)
ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ। ଏଥର ତାଙ୍କ ବାପାଙ୍କ ପ୍ରଭାବ ପାଇଁ ନୁହଁ ବରଂ ନିଜ ପୁଅର ଥଇଥାନ ପାଇଁ ବୋଲି ଚର୍ଚ୍ଚା ହେଉଛି। ନିଜେ ଆଇନ ମନ୍ତ୍ରୀ ଥିବାବେଳେ ତାଙ୍କ ପୁଅ ରାଜ୍ୟ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ଓକିଲ ଭାବେ ନିଯୁକ୍ତ ହେବା ଏହି ଅଭିଯୋଗକୁ ଅଧିକ ଶାଣିତ କରୁଛି।
ରାଜ୍ୟର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଭାବେ ପୃଥ୍ୱୀରାଜ ହରିଚନ୍ଦନ ଜଣାଶୁଣା। ଆଇନ ସହ ପୂର୍ତ୍ତ ବିଭାଗ ବି ସେ ସମ୍ଭାଳୁଛନ୍ତି। ଗଣମାଧ୍ୟମରେ ବି ସବୁ ବିଷୟରେ ସେ ନିଜର ମତାମତ ରଖିବା ଓ କିଛିଦିନ ପରେ ତାକୁ ବଦଳାଇବା ନେଇ ସେ ଚର୍ଚ୍ଚିତ ହୋଇଛନ୍ତି। କିଛିଦିନ ପୂର୍ବରୁ ଖୋଦ୍ ରାଜ୍ୟପାଳ ସମସ୍ତ ପ୍ରୋଟକଲକୁ ଭାଙ୍ଗି ତାଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲେ। ସେତେବେଳେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଚାଲିଥିଲା। ଆଉ ତାଙ୍କୁ ମନ୍ତ୍ରିମଣ୍ଡଳରେ ସଙ୍କୁଚିତ କରାଯାଇପାରେ ବୋଲି କିଛି ଗଣମାଧ୍ୟମରେ ଆଶଙ୍କା ପ୍ରକାଶ ପାଇଥିଲା। ହେଲେ ସେ ଚର୍ଚ୍ଚା ଆଜି ନୂଆପଡ଼ା ନିର୍ବାଚନ ପରିପ୍ରେକ୍ଷୀରେ ଥମି ଯାଇଛି। କିନ୍ତୁ ଆଜି ଯେଉଁ ଚର୍ଚ୍ଚା ହେଉଛି ତାହା ତାଙ୍କର ଅଦୃଶ୍ୟ ହାତ ଓ ପୁତ୍ର ପ୍ରେମକୁ ନେଇ। ଅଭିଯୋଗ ହୋଇଛି ପୃଥ୍ୱୀରାଜ ନିଜର ଅଦୃଶ୍ୟ ହାତକୁ ବ୍ୟବହାର କରି ନିଜ ପୁଅକୁ ;କେନ୍ଦ୍ର ସରକାରଙ୍କ ଓକିଲ ଭାବେ ନିଯୁକ୍ତି ଦିଆ କରାଇଛନ୍ତି। ଖାଲି ସେତିକି ନୁହେଁ, ସେ ନିଜ ସରକାରୀ ବାସଭବନରେ ପୁଅର କାର୍ଯ୍ୟାଳୟ ଚଳାଉଛନ୍ତି।
ତାଙ୍କ ପୁଅ ହେଉଛନ୍ତି ଦିଗବିଜୟ ହରିଚନ୍ଦନ। ଜଣେ ଯୁବ ଓକିଲ। ଅଧିକତମ ୬ ବର୍ଷର ଆଇନ ଅଭିଜ୍ଞତା। କିନ୍ତୁ ଗଲା ଜୁନ୍ ମାସରୁ ସେ ହେଉଛନ୍ତି କେନ୍ଦ୍ର ସରକାରଙ୍କ ଆଇନ ବି଼ଧି ମନ୍ତ୍ରଣାଳୟ ଦ୍ୱାରା ଓଡ଼ିଶାରେ ନିଯୁକ୍ତ ହୋଇଥିବା ଓକିଲ। ୨୦୨୮ ଯାଏ ସେ ଏହି ଦାୟିତ୍ୱ ସମ୍ପାଦନ କରିବେ। ଆଉ ତାଙ୍କ କାର୍ଯ୍ୟାଳୟ ହେଉଛି ମନ୍ତ୍ରୀଙ୍କ ଅଫିସିଆଲ୍ ରେସିଡେନ୍ସ ବା ସରକାରୀ ବାସଭବନ। ଅର୍ଥାତ୍ କ୍ୟାପିଟାଲ୍ ହସ୍ପିଟାଲ୍ ପଛରେ ଥିବା ୟୁନିଟ ୬ ସ୍ଥିତ ୧ ନମ୍ବର ରାଜ୍ୟ ସରକାରଙ୍କ ବାସଗୃହ। ବିଧି ବିଭାଗ ପକ୍ଷରୁ ଏ ବିଷୟକୁ ବିଜ୍ଞପ୍ତି ଆକାରରେ ପ୍ରକାଶ କରାଯାଇଛି। ଆଉ ସେ ଜୁନ୍ ୨ ତାରିଖରୁ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ରହିଛନ୍ତି। କେନ୍ଦ୍ର ସରକାର ଏହାଙ୍କ ପରାମର୍ଶ ପାଇଁ ଧାର୍ଯ୍ୟ ପାରିଶ୍ରମିକ ପ୍ରଦାନ କରୁଛନ୍ତି। ସେ ରାଜ୍ୟ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିଧି ବିଭାଗର ମାମଲାକୁ ପରିଚାଳନା କରୁଛନ୍ତି। ପୁଣି ସବୁଠାରୁ ବଡ଼ କଥା କ’ଣ ଜାଣିଛନ୍ତି, ଏମିତି ନିଯୁକ୍ତି ପତ୍ର ପ୍ରକାଶ ପାଇଛି ଯେଉଁଥିରେ କେବଳ ଦିଗବିଜୟ ହିଁ ଏକମାତ୍ର ପ୍ରାର୍ଥୀ ହୋଇଛନ୍ତି। ଏହା ନିଶ୍ଚିତ ଭାବେ ଭ୍ରୁକୁଞ୍ଚନ ସୃଷ୍ଟିକାରୀ ଏକ ସମ୍ବେଦନଶୀଳ ପ୍ରସଙ୍ଗ।
ଦିଗବିଜୟଙ୍କ ଯୋଗ୍ୟତା ଏହି ପଦବୀଙ୍କ ଲଗି ରହିଛି କି ନା ତାହାକୁ ନେଇ କୌଣସି ପ୍ରଶ୍ନ ଉଠିବା ଅନୁଚିତ। କାରଣ ବିଧି ମନ୍ତ୍ରଣାଳୟ ଏହାକୁ ଭଲ ଭାବେ ତର୍ଜମା କରି ହିଁ ନିଯୁକ୍ତିପତ୍ର ପ୍ରକାଶ କରିଛି। କିନ୍ତୁ ତାଙ୍କର ଏ ପଦବୀ ଲାଭ ରାଜ୍ୟ ବିଧି ବିଭାଗର କୌଣସି ଚାପ ବା ସୁପାରିସରେ ହୋଇ ନାହିଁ ତ? ବାପା ଯେଉଁ ବିଭାଗର ମନ୍ତ୍ରୀ ସେ ବିଭାଗର ସଂସ୍ଥାରେ ଏପରି ନିଯୁକ୍ତି ସରକାରୀ ଅନୁଷ୍ଠାନକୁ ପାରିବାରିକ ଅନୁଷ୍ଠାନରେ ପରିଣତ କରିବାର ଏକ ଉଦାହରଣ ନୁହେଁ କି?
ପୁଣି ଏ ନିଯୁକ୍ତି ଏମିତି ଏକ ପରିସ୍ଥିତିରେ ହୋଇଛି ଯେତେବେଳେ ରାଜ୍ୟ ସରକାରକୁ ଏକବର୍ଷ ପୂରିଛି। ଯେତେବେଳେ ରାଜ୍ୟରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ହେଉଥିଲା। ଏମିତି ଏକ ସମୟରେ ଏ ନିଯୁକ୍ତି ହୋଇଛି ଯେତେବଳେ ରାଜ୍ୟ ସରକାର ନିଜର ମାମଲା ପରିଚାଳନା କରିବା ଲାଗି ଓକିଲ ନିଯୁକ୍ତି କରିବାରେ ବିଳମ୍ବ କରୁଥିଲେ। ରାଜ୍ୟର କୌଣସି କୋର୍ଟରେ ଆବଶ୍ୟକ ସଂଖ୍ୟକ ସରକାରୀ ଓକିଲ ନଥିଲେ। ସୁପ୍ରିମକୋର୍ଟରେ ରାଜ୍ୟର ଓକିଲ ହୁଅନ୍ତୁ କି ହାଇକୋର୍ଟ ଏବଂ ଜିଲ୍ଲା ସ୍ତରରେ ଓକିଲଙ୍କ କଥା ସବୁଥିରେ ଏମାନେ ପଛରେ ପଡ଼ିଥିଲା। ଅନେକ ବାଦ ବିବାଦ ପରେ ରାଜ୍ୟ ସରକାର ଗଲା ଅକ୍ଟୋବର ୩ ତାରିଖରେ ସୁପ୍ରିମକୋର୍ଟରେ ରାଜ୍ୟର ଓକିଲଙ୍କ ଏକ ତାଲିକା ପ୍ରକାଶ କରିଥିଲେ। ଏଯାଏ ବିଭିନ୍ନ ଜିଲ୍ଲା ଓ ଅର୍ଦ୍ଧ ନ୍ୟାୟିକ ସଂସ୍ଥା ଯେମିତି ଏନ୍ଜିଟିରେ ସରକାରଙ୍କ ଓକିଲଙ୍କ ଅଭାବ ରହିଛି।
