗତ ନିର୍ବାଚନରେ ପାଣ୍ଡିଆନ୍ ଯେଉଁଭଳି ଭାବେ ଦଳର ନେତାମାନଙ୍କୁ ବ୍ୟବହାର କରିଲେ, କାହାକୁ ମଞ୍ଚ ଉପରକୁ ଛାଡ଼ିଲେ ନାହିଁ, ନିଜେ ଭୋଟ ସଂଗ୍ରହ ପାଇଁ ଚାହିଁଲେ ତାହା ନେତା ଓ ସଂଗଠନକୁ ଦୁର୍ବଳ କରିଲା। ଆଉ ନିର୍ବାଚନରେ ପରାଜୟ ଆଣିଲା ପରେ ମଧ୍ୟ ଦଳରେ ଏ ବିଷୟକୁ ଧ୍ୟାନ ଦିଆଗଲା ନାହିଁ। ଖୋଦନ୍ ନବୀନ ଦଳ ପାଇଁ ପାଣ୍ଡିଆନ୍ଙ୍କୁ ସମ୍ପତ୍ତି କହିଲେ। ପାଣ୍ଡିଆନ୍ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଥିବା କହି ନବୀନ ନିବାସରେ ନବୀନଙ୍କ ପ୍ରତିଟି କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରିଲେ। ଖାଲି ସେତିକି ନୁହେଁ ନିଜ ପତ୍ନୀଙ୍କୁ ମଧ୍ୟ ରାଜନୀତିର ପଛ କବାଟ ଦେଇ ଦଳରେ ପ୍ରବେଶ କରିବାକୁ ଚାହିଁଲେ। ଯାହା ଲୋକଙ୍କ ମନରେ ଥିବା ଘୃଣାଭାବକୁ ବଢ଼ାଇଲା। ଆଉ ନବୀନ ପାଣ୍ଡିଆନ୍ଙ୍କୁ ସୁରକ୍ଷା ଦେବାକୁ ଯାଇ ବରିଷ୍ଠ ରାଜନେତାମାନଙ୍କୁ ହରାଇଲେ। ଏ ପର୍ବ ଏବେବି ଲାଗି ରହିଛି।
ତୃତୀୟ ବିନ୍ଦୁ ହେଉଛି ବିଜୁ ଜନତା ଦଳରେ ଓଡ଼ିଆ ନେତାଙ୍କୁ ଅଣ ଦେଖା କରି ଅଣ ଓଡ଼ିଆ ନେତାଙ୍କୁ ପ୍ରାଧାନ୍ୟ ଦିଆଯିବା କର୍ମୀ ଓ ନେତାଙ୍କୁ ଆଘାତ ଦେଇଛି। ଫଳରେ ସଂଗଠନ ଦୁର୍ବଳ ହୋଇଛି। ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଶାରିରୀକ ଅସୁସ୍ଥତା ହେତୁ ଉତ୍ତରାଧିକାରୀ ଚୟନ ପାଇଁ ଦାବି ହୋଇଛି। ହେଲେ ସଭାପତିଙ୍କ ସହମତିରେ ତାଙ୍କୁ ହାଇଜାକ୍ କରାଯାଉଥିବା ଅଭିଯୋଗ ହୋଇଛି। ଏପରିକି ଦଳର କର୍ମୀ ଓ ନେତାଙ୍କୁ ଲୁଚାଇ ତାଙ୍କର ସେବକ ଭିକେ ପାଣ୍ଡିଆନ୍ ତାଙ୍କୁ ଦଳଠୁ ଦୂରେଇ ରହିବାକୁ ବାଧ୍ୟ କରାଉଥିବା ଅଭିଯୋଗ ହୋଇଛି। କୌଣସି ରାଜନୀତିକ ଦଳ ପାଇଁ ଭୁବନେଶ୍ୱର ନୁହେଁ ବରଂ ତୃଣମୂଳ ହେଉଛି ପ୍ରକୃତ କ୍ଷମତା ଉତ୍ସ। ତୃଣମୂଳରେ ଥିବା ନେତାଙ୍କୁ ଠିକଣା ଭାବେ ମର୍ଯ୍ୟାଦା ଦେବା ଓ ତାଙ୍କ ସୁଖ ଦୁଃଖରେ ସାମିଲ ହେବା ହେଉଛି ଭୁବନେଶ୍ୱରରେ ଥିବା ବରିଷ୍ଠ ନେତା ଓ ରଣନୀତିକାରଙ୍କ ଦାୟିତ୍ୱ। କିନ୍ତୁ ବିଜେଡି ଗଲା ଏକ ବର୍ଷରୁ ଅଧିକ ଦିନ ହେଲାଣି ତୃଣମୂଳକୁ ଭୁଲି ଯାଇଛି। ଏହା ନବୀନଙ୍କ ପ୍ରତି ଦଳୀୟ କର୍ମୀ ଓ ନେତାଙ୍କ ଅନାସ୍ଥା ବୃଦ୍ଧି କରିଛି। ଦୀର୍ଘ ବର୍ଷ ହେଲା କ୍ଷମତାରେ ରହିଥିବା ନବୀନ ପଟ୍ଟନାୟକଙ୍କୁ ଲୋକେ ଏତେ ସ୍ନେହ ଶ୍ରଦ୍ଧା କରିଲେ ମଧ୍ୟ ତାଙ୍କର କର୍ମୀ ଓ ସାଧାରଣ ଜନତାଙ୍କ ପ୍ରତି ବ୍ୟବହାର ଅନେକ ସମୟରେ ଲୋକଙ୍କୁ କ୍ଷୁବ୍ଧ କରିଛି।
