)
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ, ନେତା ନବୀନ ପଟ୍ଟନାୟକ ଆଜି ଓଡ଼ିଶା ଫେରିଛନ୍ତି। ଅପରାହ୍ନ ପ୍ରାୟ ୩ଟାରେ ଏକ ସ୍ଵତନ୍ତ୍ର ଚାର୍ଟର୍ଡ ବିମାନରେ ସେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଛନ୍ତି। ସେଠାରୁ ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ନ ଦେଇ ସିଧାସଳଖ ନବୀନ ନିବାସକୁ ଯାଇଛନ୍ତି।
ସେପ୍ଟେମ୍ବର ୮ ତାରିଖରେ ନବୀନ ଦିଲ୍ଲୀ ଗସ୍ତରେ ଯାଇଥିଲେ। ଉପ ରାଷ୍ଟ୍ରପତି ନିର୍ବାଚନ ଆଗକୁ ଥିବାରୁ ଜାତୀୟ ରାଜନୀତିରେ ତାଙ୍କ ଦଖଲକୁ ନେଇ ଆଲୋଚନା ହୋଇଥିଲା। ହେଲେ ନବୀନ କଳା ଓ ସାଂସ୍କୃତିକ ପରିବେଶରେ ନିଜକୁ ହଜାଇ ରଖିଥିବା ସୋଶାଲ ମିଡିଆରୁ ଦେଖିବାକୁ ମିଳିଥିଲା। ଏପରିକି ତାଙ୍କର ଏକ ମାସରୁ ଅଧିକ ସମୟ ରହଣୀ ଭିତରେ ରାଜ୍ୟରେ ବିଧାନସଭା ଅଧିବେଶନ ଚାଲିଥିଲେ ମଧ୍ୟ ନବୀନ ଓଡ଼ିଶା ଆସିବାକୁ ପସନ୍ଦ କରି ନଥିଲେ। ଏନେଇ ଗଣମାଧ୍ୟମରେ ମଧ୍ୟ ସମାଲୋଚନା ପ୍ରକାଶ ପାଇଥିଲା।
ଏବେ ଆଗକୁ ନୂଆପଡ଼ା ଉପ ନିର୍ବାଚନ ରହିଛି। ଏଥିଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅନୁସାରେ ଆଚରଣ ବିଧି ମଧ୍ୟ ଲାଗୁ କରାଯାଇଛି। ପୂର୍ବରୁ ବିଜ;େଡି ବିଧାୟକ ରାଜେନ୍ଦ୍ର ସିଂହ ଢୋଲକିଆଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଥିଲା। ଏଥିଲାଗି ତାଙକ୍ ପୁଅ ଜ୍ର ଢୋଲକିଆ ପ୍ରାର୍ଥୀ ହେବାକୁ ଆଶାୟୀ ରହିଛନ୍ତି। କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ଏହି ଆସନରେ ପାଣ୍ଡିଆନ୍ଙ୍କ ପତ୍ନୀ ସୁଜାତା ପ୍ରାର୍କଥୀ ହେବେ ବୋଲି ଚର୍ଚ୍ଚା ବି ହେଉଛି।
ଏଭଳି ଏକ ପରିସ୍ଥିତିରେ ନବୀନ ପିତାଙ୍କ ପନ୍ଥା ଅନୁସରଣ କରି ନୂଆପଡ଼ା ଉପ ନିର୍ବାଚନରେ ପଦାର୍ପଣ କରିବେ ନାହିଁ ବୋଲି କିଛିଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା। ହେଲେ ନବୀନ ଫେରି ଆସିବା ପରେ ରାଜ୍ୟ ରାଜନୀତି ସରଗରମ ହେବ ବୋଲି ଆଶା କରାଯାଉଛି।