ରାଜସ୍ଥାନ ରାଜନୀତିରେ ହଟଚମଟ: ସରକାର ଭାଙ୍ଗିବାକୁ ଉଦ୍ୟମ ଚାଲିଥିବା ନେଇ ଅଭିଯୋଗ ଆଣିଲା କଂଗ୍ରେସ

ସରକାରଙ୍କ ଭାଙ୍ଗିବାକୁ ଉଦ୍ୟମ ଚାଲିଛି ବୋଲି ଅଭିଯୋଗ ଆଣିଛି ରାଜ୍ୟରେ କ୍ଷମତାସୀନ କଂଗ୍ରେସ ।  

ରାଜସ୍ଥାନ ରାଜନୀତିରେ ହଟଚମଟ: ସରକାର ଭାଙ୍ଗିବାକୁ ଉଦ୍ୟମ ଚାଲିଥିବା ନେଇ ଅଭିଯୋଗ ଆଣିଲା କଂଗ୍ରେସ

ଜୟପୁର: କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ କ୍ଷମତାଚ୍ୟୁତ ହେବା ପରେ ଏବେ କଂଗ୍ରେସକୁ ସରକାର ଭାଙ୍ଗିବା ଡର ପିଛା ଛାଡୁନାହିଁ । ସଦ୍ୟ ଏହାର ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନରେ । ରାଜ୍ୟରେ କ୍ଷମତାସୀନ ଥିବା ସରକାରକୁ ଭାଙ୍ଗିବାକୁ ବିରୋଧି ବିଜେପି ଉଦ୍ୟମ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ଶାସକ କଂଗ୍ରେସର ଦଳୀୟ ବିଧାୟକ । ଯାହାକୁ ନେଇ ଏବେ ରାଜସ୍ଥାନ ରାଜନୀତିରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।  

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସର ୨୪ ବିଧାୟକ କହିଛନ୍ତି, "ରାଜ୍ୟରେ କ୍ଷମତାସୀନ ଥିବା ଅଶୋକ ଗେହୋଲଟ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଶାସକ ଦଳର ସଦସ୍ୟଙ୍କୁ ପ୍ରଲୋଭିତ କରୁଛି । ଏନେଇ ଚାଲିଥିବା ଷଡଯ଼ନ୍ତ୍ରରେ ଗୈରିକ ଦଳର ସର୍ବୋଚ୍ଚ ନେତୃବୃନ୍ଦ ସାମିଲ ଅଛନ୍ତି । " 

ଶୁକ୍ରବାର ବିଳମ୍ବିତ ରାତିରେ କଂଗ୍ରେସ ବିଧାୟକଙ୍କ ପକ୍ଷରୁ ଜାରି ହୋଇଥିବା ମିଳିତ ବିବୃତ୍ତିରେ କୁହାଯାଇଛି, ବିଜେପିର ଦଳୀୟ ନେତୃବୃନ୍ଦ କଂଗ୍ରେସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଦଳୀୟ ସଭ୍ୟଙ୍କୁ ବିଭିନ୍ନ ଉପାୟ ମାଧ୍ୟମରେ ସେମାନଙ୍କ ସହ  ଯୋଗାଯୋଗ କରି ସେମାନଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । " 

ଏହି ବିବୃତ୍ତିରେ ସରକାରୀ ଦଳ ମୁଖ୍ୟ ସଚେତକ ମହେଶ ଯୋଶୀ ଏବଂ ଉପ ମୁଖ୍ୟ ସଚେତକ ମହେନ୍ଦ୍ର ଚୌଧୁରୀଙ୍କ ଦସ୍ତଖତ ରହିଛି । ବିରୋଧି ବିଜେପିର ଏହି ଷଡଯନ୍ତ୍ର ସଫଳ ହେବ ନାହିଁ। ଜାରି ହୋଇଥିବା ବିବୃତ୍ତିରେ କଂଗ୍ରେସ ବିଧାୟକଙ୍କ ପକ୍ଷରୁ କୁହାଯାଇଛି କୌଣସି ସଦସ୍ୟ ପ୍ରଲୋଭିତ ହେବେ ନାହିଁ । ରାଜସ୍ଥାନ ସରକାର ୫ ବର୍ଷର କାର୍ଯ୍ୟକାଳ ପୂର୍ଣ୍ଣ କରିବେ।   

ରାଜସ୍ଥାନର ମୋଟ ୨୦୦ ଆସନ ବିଶିଷ୍ଟ ବିଧାନସଭାରେ ଶାସକ କଂଗ୍ରେସର ୧୦୭, ବିରୋଧି ବିଜେପିର ୭୨, ଭାରତୀୟ ଟ୍ରାଇବାଲ ପାର୍ଟିର ୩, ସିପିଆଇ(ଏମ) ୨, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ୩, ରାଷ୍ଟ୍ରୀୟ ଲୋକ ଦଳ ୧, ସ୍ୱାଧିନ ୧୩ ବିଧାୟକ ରହିଛନ୍ତି । ଗତ  ୨୦୧୮ ବର୍ଷରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ବିଏସପିର ୬ ବିଧାୟକ କଂଗ୍ରେସରେ ସାମିଲ ହେବା ପରେ ଶାସକ ଦଳର ସଂଖ୍ୟା ୧୦୭କୁ ବୃ୍ଦ୍ଧି ପାଇଛି ।   

ଗତ ମାସରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲଟ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ମହେଶ ଯୋଶୀ ଅଭିଯୋଗ କରିଥିଲେ ସରକାରରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଶାସକ ଏବଂ ଅନ୍ୟ ସହଯୋଗୀ ବିଧାୟକଙ୍କ ମଧ୍ୟରେ ଉଦ୍ୟମ ଚାଲିଛି ।