ରଙ୍ଗ ବଦଳାଇଲା ଏଣ୍ଡୁଅ!
Advertisement

ରଙ୍ଗ ବଦଳାଇଲା ଏଣ୍ଡୁଅ!

କ୍ରିକେଟରୁ ରାଜନୀତିକୁ ଆସିଥିବା ସିଦ୍ଧୁ ବେଶ୍ ଭଲ ଭାବରେ ଜାଣନ୍ତି, ଏବେ ପଞ୍ଜାବ ରାଜନୀତିରେ କଂଗ୍ରେସ ହେଉଛି ବୁଡ଼ନ୍ତା ଡଙ୍ଗା। ଏଣୁ ଏଥିରେ ଯିଏ ବସିବେ ସିଏ ବୁଡ଼ିବ। ସେ ନାଉରୀ ହୁଅନ୍ତୁ ଅଥବା ଯାତ୍ରୀ। 

ରଙ୍ଗ ବଦଳାଇଲା ଏଣ୍ଡୁଅ!

ହିତାଂଶୁ ଶେଖର ମହାନ୍ତ,ନୂଆଦିଲ୍ଲୀ: ନିର୍ବାଚନ ହାରିବାର ଦିନ କେଇଟା ବି ଯାଇନି। ପାର୍ଟି ହାଇକମାଣ୍ଡ ଦେଖାଇଦେଲେ ବାହାର ରାସ୍ତା। ଅବଶ୍ୟ ଇଏ ୫ ରାଜ୍ୟରେ ନିର୍ବାଚନ ହାରିବାର ପରିଣତି। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ଆଦି ରାଜ୍ୟରେ ଯେଉଁମାନେ ପିସିସି ଦାୟିତ୍ୱରେ ଥିଲେ ସମସ୍ତଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଜାରି କରିଥିଲେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧି। ଅନ୍ୟ ସବୁ ରାଜ୍ୟ କଥା ଛାଡ଼ନ୍ତୁ, ଯେହେତୁ ପଞ୍ଜାବରେ କଂଗ୍ରେସ କ୍ଷମତାରେ ଥିଲା, ସେଥିପାଇଁ ଆପ୍ ହାତରେ ରାଜ୍ୟବାସୀ କ୍ଷମତାର ସିଂହାସନ ତୋଳିଦେବା ପରେ ପିସିସି ମୁଖିଆ ନବଜୋତ ସିଂହ ସିଦ୍ଧୁଙ୍କୁ ଇସ୍ତଫା ଦେବାଟା ଭାରି ବାଧିଥିବ! 

କାରଣ ଏପରି ଏକ ସମୟରେ ସେ ନିଜେ ଇସ୍ତଫା ଦେଇଥିଲେ ତାଙ୍କ ଟେକ ରହିଥାନ୍ତା। ମାତ୍ର ତାଙ୍କୁ ଇସ୍ତଫା ଦେବାକୁ କୁହାଯିବା ପରେ ଏହି ଘଟଣାକୁ ସହଜେ ଗ୍ରହଣ କରି ପାରିନାହାଁନ୍ତି ସିଦ୍ଧୁ। ଫଳ ସ୍ୱରୁପ ଯଦିଓ ସେ ଇସ୍ତଫା  ଦେଇଦେଲେ ହେଲେ କଂଗ୍ରେସ ବିରୋଧରେ ବିଷ ଓଗାଳିବାକୁ ଗୋଟିଏ ମୂହୁର୍ତ୍ତ ମଧ୍ୟ ଡେରି କଲେନାହିଁ। ସେ ଯାହା ବି ହେଉ, ସିଦ୍ଧୁ ଇସ୍ତଫା ଦେବାପରେ ତାଙ୍କର ୮ ମାସର ରାଜ୍ୟ କଂଗ୍ରେସ ମୁଖିଆ (Punjab Congress President) ପଦରେ ଯବନିକା ପଡ଼ିଛି। ଅବଶ୍ୟ ଗତ ୨୮ ସେପ୍ଟେମ୍ବରରେ ସିଦ୍ଧୁ ପ୍ରଥମଥର ପାଇଁ ଇସ୍ତଫା ଦେଇଥିଲେ। ଏନେଇ କୁହାଯାଉଥିଲା ଯେଏହା ଥିଲା ଅଭିମାନ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନକରାଯିବା ଅସନ୍ତୁଷ୍ଟ ହୋଇଉଠିଥିବା ସିଦ୍ଧୁ ପଦ ଛାଡିଥିଲେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଦଳ ସେତେବେଳେ କୌଣସି ପ୍ରକାରେ ତାଙ୍କୁ ମନାଇ ନେଇଥିଲା। ମାତ୍ର ଏହାର ୫ ମାସ ପରେ ସେହି ଦଳୀୟ ନେତୃତ୍ୱ ହିଁ ତାଙ୍କୁ 'ଗାଦି ଛାଡ଼' ନିର୍ଦ୍ଦେଶ ଶୁଣାଇଥିଲା।

