)
Shreemayee Mishra:ଭୁବନେଶ୍ୱର: ବିଜେଡିର ମହିଳା ମୋର୍ଚ୍ଚା ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ନେଇ ବଡ଼ ସଙ୍କଟରେ ପଡ଼ିଛନ୍ତି ବିଜୁ ଜନତା ଦଳର ଅଘୋଷିତ ମୁରବୀ ଭି କେ ପାଣ୍ଡିଆନ୍। ପର୍ଦ୍ଦା ପଛରେ ରହି ନେତାଙ୍କୁ ନଚାଇବାକୁ ଭଲ ପାଉଥିବା ଏହି ନବୀନଙ୍କ ସେବକ ଏବେ ଏଥିରୁ ମୁକୁଳିବା ପାଇଁ ବାଟ ପାଉ ନଥିବା ଚର୍ଚ୍ଚା ହେଉଛି। ରାଜ୍ୟ ବାହାରେ ଥାଇ ଏଥିଲାଗି ବ୍ରହ୍ମାସ୍ତ୍ର ପ୍ରୟୋଗ କରିବା ଆରମ୍ଭ କରିଥିବା କୁହାଯାଉଛି। ଆଉ ଏହି ପ୍ରୟାସରେ ସାମ୍ନାକୁ ଆସିଛି ଚରିତ୍ର ସଂହାର ପର୍ବ। ଯେଉଁଥିରେ ଖୋଲାଖୋଲି ନିଜ ଦଳର ନେତ୍ରୀଙ୍କ ଭିଡିଓ ବ୍ଲାକମେଲିଂ କରିବା ପାଇଁ ଧମକ ଦିଆଯାଇଛି। ପ୍ରଶ୍ନ ଉଠୁଛି ଶ୍ରୀମୟୀଙ୍କୁ ନେଇ ପାଣ୍ଡିଆନ୍ ଦଳ ଏତେ ଅସ୍ତବ୍ୟସ୍ତ କାହିଁକି? କାହିଁକି ‘ଭଣ୍ଡ ସନ୍ନ୍ୟାସୀ’ ଆଖ୍ୟା ଏତେ ପରିମାଣରେ ପାଣ୍ଡିଆନ୍ଙ୍କୁ ଆକ୍ରାନ୍ତ କରିଥିବା ଆଲୋଚନା ହେଉଛି?
କିଛିଦିନ ତଳେ ଶ୍ରୀମୟୀ ବିଜେଡିର ଜଣେ ଅତ୍ୟନ୍ତ ଆବଶ୍ୟକ ନେତ୍ରୀ ଥିଲେ। ରାଜ୍ୟର ପଶ୍ଚିମାଞ୍ଚଳର ନିବାସୀ ଶ୍ରୀମୟୀ ଭୁବନେଶ୍ୱରରେ ରହନ୍ତି। ଆଉ ୨୦୨୪ ନିର୍ବାଚନରେ ଭୁବନେଶ୍ୱରରରୁ ସାଂସଦ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହୋଇଥିଲା। ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଏହି ଲୋଭ ତାଙ୍କୁ ଦେଖା ଯାଇଥିଲା। ତାଙ୍କ ପୋଷ୍ଟର କଳି କନ୍ଦିରେ ମରା ଯାଇଥିଲା। ସାଂସଦ ଅପରାଜିତାଙ୍କ ବିରୋଧରେ ଯଦି କେବେ ରାଜନୀତିକ କଟୁ ମନ୍ତବ୍ୟ ଦେବାକୁ ପଡ଼ୁଥିବା ତେବେ ତାଙ୍କୁ ମୁଖା କରି ବ୍ୟବହାର କରୁଥିଲା ବିଜେଡି।
ଆଜି କିନ୍ତୁ ସମୟ ଓଲଟିଛି। ଶ୍ରୀମୟୀ ଆଉ ଗୁଡବୁକରେ ନାହାନ୍ତି। ସେ ଦଳର ପଦବୀ ମଣ୍ଡନ କରୁଥିଲେ ବି ଆଉ ସଭାସମିତିରେ ଦିଶୁ ନାହାନ୍ତି। ଠିକ୍ ଯେମିତି ନବୀନ ପଟ୍ଟନାୟକ। ଦଳର ସଭାପତି ହୋଇଥିଲେ ବି ତାଙ୍କୁ ଭିଡିଓ ବାର୍ତ୍ତାରେ ଦେଖିବାକୁ ମିଳୁଛି। ବିଧାନସଭା ଚାଲୁଥିବା ବେଳେ ସେ ରାଜ୍ୟ ବାହାରେ ରହୁଛନ୍ତି। ମୁଖ୍ୟ ବିରୋଧୀ ଦଳ ବିଜେଡି ହୋଇଥିଲେ ବି କଂଗ୍ରେସ ସାମ୍ନାକୁ ଅଧିକ ଆସୁଛି। ରାଜ୍ୟରେ ବିଜେଡି