)
ଜୟପୁର: ରାଜସ୍ଥାନ କଂଗ୍ରେସରେ ଅନ୍ତଃକନ୍ଦଳ ଭିତରେ ଗେହଲଟ କ୍ୟାମ୍ପରେ ଥିବା ବିଧାୟକ ଖେଳିଲେ 'ନମ୍ବର ଗେମ' । ଏବେ ଉଭୟ ପାଇଲଟ କ୍ୟାମ୍ପ ଓ ଗେହଲଟ କ୍ୟାମ୍ପର ବିଧାୟକ ଗୋଟିଏ ଗୋଟିଏ ହୋଟେଲରେ ଅଛନ୍ତି । ହରିୟାଣାରେ ପାଇଲଟ କ୍ୟାମ୍ପର ବିଧାୟକ ରହିଥିବା ବେଳେ ଜୟପୁରର ଏକ ହୋଟେଲରେ ଗେହଲଟ କ୍ୟାମ୍ପର ବିଧାୟକ ଅଛନ୍ତି । ଆଉ ବିଭିନ୍ନ ପ୍ରକାରରେ ଏମାନେ ସମୟ ମଧ୍ୟ ଅତିବାହିତ କରୁଛନ୍ତି ।
ଗେହଲଟ କ୍ୟାମ୍ପରେ ଚାଲିଛି ମଉଜ ମସ୍ତି । ଖେଳ, କୁଦରେ ମାତିଛନ୍ତି ବିଧାୟକ । କେତେବେଳେ ଫିଲ୍ମ ଦେଖୁଛନ୍ତି ତ ଆଉ କେତେବେଳେ କୁକିଂ କ୍ଲାସ କରୁଛନ୍ତି । ନିଜକୁ ଫିଟ୍ ରଖିବା ପାଇଁ ଯୋଗ ମଧ୍ୟ କରୁଛନ୍ତି । ଯାହା ଜଣାପଡ଼ିଛି, ଅଭିନେତା ଅମିର ଖାନଙ୍କ ଫିଲ୍ମ ଲଗନ ମଧ୍ୟ ଦେଖିଥିଲେ ବିଧାୟକମାନେ । କେବଳ ଏତିକି ନୁହେଁ, ଗତକାଲି ରାତିରେ ବିଧାୟକଙ୍କ ମଧ୍ୟରେ "Housie" ଖେଳ ମଧ୍ୟ ହୋଇଥିଲା । ଏହାକୁ ନମ୍ବର ଗେମ ବୋଲି ମଧ୍ୟ କୁହାଯାଏ । ରାଜସ୍ଥାନ ରାଜନୀତିରେ ଏବେ ନମ୍ବର ଗେମ ଜାରି ରହିଥିବା ବେଳେ ହୋଟେଲ ଭିତରେ ଏପରି ଏକ ଖେଳ ଖେଳିଛନ୍ତି ବିଧାୟକ ।
କିଏ ଜିତିଲା 'ନମ୍ବର ଗେମ' ?
ସୂତ୍ର ଅନୁସାରେ, ଗତକାଲି ବେଶ ମଜାଦାର ଥିଲା ବିଧାୟକଙ୍କ ମଧ୍ୟରେ 'ନମ୍ବର ଗେମ' ଖେଳ । ହେଲେ ଏହି ଖେଳରେ ବରିଷ୍ଠ କଂଗ୍ରେସ ବିଧାୟକମାନେ ଚକମା ଖାଇଯାଇଥିଲା । ଗେହଲଟ କ୍ୟାମ୍ପର ବିଧାୟକଙ୍କ ମଧ୍ୟରେ ଚାଲିଥିବା ଏହି ଖେଳରେ ବାଜି ମାରି ନେଇଥିଲେ ପୂର୍ବତନ ବିଏସପି ବିଧାୟକ ଯୋଗିନ୍ଦର ସିଂହ । ଆପଣଙ୍କୁ କହିରଖୁଛୁ, ବିଏସପି ଟିକେଟରେ ଜିତିଥିବା ସମସ୍ତ ୬ ବିଧାୟକ ପରବର୍ତ୍ତୀ ସମୟରେ 'ହାତ' ଧରିଥିଲେ । ତେବେ ଏମାନଙ୍କ ମଧ୍ୟରୁ ବିଧାୟକ ଯୋଗିନ୍ଦର ସିଂହ ଭଲ ନମ୍ବର ଗେମ ଖେଳି ବିଜୟୀ ହୋଇଥିଲେ ।
ହୋଟେଲ ଭିତରେ 'ନମ୍ବର ଗେମ' ଖେଳ ତ ବେଶ ହସ ଖୁସିର ସହ ଖେଳିଛନ୍ତି ଗେହଲଟ କ୍ୟାମ୍ପର ବିଧାୟକ । ହେଲେ ବର୍ତ୍ତମାନ ରାଜସ୍ଥାନ ରାଜନୀତିରେ ମଧ୍ୟ 'ନମ୍ବର ଗେମ' ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ତେଣୁ ଏହି ରାଜନୈତିକ ନମ୍ବର ଗେମକୁ ଭଲ ଖେଳିପାରିଲେ ହେଲା । କାହିଁକିନା ପାଇଲଟ ଗୋଷ୍ଠୀ ମୌକା ଦେଖି ଛକା ମାରିବା ଚକ୍କରରେ ଅଛନ୍ତି । ଆଉ ବିଜେପି ବି କୁଆଡ଼େ ପାଇଲଟ ଗୋଷ୍ଠୀଙ୍କୁ ବଳ ଯୋଗାଉଛି । ତେଣୁ ସଜାଗ ନରହିଲେ, ହୋଟେଲ ଭିତରେ ନମ୍ବର ଗେମ ଖେଳୁଥିବା ଗେହଲଟ କ୍ୟାମ୍ପ ରାଜନୈତିକ ନମ୍ବର ଗେମରେ ଫେଲ ହୋଇଯିବେ ।