ଇସ୍ତଫା ଦେବାପରେ ସିଦ୍ଧୁଙ୍କୁ ସମ୍ଭାଳେ କିଏ? ସିଧା ସିଧା କଂଗ୍ରେସ ବିରୋଧରେ ଆରମ୍ଭ କରିଦେଲେ ବିଷୋଦଗାର। ଏହା ସହ ତାଙ୍କ ମୁହଁରେ ଏବେ ଆମ୍ ଆଦମୀ ପାର୍ଟିର (Aam Adami Party) ଭୁରି ଭୁରି ପ୍ରଶଂସା (Siddhu praises AAP)। କାରଣ କ୍ରିକେଟରୁ ରାଜନୀତିକୁ ଆସିଥିବା ସିଦ୍ଧୁ ବେଶ୍ ଭଲ ଭାବରେ ଜାଣନ୍ତି, ଏବେ ପଞ୍ଜାବ ରାଜନୀତିରେ କଂଗ୍ରେସ ହେଉଛି ବୁଡ଼ନ୍ତା ଡଙ୍ଗା। ଏଣୁ ଏଥିରେ ଯିଏ ବସିବେ ସିଏ ବୁଡ଼ିବ। ସେ ନାଉରୀ ହୁଅନ୍ତୁ ଅଥବା ଯାତ୍ରୀ। ସେଥିପାଇଁ ତାଙ୍କୁ ଏବେ ଆମ୍ ଆଦମୀ ପାର୍ଟି (Aam Aadmi Party) ନିରାପଦ ଆଶ୍ରୟ ଭଳି ମନେ ହେଉଥିବ। 

ଭଗୱନ୍ତ ମାନ୍ (Bhagwant Mann) ଙ୍କ ନେତୃତ୍ୱରେ ସିଦ୍ଧୁଙ୍କୁ ତାଙ୍କ ରାଜନୈତିକ ଭବିଷ୍ୟତ ଦୃଶ୍ୟମାନ ହେଉଥିବ। ଯେଉଁଥିପାଇଁ ଏ ପ୍ରଶଂସା ବା ସ୍ତବଗାନ। କାରଣ ରଙ୍ଗ ବଦଳାଇବାରେ  ସିଦ୍ଧୁ ବହୁରୂପୀ ଏଣ୍ଡୁଅ ଠାରୁ ଆହୁରି ଧୂରନ୍ଧର। କେବେ ବିଜେପିର ସୁନାପୁଅ ସାଜିଥିବା ସିଦ୍ଧୁ ସୁଯୋଗ ନପାଇବାରୁ ପଦ୍ମ ପୋଖରୀ ଡେଇଁ ହାତ ଧରିଥିଲେ। ଆଉ ସିଏ କାଲି ଆମ ଆଦମୀ ପାର୍ଟି ଶିବିରରେ ଝାଡୁ ମାରୁଥିବାର ଦେଖାଗଲେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ। ସିଦ୍ଧୁ ବୁଝି ପାରୁନାହାନ୍ତି ଯେ ସେ ଏପରି କରି ପଞ୍ଜାବ ରାଜନୀତିରେ ନିଜ ଓଜନ ହରାଇବାକୁ ବସିଲେଣି। ଯେବେଠାରୁ ସେ ପାକିସ୍ତାନ ଯାଇ ଇମରାନ୍ ଖାନଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇ ଆସିଛନ୍ତି ସେବେ ଠାରୁ ତାଙ୍କୁ ରାଜ୍ୟବାସୀ କଟାକ୍ଷ କରିବା ଆରମ୍ଭ କରିଥିଲେ। 

ଚଳିତ ୨୦୨୨ ବିଧାନସଭା ନିର୍ବାଚନରେ ସେ ଆମ୍ ଆଦମୀ ପାର୍ଟ ପ୍ରାର୍ଥୀ ଜୀବନଜ୍ୟୋତ୍ କୌରଙ୍କ ଠାରୁ ୬୭୫୦ ଖଣ୍ଡ ଭୋଟ ବ୍ୟବଧାନରେ ହାରି ଯାଇଥିଲେ। ଯାହା ତାଙ୍କର ହ୍ରାସ ପାଉଥିବା ଲୋକପ୍ରିୟତାକୁ ଦର୍ଶାଉଛି। ଏବେ ଏଣ୍ଡୁଅ ରଙ୍ଗ ବଦଳାଇବା ପରି ସିଦ୍ଧୁ ଦାୟିତ୍ୱରୁ ଯିବାର ୨୪ ଘଣ୍ଟା ନପୂରୁଣୁ ବିରୋଧ ପକ୍ଷକୁ ପ୍ରଶଂସା କରି ନିଜ ବ୍ୟକ୍ତିତ୍ୱ ଆଉ ଚରିତ୍ରକୁ ସମସ୍ତଙ୍କ ଆଗରେ ପର୍ଦ୍ଦାଫାଶ କରି ଦେଇଛନ୍ତି। ପିସିସି ମୁଖିଆ ପଦରୁ ଗଲେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ସିଦ୍ଧୁ ଆହୁରି ଇସ୍ତଫା ଦେଇ ନାହାଁନ୍ତି। ତଥାପି ଯେମିତି ପ୍ରତିକ୍ରିୟା ଦେଉଛନ୍ତି, କାଲି କଂଗ୍ରେସ ତାଙ୍କୁ ଦଳରୁ ଯେ ନିଲମ୍ବିତ ନ କରିବ ସେ କଥା କିଏ କହିବ? କ'ଣ ସିଦ୍ଧୁ ଏହା ଚାହୁଁଛନ୍ତି? ଆଉ ସେକଥା ନିଜଆଡୁ ନ କହି ଦଳୀୟ ନେତୃବୃନ୍ଦଙ୍କ ମୁହଁରୁ କୁହାଇବାକୁ ଚେଷ୍ଟା କରୁଛନ୍ତି!