କଥା ପଡ଼ିଲେ ନବୀନ ଚର୍ଚ୍ଚା କମ୍ ହେଉଛି ଆଉ ତାଙ୍କ ସହଯୋଗୀ ପାଣ୍ଡିଆନ୍ଙ୍କ କଥା ଅଧିକ ଚର୍ଚ୍ଚା ହେଉଛି। ନିଜକୁ ରାଜନୀତିରୁ ସନ୍ନ୍ୟାସ ଦେଇ କେବଳ ନବୀନଙ୍କ ସେବାରେ ନିୟୋଜିତ କରିଥିବା କହିଥିବା ପାଣ୍ଡିଆନ୍ଙ୍କ ପାଇଁ ‘ଭଣ୍ଡ ସନ୍ନ୍ୟାସ’ ଶବ୍ଦକୁ ବ୍ୟବହାର କରାଯାଇଥିବା ନେଇ ଗଣମାଧ୍ୟ୍ରମରେ ଚର୍ଚ୍ଚା ହେବା ପରେ ପାଣ୍ଡିଆନଙ୍କ ନିଦ ହଜି ଯାଇଛି। ଆଉ ଏହି ମହିଳା ବଳର ତେଜକୁ ରୋକ୍ ଦେବା ଲାଗି ବିଜେଡିରେ ଚରିତ୍ର ସଂହାର ପର୍ବ ଆରମ୍ଭ ହୋଇଥିବା କୁହାଯାଉଛି। କାରଣ ଜଣେ ଶ୍ରୀମୟୀଙ୍କୁ ରୋକାଯାଇ ନପାରିଲେ ତାହା ଅନେକ ଶ୍ରୀମୟୀଙ୍କୁ ସୃଷ୍ଟି କରିପାରେ। ଆଉ ତାହା ଦଳକୁ ଅକଳ ପରିସ୍ଥିତିରେ ପକାଇ ଦେଇପାରେ। ସେଥିଲାଗି ଶ୍ରୀମୟୀ ମିଶ୍ରଙ୍କ ଭଳି ପାଟି ବନ୍ଦ କରିବା ଲାଗି ବିଜେଡିର ନେତା ରାସ୍ତା କଡ଼ରେ ଶ୍ରୀମୟୀଙ୍କୁ ଧମକ ଦେବା ଏପରିକି ତାଙ୍କ ଚରିତ୍ର ଉପରକୁ ଆଙ୍ଗୁଠି ଦେଖାଇବାକୁ ଦଳର ନେତା ମଧ୍ୟ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି।
ମାତ୍ର ଗୋଟିଏ ସପ୍ତାହ ଅନ୍ତରରେ ଶ୍ରୀମୟୀ ଦୁଇଟି ପୋଷ୍ଟ ସୋଶାଲ ମିଡିଆରେ କରିଛନ୍ତି। ପ୍ରଥମ ପୋଷ୍ଟରେ ଶ୍ରୀମୟୀ ନବୀନ ପଟ୍ଟନାୟକଙ୍କୁ ଧ୍ରୁତ ରାଷ୍ଟ୍ର ବୋଲି କହିଥିବା ମିଡିଆରେ ଚର୍ଚ୍ଚା ହୋଇଥିଲା। ଆଉ ଦ୍ୱିତୀୟ ପୋଷ୍ଟରେ ପାଣ୍ଡିଆନ୍ଙ୍କୁ ଭଣ୍ଡ ସନ୍ନ୍ୟାସୀ କହିଥିବା ନେଇ ମିଡିଆରେ ପଡ଼ିଲା ଉଠିଲା।
ଏ ଚର୍ଚ୍ଚାକୁ ପ୍ରଶମିତ କରିବା ପାଇଁ ବିଜେଡି ସ୍ନେହାଙ୍ଗିନୀ ଛୁରିଆ ଏବଂ ପ୍ରମିଳା ମଲ୍ଲିକଙ୍କ ଭଳି ବରିଷ୍ଠ ନେତ୍ରୀଙ୍କୁ ବ୍ୟବହାର କରିଲା। କିନ୍ତୁ ଏହା ସାଧାରଣରେ ଧରିଲା ନାହିଁ। ଶେଷରେ ବିଜେଡିର ସୋଶାଲ୍ ମିଡିଆ ଟିମ୍ ଓ ଆଇଟି ସେଲ ଏହାକୁ ମୋହନ ମାଝିଙ୍କ ସହ ଯୋଡ଼ି ତାହାକଚ ପ୍ରଶମିତ କରିବାକୁ ଚାହିଁଲେ। ଶ୍ରୀମୟୀ କହିଥିବା ଧୃତରାଷ୍ଟ୍ର ନବୀନ ନୁହଁନ୍ତି ବରଂ ମୋହନ ବୋଲି ଏକ ନାରେଟିଭ୍ ଏହି ସେଲ୍ ସେଟ କରିବାକୁ ଚାହିଁଥିଲା। ଏହି ନ୍ୟାରେଟିଭ୍ ଚାଲୁଥିବା ବେଳେ ଶ୍ରୀମୟୀ କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧିଙ୍କ ଭଳି ହାଇଡ୍ରୋଜେନ୍ ବୋମାର ଦ୍ୱିତୀୟ ଅଂଶକୁ ଫୋପାଡ଼ିଲେ। ରାହୁଲଙ୍କ ଏହି ବୋମା ନିର୍ବାଚନ କମିଶନଙ୍କୁ କ୍ଷତବିକ୍ଷତ କରିବାକୁ ଚେଷ୍ଟା କରିଥିବାବେଳେ ଏଠାରେ କିନ୍ତୁ ବିଜେଡିର ଅଘୋଷିତ ନେତା ଭିକେ ପାଣ୍ଡିଆନ୍ଙ୍କ ଉପରେ ଏହି ବୋମା ପଡ଼ିଥିଲା।
