)
ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ଫଳାଫଳ ଘୋଷଣାର ଯଥେଷ୍ଟ ପୂର୍ବରୁ ପ୍ରତିକ୍ରିୟାଶୀଳ ହୋଇପଡିଥିଲେ ଅନେକ ରାଜନେତା । ବିଜେପିର ବିପୁଳ ବିଜୟ ଆଡକୁ ଅଗ୍ରଗତି ଦେଖି ସୋସିଆଲ ମିଡିଆ ଜରିଆରେ ନିଜେ ନିଜର ମତ ପରିପ୍ରକାଶ କରିଥିଲେ । ପିସିସି ସଭାପତି ଭକ୍ତଚରଣ ଦାସ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଫଳାଫଳ ସମ୍ପର୍କରେ ।
ଭକ୍ତ ଲେଖିଛନ୍ତି ଯେ, ସଂଘର୍ଷର ପଥ ଫୁଲ ନୁହେଁ, କଣ୍ଟାରେ ପରିପୂର୍ଣ୍ଣ। ଏହା ଏକ ଲମ୍ବା ଲଢ଼େଇ; ଏହା ଆଜି କିମ୍ବା କାଲିର କଥା ନୁହେଁ। ଏହା ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏକ ଲଢ଼େଇ। ଆମକୁ କ୍ଷେତ୍ରରେ ରହିବାକୁ ପଡିବ ଏବଂ ଲଢ଼େଇ ଜାରି ରଖିବାକୁ ପଡିବ। ବିଜୟ କିମ୍ବା ପରାଜୟ ନିଶ୍ଚିତ ନୁହେଁ। ଆମକୁ ଲଢ଼ିବାକୁ ପଡିବ।
ପୂର୍ବରୁ ଗଣମାଧ୍ୟମର ଏକଜିଟ୍ ପୋଲ୍ ଉପରେ ପ୍ରଶ୍ନ ଉଠାଇ ସୋସିଆଲ ମିଡିଆରେ ଭକ୍ତ ଲେଖିଥିଲେ ଯେ, ନୂଆପଡ଼ା ଉପନିର୍ବାଚନରେ ଆମେ ଏକ ନମ୍ବରରେ ଥିଲୁ କିନ୍ତୁ ଆମକୁ ୩ ନମ୍ବର ସ୍ଥାନ ଦେଉଛନ୍ତି, ଯାହା ସନ୍ଦେହଜନକ। ନିର୍ବାଚନ ପ୍ରଚାର ବେଳେ ଘାସିରାମ ମାଝୀଙ୍କ ପାଇଁ ଲୋକଙ୍କ ସର୍ବାଧିକ ସମର୍ଥନ ରହିଥିଲା। ଯଦି କିଛି ହେରଫେର ହୋଇନି, ତେବେ ଆମେ ନିଶ୍ଚିତ ଜିତିବୁ। ବିଜେପି ନେତା ବୁଥ ଭିତରେ ଟଙ୍କା ବାଣ୍ଟିବା, ଭୋଟ ଦିନ ଗାଡ଼ିରେ ପତାକା ଲଗାଇ ବୁଥ ପାଖରେ ରଖିବା, ଅନ୍ୟ ଏକ ଗାଡ଼ିରୁ ଇଭିଏମ୍ ମିଳିବା, ଶେଷ ସମୟକୁ ଅତିରିକ୍ତ ଭୋଟ ହେବା, ଆଦି ଦର୍ଶାଉଛି କଂଗ୍ରେସକୁ ହରାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଥିଲା। କିନ୍ତୁ ଜନତାଙ୍କ ସମର୍ଥନ ଆମ ସପକ୍ଷରେ ଅଛି, ଆମର ବିଜୟକୁ ନେଇ ଆମେ ସମ୍ପୂର୍ଣ୍ଣ ଆଶାବାଦୀ।
ସେହିପରି ନଭେମ୍ୱର ୧୧ରେ ଭକ୍ତ ଅଭିଯୋଗ ଆଣି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯେ, ନୂଆପଡ଼ା ଉପନିର୍ବାଚନରେ ବିଭିନ୍ନ ଉପାୟରେ ଭୋଟ ଚୋରି କରୁଛି ବିଜେପି । ପୋଲିସ ଦ୍ବାରା ଭୋଟର ଓ ବୁଥ ଏଜେଣ୍ଟଙ୍କୁ ପ୍ରଭାବିତ କରିଛି ବିଜେପି ସରକାର । କୋମନା, ଖଡ଼ିଆଳ ଓ ବିଭିନ୍ନ ଜାଗାରେ ଭୋଟ ଚୋରି ହୋଇଛି । ଭୋଟ କେନ୍ଦ୍ରରେ ବିଜେପି ନେତା ଟଙ୍କା ବାଣ୍ଟିଛନ୍ତି । ଟଙ୍କା ବଣ୍ଟା ବିଷୟ ଅଭିଯୋଗ କରିବାରୁ କଂଗ୍ରେସ ନେତ୍ରୀଙ୍କୁ ଅସଦାଚରଣ କରିଛନ୍ତି । ଇଭିଏମରେ କ୍ରସ ଭୋଟିଂ କରିଛନ୍ତି । ଇଲେକ୍ସନ କମିଶନ ବିଷୟ ଗୁଡ଼ିକୁ ଗୁରୁତର ସହ ନିଅନ୍ତୁ, ନହେଲେ ଆଗାମୀ ଦିନରେ ଆମ ପ୍ରତିବାଦ ହେବ ।