ଚତୁର୍ଥ ଓ ସବୁଠାରୁ ବଡ଼ କାରଣ ହେଉଛି ଲୋକଙ୍କ ଉପରେ ପ୍ରାର୍ଥୀ ଥୋପାଯିବା ପ୍ରକ୍ରିୟା କ୍ଷମତାରେ ଥିବାବେଳେ ବିଜେଡି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନାଁ ନଥିବା ନେତାଙ୍କୁ ମଧ୍ୟ ସ୍ଥାପନ କରିଛି। ଯାହାଦ୍ୱାରା ସମ୍ପୃକ୍ତ ନେତାଙ୍କର ଜନତାଙ୍କ ସହ ସମ୍ପର୍କ ବଢ଼ିପାରି ନାହିଁ। ପରୋକ୍ଷରେ ଏହା ସେଠାରେ ଦୀର୍ଘ ଦିନ ହେଲା ନିଜର ଗଡ଼ ନିର୍ମାଣ କରିଥିବା ନେତାଙ୍କ ସମାନ୍ତରାଳ ସଂଗଠନ ଦେଖିବାକୁ ମିଳୁଛି।
ଲୋକଙ୍କ ଉପରେ ନିଷ୍ପତ୍ତି ଲଦି ଦେବା ପ୍ରକ୍ରିୟାକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି। ଆଉ ନୂଆପଡ଼ାରେ ଆଜି ନେତା ବି ପ୍ରତ୍ୟାଖ୍ୟାନ କରୁଛନ୍ତି। କାରଣ ପରମ୍ପରା ଅନୁସାରେ ମୃତ ବିଧାୟକଙ୍କ ପରିବାରର ସଦସ୍ୟଙ୍କୁ ଟିକଟ ଦେଇ ଦଳ ବିଜୟ ହାସଲ କରିବାର ଏକ ପ୍ରକ୍ରିୟା ଆମ ରାଜ୍ୟରେ ପ୍ରଚଳିତ ରହିଛି। ଏଥର ବି ଦିବଂଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ଦଳ ଟିକଟ ଦେବାର ନିଷ୍ପତ୍ତି ହୋଇଥିଲା। କିନ୍ତୁ ଦଳ ଅହେତୁକ ବିଳମ୍ବ କରିଲା। ଏ ଭିତରେ ଦଳର ରଣନୀତିକାର କିଛି ଅଲଗା ଖେଳ ଖେଳୁଥିବା ଚର୍ଚ୍ଚା ହେଲା। ଦଳକୁ ହାଇଜାକ୍ କରୁଥିବା ପାଣ୍ଡିଆନ୍ ପ୍ରତ୍ୟକ୍ଷ ନ ହେଲେ ବି ପରୋକ୍ଷରେ ରହି ଏହି ଚକ୍ରାନ୍ତ କରୁଥିବାର ସୂଚନା ଜୟ ପାଇଲେ। ଆଉ ଅନ୍ୟ ଦଳକୁ ଡେଇଁଲେ ବୋଲି କୁହାଯାଉଛି। ଜୟଙ୍କ ସହ ବିଜେଡିର ସଂଗଠନ ଏବେ ବିଜେପି ପାଖକୁ ଯାଇଛି। ଏ ମୁହୂର୍ତ୍ତରେ ଦଳ ଆଉ ପ୍ରାର୍ଥୀ ପାଉ ନାହିଁ।
ଏହା ପ୍ରମାଣିତ କରୁଛି ଯେ ଲୋକଙ୍କ ଅନାସ୍ଥା ବିଜେଡି ଓ ନବୀନ ବ୍ରାଣ୍ଡ ପ୍ରତି ସୃଷ୍ଟି ହୋଇଛି। ସଂଗଠିତ ହେଉଛି। ଆଉ ଏହା ହେଉଛି ନବୀନ ବ୍ରାଣ୍ଡ ହ୍ରାସର ପଞ୍ଚମ ତଥା ବଳିଷ୍ଠ କାରଣ । କୁହାଯାଏ ଲୋକଙ୍କ ଅନାସ୍ଥା ପାଇବା ସହଜ କିନ୍ତୁ ଆସ୍ଥା ଓ ଭରସା ଜିତିବା ଦଶନ୍ଧିର ପରିଶ୍ରମ ସହ ସମାନ। ଆଉ ବିଜେଡି ଦଶନ୍ଧି ଦଶନ୍ଧି ଧରି ଜିତିଥିବା ଆସ୍ଥାକୁ ଏବେ ଯେଉଁପ୍ରକାର ହରାଉଛି ତାହାକୁ ଯଦି ଧରି ନରଖିପାରେ ତେବେ ୨୦୨୯ରେ ଆଉ ହୁଏତ ୧୪୭୬ ପ୍ରାର୍ଥୀ ପାଇ ନ ପାରେ।