ସିଧାସଳଖ ଏମିତି ବିସ୍ଫୋରଣ ହେଲା ଯେ, ସେଥିରୁ କେମିତି ବଞ୍ଚିବେ ବାଟ ପାଉ ନଥିବା ଚର୍ଚ୍ଚା ହେଉଛି। ଆଉ ଗୋଟିଏ ଦିନ ଚୁପ୍ ରହିବା ପରେ ବିଜେଡି ଟିମ୍ ଇଲା ସ୍ୱାଇଁ ଓ ଅଂଶୁ ତ୍ରିପାଠୀଙ୍କ ଭଳି ନବାଗତାଙ୍କୁ ବ୍ୟବହାର କରିଲା। ସେତିକିରେ ସରିଲା ନାହିଁ, ଶ୍ରୀମୟୀଙ୍କୁ ନିର୍ବାଚନ ମଇଦାନରୁ ତଡ଼ିବା ଲାଗି ଆମଦାନୀ ହୋଇଥିବା କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁତ୍ର ମନ୍ମଥଙ୍କୁ ବ୍ୟବହାର କରିଲା ବିଜେଡି। ମନ୍ମଥ, ପାଣ୍ଡିଆନ୍ଙ୍କୁ ଗୁରୁ ଭାବେ ମାନନ୍ତି ବୋଲି କହନ୍ତି। ତା ସହ ପାଣ୍ଡିଆନଯେ ସମସ୍ତଙ୍କ ଗୁରୁ ତାହାକୁ ମାନିବାକୁ ଅନ୍ୟମାନଙ୍କୁ ବି କହନ୍ତି। ଆଉ ଏହି ଗୁରୁପ୍ରେମକୁ ଜାହିର କରିବା ଲାଗି ବାପାଙ୍କ ଭଳି ଜୟଦେବ ଭବନର ସାମ୍ବାଦିକ ଖଟିକୁ ବ୍ୟବହାର କରି ଶ୍ରୀମୟୀଙ୍କୁ ‘ଚରିତ୍ର ହୀନ’ ବୋଲି କହିବା ପାଇଁ ଉଦ୍ୟମ କରିଛନ୍ତି। ଏପରିକି ତାଙ୍କର କିଛି ଗୋପନ ଭିଡିଓକୁ ସେ ଓପନ କରିବାର ମଧ୍ୟ ଧମକ ଦେଇଛନ୍ତି।
ଏତିକିରେ ଅଟକି ନାହିଁ ଚରିତ୍ର ସଂହାର। ଏକ ଭିଡିଓରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଶ୍ରୀମୟୀଙ୍କ ଏକ ଭିଡିଓକୁ ମଧ୍ୟ ଭାଇରାଲ କରାଯାଉଥିବା କୁହାଯାଉଛି। ଏହା ପାଣ୍ଡିଆନ୍ ଟିମର ଏକ ସୁ ଚିନ୍ତିତ ପ୍ରୟାସ ବୋଲି ଆଲୋଚନା ହେଉଛି। କାରଣ ଏ ଭିଡିଓଟି କାହିଁକି ପ୍ରକାଶ କରାଯାଇଛି ଓ କ’ଣ ଏହାର ଉଦ୍ଦେଶ୍ୟ କିଛି ବି ଉଲ୍ଲେଖ ନାହିଁ। ଏହା କୌଣସି ଘଟଣା ବି ନୁହେଁ। ବରଂ ଯେମିତି ଏ ଭିଡିଓକୁ ସଜା ଯାଇଛି ଲାଗୁଛି ଯେମିତି ଏମାନେ କୌଣସି ସିନେମାର ଅଭିନେତା-ଅଭିନେତ୍ରୀ। ଯେହେତୁ ପାଣ୍ଡିଆନ୍ଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସାହସ କରି ଅରୁଣ ସାହୁ ପାଣ୍ଡିଆନ୍ ବିରୋଧୀ ଗୋଷ୍ଠୀର ସଦସ୍ୟ ପାଲଟିଛନ୍ତି, ତାଙ୍କ ଚରିତ୍ର ହନନ ପାଇଁ ମଧ୍ୟ ଚେଷ୍ଟା କରାଯାଉଥିବା କୁହାଯାଉଛି।