ସାଧାରଣତଃ ଦଳୀୟ ସମର୍ଥିତ ଆଇନଜୀବୀଙ୍କୁ ଏହିପରି ପଦବୀସବୁ ମିଳେ। ରାଜ୍ୟରେ କେବଳ ଆଡଭୋକେଟ୍ ଜେନେରାଲ୍ଙ୍କୁ ନୂଆ ସରକାର ନିଯୁକ୍ତ ଦେଇଥିଲେ ମଧ୍ୟ ଜିଲ୍ଲା ସ୍ତରରେ ଏପରି ଓକିଲ ନଥିବାରୁ ବିଚାରାଧୀନ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ରାଜ୍ୟ ପ୍ରତି ଚିନ୍ତା ନକରି ଆଇନ ମନ୍ତ୍ରୀ ନିଜ ପୁଅର କ୍ୟାରିୟର ପ୍ରତି ଅଧିକ ଚିନ୍ତିତ ରହି ଏପରି ଏକ ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।
ଖାଲି ସେତିକି ନୁହେଁ, ରାଜ୍ୟ ସରକାରରେ ଏଯାଏ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରି ନାହିଁ। ନିର୍ବାଚିତ ନେତାମାନଙ୍କୁ ଆବଶ୍ୟକ ଖାତିରଦାରି ମିଳିପାରୁ ନାହିଁ। ଏପରିକି ଯେଉଁମାନେ ଦଳକୁ ନିର୍ବାଚନ ଜିତିବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ, ସେମାନଙ୍କୁ ବି ଥଇଥାନ କରାଯାଇ ନାହିଁ। ରାଜ୍ୟରେ ନିଗମ ଅଧ୍ୟକ୍ଷ ନିଯୁକ୍ତି ହୋଇପାରୁ ନାହିଁ। କିନ୍ତୁ ଯେଉଁଭଳି ଭାବେ ଦିଗବିଜୟଙ୍କୁ କେନ୍ଦ୍ର ସରକାର ସରକାରୀ ଓକିଲ ଭାବେ ନିଯୁକ୍ତ କରିଛନ୍ତି ତାହା ପ୍ରମାଣିତ କରୁଛି ଯେ, ରାଜ୍ୟ ସରକାରର ଏହି ମନ୍ତ୍ରୀ ନିଜ ପୁଅ ପାଇଁ ଅଧିକ ତତ୍ପର ହୋଇଛନ୍ତି। ତାଙ୍କ ପାଇଁ କେନ୍ଦ୍ର ସରକାରରେ ନିଜର ଚାପ ପ୍ରୟୋଗ କରିଛନ୍ତି ବୋଲି ଆଲୋଚନା ହେଉଛି।
କଂଗ୍ରେସ ଶାସନରେ ଏପରି କୁଟୁମ୍ବ- ପରିଚାଳିତ ଶାସନ ବ୍ୟବସ୍ଥା ଦ୍ୱାରା ଲୋକେ ଅତିଷ୍ଠ ହୋଇଥିଲେ। ସେଥିଲାଗି ଆଜି ବି କଂଗ୍ରେସ କହିଲେ ଭାଇ-ବନ୍ଧୁ-କୁଟୁମ୍ବଙ୍କ ଦଳ ବୋଲି ଗ୍ରହଣ କରାଯାଉଛି। ଯଦି ଦିଗବିଜୟଙ୍କ ନିଯୁକ୍ତିରେ ପୃଥ୍ୱୀରାଜଙ୍କ ଲିଖିତ, ଅଲିଖିତ ପ୍ରଭାବ ବା ପରାମର୍ଶ ଥାଏ ତେବେ ରାଜ୍ୟରେ ବିଜେପି ସରକାର ପାଇଁ ପାଇଁ ଏହା ସବୁଠାରୁ ବଡ଼ ଦୁଃଖ ହେବ। ନୂଆକରି କ୍ଷମତାକୁ ଆସୁ ଆସୁ ରାଜ୍ୟର ଆଇନ ମନ୍ତ୍ରୀ ନିଜ ପୁଅକୁ ନିଜ ଗୋଡ଼ରେ ଠିଆ ହେବାକୁ ନ ଦେଇ ଏମିତି କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଦଳ ଓ ସରକାର ପାଇଁ ନକରାତ୍ମକ ସ୍ଥିତି ସୃଷ୍ଟି କରିବ। ଏବେ ଅପେକ୍ଷା ଏହାକୁ କେନ୍ଦ୍ରୀୟ ନେତୃତ୍ୱ କି ପ୍ରକାର ରାସ୍ତା ଦେଖାଉଛନ୍ତି।