Trending Photos
)
ଭୁବନେଶ୍ୱର: ନୂଆପଡ଼ା ବିଧାନସଭାରେ ବିଜେଡିର ପ୍ରାର୍ଥୀ ବୋଲି ନିଜକୁ ଦାବି କରିଥିବା ଜୟ ଢୋଲକିଆ ଦଳ ଛାଡ଼ିପାରନ୍ତି। ସେ ଅପରାହ୍ଣରେ ବିଜେପିରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି। ଜୟ ଢୋଲକିଆଙ୍କୁ ବିଜେପି ହାଇଜାକ୍ କରି ନେଇଥିବା ଚର୍ଚ୍ଚା ହେଉଛି, ଯେଉଁଥିରେ ବିଜେଡିର ଦୁର୍ବଳତା ସାମ୍ନାକୁ ଆସିଛି। ଦୀର୍ଘ ଦିନ ହେଲା ବିଜେଡି କୌଣସି ବିଷୟକୁ ସ୍ପଷ୍ଟ କରୁ ନଥିବାରୁ ଜୟ ଏହି ପଦକ୍ଷେପ ନେଇଥିବା ଆଲୋଚନା ହେଉଛି। ଅପରପକ୍ଷେ ବିଜେଡିର ରଣନୀତିକାର ପାଣ୍ଡିଆନ୍ ଏନେଇ ଦିଲ୍ଲୀରେ ଡୀଲ କରିଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
ଜୟ ହେଉଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ସିଂ ଡୋଲକିଆଙ୍କ ପୁଅ। ରାଜେନ୍ଦ୍ରଙ୍କ ଶାରୀରିକ ଅସୁସ୍ଥତା ଓ ପରବର୍ତ୍ତୀ ସମୟରେ ତାଙ୍କ ମୃତ୍ୟୁ ହେତୁ ଏହି ଆସନରେ ଉପ ନିର୍ବାଚନ ହବୋକୁ ଯାଉଛି। ନଭେମ୍ବର ୧୧ ତାରିଖରେ ଭୋଟ ହେବ। କିନ୍ତୁ ଏଠାରେ କିଏ ପ୍ରାର୍ଥୀ ହେବେ ତାହାକୁ ବିଜେଡି ସ୍ଥିର କରିପାରି ନାହିଁ। ଏପରିକି ସଭାପତି ଦିଲ୍ଲୀରେ ଥିବା ବେଳେ ଦଳରେ ଲାଗିରହିଥିବା ଅନିଶ୍ଚିତତା ଜୟଙ୍କୁ ବିଶେଷ ମର୍ମାହତ କରିଥିଲା। କେହି କେହି ଜୟଙ୍କ ବଦଳରେ ସୁଜାତା ପାଣ୍ଡିଆନ୍ ପ୍ରାର୍ଥୀ ହେବେ ବୋଲି ବି କହୁଥିଲେ। ଏଭଳି ପରିସ୍ଥିତିରେ ଜୟ ବିଜେପି ଆଡ଼କୁ ଆକର୍ଷିତ ହୋଇଥିବା କୁହାଯାଏ। ଗତକାଲି ସନ୍ଧ୍ୟାରେ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଓଡ଼ିଶା ଫେରିବା ପରେ ଆଜି ଜୟଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା। ବିଜେଡିର ବରିଷ୍ଠ ନେତାମାନେ ଏନେଇ ଜୟଙ୍କୁ ଅପେକ୍ଷା କରିଥିଲେ। କିନ୍ତୁ ସେ ଆସି ନଥିଲେ।
ବିଜେଡିର ବରିଶ୍ଠ ନେତା ତଥା ଉପସଭାପତି ଦେବା ମିଶ୍ର କହିଛନ୍ତି, ରାତିରେ ଜୟ କଥା ହୋଇଥିଲେ। ସେ ଆସିବେ ବୋଲି କଥା ଦେଇଥିଲେ। ଏଠି ସବୁ ନେତା ଅପେକ୍ଷା କରିଛନ୍ତି କିନ୍ତୁ ତାଙ୍କର ଦେଖା ନାହିଁ। ଆଜି ଆଉ ଯୋଗାଯୋଗ ହୋଇ ନାହିଁ ବୋଲି କହିଛନ୍ତି ଦେବୀ। ବିଜେପିରେ ଯୋଗ ଦେବା ପ୍ରସଙ୍ଗରେ ସେ କହିଛନ୍ତି କିଛି ସ୍ପଷ୍ଟ ନ ହେଲା ଯାଏ କୌଣସି ମନ୍ତବ୍ୟ ଦେଇ ହେବ ନାହିଁ।
ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ କିଡନୀ ସମ୍ବନ୍ଧୀୟ ରୋଗରେ ଚିକିତ୍ସାଧୀନ ଥିବା ସମୟରେ ସେପ୍ଟେମ୍ବର ୮ ତାରିଖରେ ପୂର୍ବତନ ବିଧାୟକ ରାଜେନ୍ଦ ଢୋଲକିଆଙ୍କ ଅକାଳ ମୃତ୍ୟୁ ପରେ ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ଆବଶ୍ୟକ ହୋଇଥିଲା। ମୃତ୍ୟୁ ସମୟରେ ୬୯ ବର୍ଷ ବୟସରେ ଥିବା ଢୋଲକିଆ ଓଡ଼ିଶାର ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀରୁ ଚାରିଥର ବିଧାୟକ ଥିଲେ ଏବଂ ଜୁନ୍ ୨୦୨୨ ରୁ ଜୁନ୍ ୨୦୨୪ ମଧ୍ୟରେ ନବୀନ ପଟ୍ଟନାୟକ କ୍ୟାବିନେଟରେ ମନ୍ତ୍ରୀ ଥିଲେ।