)
ମଳୟ ମହାନ୍ତି, ଭୁବନେଶ୍ୱର: ମହାନଦୀ ଜଳବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲରେ କ’ଣ ହେଉଛି, କେହି ଜାଣିପାରୁ ନାହାନ୍ତି। ରାଜ୍ୟ ସରକାର ସେଠାରେ ତଥ୍ୟ ଉପସ୍ଥାପନ କରିପାରୁନାହାନ୍ତି କିମ୍ବା ଲଢ଼େଇ କରିପାରୁ ନାହାନ୍ତି। ମହାନଦୀ ପାଇଁ ସ୍ୱର ଉତ୍ତୋଳନ କରୁଥିବା ସରକାର, ବିରୋଧୀ ଓ ବିଭିନ୍ନ ସଂସ୍ଥା ଏବେ ଚୁପ କାହିଁକି? ରାଜ୍ୟ ସରକାର ହୀରାକୁଦର ତଳମୁଣ୍ଡରେ ଘୋଷଣା କରିଥିବା ୬ ପ୍ରକଳ୍ପ କୁଆଡ଼େ ଗଲା ବୋଲି ସରକାରଙ୍କୁ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି।
ଇବ୍ ପ୍ରକଳ୍ପ ପରି ମହାନଦୀର ଉପର ମୁଣ୍ଡରେ ଥିବା ଉପନଦୀରେ ମଧ୍ୟ ୧୨ ପ୍ରକଳ୍ପ ହୋଇପାରୁନି। ବର୍ତ୍ତମାନ ସଂସଦରେ ମହାନଦୀ (Mahanadi) ପ୍ରସଙ୍ଗ ଉଠାଇବା ଜରୁରୀ ବୋଲି କହିଛନ୍ତି ବିଜୟ। ମହାନଦୀର ସ୍ଥିତି ଉପରେ ସରକାର ତୁରନ୍ତ ସାଧାରଣ ଲୋକଙ୍କୁ ଅବଗତ କରାନ୍ତୁ। ଏବେଠାରୁ ରାଜ୍ୟରେ ମହାନଦୀ ଓ ଶାଖା ନଦୀ ଶୁଖିଲାଣି। ଭୟଙ୍କର ଜଳସଙ୍କଟ ଭିତରକୁ ଓଡ଼ିଶା ଯାଉଛି ବୋଲି ସେ ଚେତାଇ ଦେଇଛନ୍ତି। ଆଗକୁ ପରିସ୍ଥିତି ଆହୁରି ଭୟାନକ ହେବ ବୋଲି କହିବା ସହ ମହାନଦୀ ପାଇଁ ଗଠିତ ଟ୍ରିବ୍ୟୁନାଲର ଅବଧି ଆଉ ମାତ୍ର ୨ ମାସ ଅଛି। କେନ୍ଦ୍ର ସରକାର ଚାହିଁଲେ ଟ୍ରିବ୍ୟୁନାଲର ଅବଧି ଆଉ ୨ ବର୍ଷ ବଢ଼ାଇ ପାରିବେ। କିନ୍ତୁ ବଢ଼ାଇବେ କି ନାହିଁ କିଏ କହିବ ବୋଲି କହିଛନ୍ତି ବିଜୟ।
ସେପଟେ କଂଗ୍ରେସ ଏ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛି। ରାଜ୍ୟର ସ୍ୱାର୍ଥକୁ ବିଜେପି ଓ ବିଜେଡି ଦେଖୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି (Tara Prasad Bahinipati)। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତୁ ବୋଲି ତାରା ଦାବି କରିଛନ୍ତି। ବିଧାନସଭାରେ ମହାନଦୀ ପ୍ରସଙ୍ଗକୁ ଉଠାଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଶାସକ ଦଳର କହିବା କଥା ଟ୍ରିବ୍ୟୁନାଲ୍ (Tribunal) ର ରାୟ ଓଡିଶା ସପକ୍ଷରେ ଯିବ। ଟ୍ରିବ୍ୟୁନାଲ ଏକ ବ୍ୟବସ୍ଥା। ଦୁଇ ତିନି ଥର ଆଲୋଚନା ହେଲାଣି। ଯେବେ ଚୂଡ଼ାନ୍ତ ନିଷ୍ପତ୍ତି ଆସିବ ସେତେବେଳେ ଓଡ଼ିଶାର ଭାଗ ପାଣି ନିଶ୍ଚୟ ମିଳିବ ବୋଲି ଯୋଜନା ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା (Padmanav Behera) କହିଛନ୍ତି। ଛତିଶଗଡ଼ ନିଶ୍ଚୟ ରାଜ୍ୟ ପାଇବାକୁ ଥିବା ପାଣି ଛାଡ଼ିବ ଵୋଲି ମନ୍ତ୍ରୀ କହିଛନ୍ତି।